କୋଟିଏ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର: ଗଞ୍ଜେଇ ଚାଲାଣ ଲାଗି ମାଫିଆମାନେ ଆପଣାଉଛନ୍ତି ଅଭିନବ ଉଦ୍ୟମ । କେତେବେଳେ ପରିବା ତ କେତେବେଳେ ଅଦା ଟ୍ରକରେ ମାଲ୍ ପରିବହନ କରୁଛନ୍ତି । ପୁଲିସ କିନ୍ତୁ ମାଫିଆମାନଙ୍କ ସମସ୍ତ କୌଶଳକୁ ପାଣିରେ ପକାଇବାରେ ସଫଳ ହେଉଛି । ଆଜି ଏକ ମୁଢି ବୋଝେଇ ଟ୍ରକରେ ଚାଲାଣ ହେଉଥିବା ବେଳେ ଏକ ଟନ୍ ୯୯ କେଜି ଗଞ୍ଜେଇ ଜବତ କରିଛି ସଦର ପୁଲିସ । କାରବାରରେ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମହାରାଷ୍ଟ୍ର ଜଲ୍ଗାଓଁ ଜିଲ୍ଲା କସୋଡା ଭାନ୍ଖୋଟେର ଚନ୍ଦ୍ରକାନ୍ତ ସୁଭାଷ ପାଟିଲ(୫୦) ଏବଂ ଫର୍କାଣ୍ଡିର ରାଜେନ୍ଦ୍ର ଦେବଦାସ ପାଟିଲ(୩୦) । ସେମାନଙ୍କ ପାଖରୁ ଗୋଟିଏ ଟ୍ରକ୍ ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୭ ତାରିଖ ଅପରାହ୍ନ ୨ଟାରେ ଏକ ମୁଢି ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଓଆଇସି ଶ୍ରୀ ମହାକୁଡ଼ଙ୍କୁ ଖବର ମିଳିଥିଲା । ଗାଡ଼ିଟି କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବା ଜଣାପଡିଥିଲା । ଏସ୍ଆଇ ନବୀନକୁମାର ଟପ୍ପୋ, ଅଜିତସିଂ ବରିହା, ଏଏସ୍ଆଇ ଗଣେଶପ୍ରସାଦ ବେହେରା, ସୁରେନ୍ଦ୍ର କୁମାର ସାମଲ, ଘେନୁ ଖେମୁଣ୍ଡୁ ଏବଂ ଅନ୍ୟ କର୍ମଚାରୀ ଏନଏଚ୍-୨୬ କୋରାପୁଟ ଘାଟି ତଳ କୋଲାବ ଛକ ଭୁ୍ୟପଏଣ୍ଟ ନିକଟରେ ଛପି ରହିଥିଲେ । ଏହି ସମୟରେ ଏକ ଟ୍ରକ୍(ଏମଏଚ୍ ୧୮ ବିଜି-୫୫୪୧) ଘାଟିରୁ ଓହ୍ଲାଇଥିଲା । ଗାଡ଼ି ଅଟକାଯାଇ ଯାଞ୍ଚ କରାଯାଇଥିଲା । ଡାଲାରେ ୫୦ରୁ ଅଧିକ ମୁଢି ବସ୍ତା ସହ ପ୍ରାୟ ୨୦୦ ପ୍ୟାକେଟ୍ ଗଞ୍ଜେଇ ରହିଥିଲା । ପଚରାଉଚରା ବେଳେ ଗଞ୍ଜେଇ ମହାରାଷ୍ଟ୍ର ଚାଲାଣ କରାଯାଉଥିବା ସମ୍ପର୍କରେ ସେମାନେ ମାନିଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ୫ ମାସରେ ସଦର ପୁଲିସ ୧୭ଟି ଗଞ୍ଜେଇ ମାମଲା ରୁଜୁ କରିଛି । ସେ ଭିତରେ କେବଳ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ୩ ଟି ମାମଲା ରହିଛି । ଆଜି ଅର୍ଥାତ୍ ଜୁନ୍ ୮କୁ ମିଶାଇ ୧୭ଟି ମାମଲାରେ ୪୨ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ପାଖରୁ ୫ ହଜାର ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି । ୩ଟି ଟ୍ରକ, ଗୋଟିଏ କଣ୍ଟେନର, ୧୦ଟି କାର, ୨ଟି ଭ୍ୟାନ୍, ୪ଟି ବାଇକ୍, ଗୋଟିଏ ଲେଖାଏଁ ଅଟୋ ଓ ସ୍କୁଟି ସହ ୪୧ ଟି ମୋବାଇଲ ଫୋନ୍ ଏବଂ ନଗଦ ୭୮ ହଜାର ଟଙ୍କା ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ହେବ ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons