କୁନ୍ଦୁରା,(ସତ୍ୟ ନାରାୟଣ ସାହୁଙ୍କଠାରୁ): କୁନ୍ଦୁରା ସୀମାନ୍ତ କେଟପାଡ-ରାମଗିରି ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି । ରାସ୍ତାରେ ଖାଲଖମା ଭର୍ତ୍ତି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣି ଜମିରହିଛି । ଫଳରେ ଏହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବୈପାରିଗୁଡା ବ୍ଲକ ଦଣ୍ଡାବାଡିଠାରୁ କୋଟପାଡ ତଥା ଜଗଦଲପୁରକୁ ସଂଯୋଗ କରିଥିବା ଏହି ରାସ୍ତା କୁନ୍ଦୁରା, ବୈପାରିଗୁଡା ଓ କୋଟପାଡ ବ୍ଲକର ଏକ ପ୍ରକାର ଜୀବନରେଖା କହିଲେ ଅତୁ୍ୟକ୍ତି ହେବନାହିଁ । ଦଣ୍ଡାବାଡିଠାରୁ କୋଟପାଟ ମୁଖ୍ୟରାସ୍ତାର ଭିଦିଗୁଡାକୁ ସଂଯୋଗ କରୁଥିବା ଏହି ରାସ୍ତାଟି ୩୦କିମିରୁ ଅଧିକ ଥିବା ବେଳେ ପ୍ରତିଦିନ ଶତାଧିକ ଗାଡିମୋଟର ଏହି ରାସ୍ତାଦେଇ କୋଟପାଟ ଓ ସେଠାରୁ ଜଗଦଲପୁରକୁ ଯାଉଛି । ସାପ୍ତାହିକ ହାଟ ସହ ଜଗଦଲପୁର ସହରକୁ ଏହି ରାସ୍ତା ସିଧାସଳଖ ସଂଯୋଗ କରୁଥିବାରୁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଏହା ଉପରେ ନିର୍ଭର କରିଆସୁଛନ୍ତି । ରାସ୍ତାର ପ୍ରଶସ୍ତିକରଣ ସକାଶେ ବର୍ଷକ ତଳେ ବ୍ରିଜ, କଲଭର୍ଟଗୁଡିକୁ ଓସାରିଆ କରାଯାଇଛି । କିନ୍ତୁ ବ୍ରିଜ ନିର୍ମାଣ ପରେ ଉଭୟ ପାଶ୍ୱର୍ର ରାସ୍ତାକୁ ସମତୁଲ କରିବାରେ ଠିକାଦାର ଭୁଲି ଯାଇଛନ୍ତି । ରାସ୍ତା ସମତୁଲ କରାଯାଇ ନଥିବାରୁ ଅନେକ ସ୍ଥାନରେ ଏହା ଦବି ଯାଇଛି । ଫଳରେ ଦୁଇଚକିଆ ଯାନ ଓ ସାଇକେଲ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି । ୩୦କିମିର ଏହି ରାସ୍ତାର କିଛି ଅଂଶ ପିଚୁ ହୋଇଥିବା ବେଳେ ଆଉ କିଛି ଅଂଶ ସିମେଣ୍ଟ କଂକ୍ରିଟ କରାଯାଇଛି । ଆଉ କିଛି ସ୍ଥାନରେ ମାଟି ପକାଯାଇଛି । ଏପରି କି କିଛି ସ୍ଥାନରେ କଲଭର୍ଟ ବଦଳରେ ଭଙ୍ଗା ବିଦୁ୍ୟତପୋଲ ରହିଛି । ୧୦୦ରୁ ଅଧିକ ହମ୍ପସ ମଧ୍ୟ ରହିଛି । ନୂତନ ଭାବେ କାର୍ଯ୍ୟ ହୋଇଥିବା କଲଭର୍ଟଗୁଡିକର ଉଭୟ ପାଶ୍ୱର୍ରେ ରାସ୍ତାକୁ ତୁରନ୍ତ ସମତୁଲ କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.