କୋଟିଏ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଏକ ଗୋଖାଦ୍ୟ ବୋଝେଇ ଟ୍ରକ୍ରେ ଚାଲାଣ ବେଳେ ଧରାପଡିଛି ୨ ଟନ୍ରୁ ଅଧିକ ଗଞ୍ଜେଇ । ଏହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ । ଏହି କାରବାରରେ ସଦର ପୁଲିସ ୪ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ଅନ୍ତା ପଞ୍ଚାୟତ ବାୟାଗୁଡାର ପର୍ଶୁରାମ ନାଗ(୩୦), ଜୟନଗରର ପ୍ରତାପ ବେହେରା(୨୨), ଶ୍ୟାମସୁନ୍ଦର ମିଶ୍ର(୨୦) ଏବଂ ଅଭୟ ପ୍ରଧାନୀ(୧୮) । କାରବାରରେ ବ୍ୟବହୃତ ଟ୍ରକ, ଭ୍ୟାନ, କାର ସହ ୩ଟି ବାଇକ୍, ୪ଟି ମୋବାଇଲ ଏବଂ ନଗଦ ୧ ହଜାର ୨୩୦ ଟଙ୍କା ଏବଂ ୪୦ ପ୍ୟାକେଟ ଗୋଖାଦ୍ୟ ଜବତ କରାଯାଇଛି । ମାଷ୍ଟର ମାଇଣ୍ଡ କୁହାଯାଉଥିବା ପ୍ରଶାନ୍ତ ମଣ୍ଡଳ ଏବଂ ଇମ୍ରାନ ସହ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଏସ୍ଡିପିଓ ଜି. ବରୁଣ କହିଛନ୍ତି ।
ଶ୍ରୀ ବରୁଣ କହିଛନ୍ତି, ୨୪ ତାରିଖ ରାତି ପ୍ରାୟ ୧୨ଟାରେ ବାୟାଗୁଡା ଗାଁ ପାଖରେ ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ଓଆଇସି ଶ୍ରୀ ମହାକୁଡଙ୍କ ପାଖରେ ପହଞ୍ଚିଥିଲା । ଏସ୍ଆଇ ପ୍ରଶାନ୍ତ କୁମାର ମହାନ୍ତି, ଏଏସ୍ଆଇ ସୁରେନ୍ଦ୍ର କୁମାର ସାମଲ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଶ୍ରୀ ମହାକୁଡ ଚଢଉ କରିଥିଲେ । ବାୟାଗୁଡା ପାଖରେ ଏକ ଟ୍ରକ୍ (ସିଜି ୦୪ ଏମ୍ଜେ-୮୪୦୯) ଠିଆ ହୋଇଥିଲା । ପ୍ରାୟ ୧୦ ଜଣ ଲୋକ ଏକ ଭ୍ୟାନ୍(ଓଆର ୨୪ଏ-୨୭୬୭)ରୁ ଗଞ୍ଜେଇ ଆଣି ଟ୍ରକରେ ଲୋଡ କରୁଥିଲେ । ପୁଲିସକୁ ଦେଖି ସେମାନେ ଦୌଡିଥିଲେ । ଅଭିଯୁକ୍ତ ୪ ଜଣ ଧରାପଡିଥିଲେ । ଟ୍ରକ ଡାଲାରେ ଗୋଖାଦ୍ୟ ଥିବା ବେଳେ କ୍ୟାବିନ୍ ପଛପଟେ ଗଞ୍ଜେଇ ପ୍ୟାକେଟ ଲୋଡ କରାଯାଇଥିଲା । ୯୧ଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ପଚରାଉଚରା ବେଳେ ଗଞ୍ଜେଇକୁ ଭ୍ୟାନରେ ଗୋବିନ୍ଦପାଲ୍ଲୀରୁ ଅଣାଯାଇ ଜଗଦଲପୁର ଯିବାକୁ ଟ୍ରକରେ ଲୋଡିଂ କରାଯାଉଥିବା ସ୍ୱୀକାର କରିଥିଲେ । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଏବଂ ଇମ୍ରାନ୍ ବୋଲି ଅଭିଯୁକ୍ତମାନେ କହିଥିଲେ । କାରବାରରେ ବ୍ୟବହାର କରାଯାଇଥିବା ଏକ ନମ୍ବରବିହୀନ କାର, ୨ଟି ବାଇକ୍(ଓଡି ୧୦ ବି-୨୨୧୭, ଓଡି ୧୦ ଏନ୍-୦୯୧୬) ଏବଂ ଏକ ନମ୍ବର ବିହୀନ ସ୍କୁଟି ଜବତ କରାଯାଇଛି । ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ଏସଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ସ୍ଥାନୀୟ ଏସଡିପିଓ ଅଫିସରେ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । ଏଥିରେ ଏସଡିପିଓ ବରୁଣଙ୍କ ସହ ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ ଯୋଗ ଦେଇଥିଲେ ।
ସୂଚନା ଥାଉକି, ଗତ ୨୦ ତାରିଖରେ ସଦର ପୁଲିସ କୋରାପୁଟ ଘାଟିରେ ଚଢଉ କରି ୧ ଟନରୁ ଅଧିକ ଗଞ୍ଜେଇ ଧରିଥିଲା । କାରବାରରେ ଲିପ୍ତ ୪ ଜଣଙ୍କୁ ଗିରଫ କରିଥିଲା । ଏଥିସହ ଏକ ଟ୍ରକ୍, ୯ଟି ପାଣିଟାଙ୍କି ଜବତ କରିଥିଲା । କାରବାରର ମାଷ୍ଟରମାଇଣ୍ଡ କାଳୁ ଶର୍ମା, ଦିଲ୍ଲୀପ ବାହାଦୁର ଓରଫ ଢୋଲୁ ଏବଂ ଅନ୍ୟମାନେ ଫେରାର ହୋଇ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons