
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଅଭିନବ ଉପାୟରେ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ୧ କୋଟି ଟଙ୍କାର ଗଞ୍ଜେଇକୁ ପୁଲିସ ଜବତ କରିଛି । ଏଥିସହ ଏକ ପଣସ ବୋଝେଇ ୧୨ଚକିଆ ଟ୍ରକ(ଏପି ୩୧ଟିବି ୧୩୧୪)କୁ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ନନ୍ଦପୁର ଏସଡିପିଓ ସଞ୍ଚୟ ମହାପାତ୍ର ସୂଚନା ଦେଇଛନ୍ତି । ଗିରଫ ମାଫିଆମାନେ ହେଲେ ଆନ୍ଧ୍ର ଗୁଣ୍ଟୁର ଅଞ୍ଚଳର ଭି. ସତ୍ୟା, ଜି. ଶ୍ରୀମନ୍ ନାରାୟଣ ଓ ଜି.ଶ୍ରୀଧର ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜଲାପୁଟ ଜବାଗଡ ଗାଁ ପାଖରୁ ଏକ ପଣସ ବୋଝେଇ ଟ୍ରକ୍ରେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ହେଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିଦେ୍ର୍ଧଶକ୍ରମେ ଏସଡିପିଓ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ସେକେଣ୍ଡ ଅଫିସର ଡମ୍ବରୁ ବାତ୍ରିଆ, ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ, ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିର୍ସାନୀ ପ୍ରମୁଖଙ୍କ ଟିମ୍ ଜଲାପୁଟ ଜଳଭଣ୍ଡାର କୂଳର ଟିକାପୁଟ ଗାଁ ନିକଟରେ ଜଗି ରହିଥିଲେ । ଜଲାପୁଟ ପଟୁ ଦ୍ରୁତଗତିରେ ଆସୁଥିବା ପଣସବୋଝେଇ ଟ୍ରକ୍କୁ ପୁଲିସ ଅଟକାଇଥିଲା । ଟ୍ରକ୍ରେ ବସିଥିବା ଉପରୋକ୍ତ ୩ଜଣଙ୍କୁ ପୁଲିସ କାବୁ କରିଥିଲା । ପରେ ଟ୍ରକ ଡାଲାରେ ଥିବା ପଣସଗୁଡିକୁ ବାହାର କରି ଯାଞ୍ଚ କରାଯିବାରେ ସେଥିରେ ୩୪ଟି ବସ୍ତାରୁ ୧ଟନ୍ ୮କେଜି ଗଞ୍ଜେଇ ବାହାରିଥିଲା । ଏହାର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ଏସଡିପିଓ ଶ୍ରା ମହାପାତ୍ର କହିଛନ୍ତି । କୋଭିଡ ସମୟରେ ଅଭିନବ ଉପାୟରେ ମାଫିଆମାନେ ଗଞ୍ଜେଇ ଚାଲାଣ କରୁଛନ୍ତି । ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ହେଲେ ମଧ୍ୟ ଧରପଗଡରେ କୌଣସି ଅବହେଳା କରାଯାଉ ନାହିଁ । ଆଗାମୀଦିନରେ ଏହି ଅଞ୍ଚଳର ମୁଖ୍ୟ ମାଫିଆଙ୍କୁ ଧରାଯିବ ବୋଲି ଶ୍ରୀ ମହାପାତ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.