କୋଟିଏ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ବସ୍ତା ବସ୍ତା ଗଞ୍ଜେଇ ଜବତ କରିଛି ସଦର ପୁଲିସ । କାରବାରରେ ଲିପ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଉଚ୍ଛଳାର ରୂପେଶ ସାହୁ(୨୩), ଜୟନ୍ତ ନାୟକ(୨୩) ଏବଂ ଭଇରିପାଲ୍ଲୀର ନୃପତି ନାୟକ(୨୧) । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ସେମାନଙ୍କ ପାଖରୁ ୧ ହଜାର ୯୫ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଟ୍ରକ, କାର ଏବଂ ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଥିବା ଆଇଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୧୩ ତାରିଖ ରାତି ୭ଟାରେ ଏନଏଚ-୨୬ କୋରାପୁଟ ଘାଟି ଶିବ ମନ୍ଦିର ପାଖରେ ଏକ ଗଞ୍ଜେଇ ବୋଝେଇ ଟ୍ରକ୍(ସିଜି ୦୪ ଏମଏମ୍-୩୦୯୫) ଠିଆ ହୋଇଥିବା ଓଆଇସି ଶ୍ରୀ ମହାକୁଡଙ୍କୁ ଖବର ମିଳିଥିଲା । ଏଥିସହ ଟ୍ରକ ପାଖରେ ଗୋଟିଏ କାର(ଓଡି ୧୦ କୁ୍ୟ-୭୨୧୬) ଏବଂ ୪ ଜଣ ବ୍ୟକ୍ତି ଠିଆ ହୋଇଥିବା ସୂଚନା ମିଳିଥିଲା । ଖବରକୁ ଭିତ୍ତି କରି ଏସ୍ଆଇ ନବୀନ କୁମାର ଟପ୍ପୋ, ଏଏସ୍ଆଇ ଗଣେଶ ପ୍ରସାଦ ବେହେରା, ସୁରେନ୍ଦ୍ରକୁମାର ସାମଲ ଏବଂ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ପୁଲିସକୁ ଦେଖି ସମସ୍ତେ ଦୌଡ଼ିବାକୁ ଚେଷ୍ଟା କରିଥିଲେ । ଉପରୋକ୍ତ ୩ ଜଣକୁ କାବୁ କରାଯାଇଥିବା ବେଳେ କାର ଡ୍ରାଇଭର ଫେରାର ହୋଇଯାଇଥିଲା । ଗାଡ଼ି ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ପଚରାଉଚରା ବେଳେ ଆନ୍ଧ୍ରପ୍ରଦେଶ ଆର୍କୁ ଅଞ୍ଚଳରୁ ଗଞ୍ଜେଇ ଲୋଡିଂ କରି ରାଜ୍ୟ ବାହାରକୁ ଚାଲାଣ କରିବା ଲାଗି ଅଣାଯାଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ମାଲ ଓଜନ କରାଯାଇଥିଲା । ଉଭୟ ଗାଡ଼ି ଜବତ କରାଯାଇ ଥାନାକୁ ଅଣାଯାଇଥିଲା । ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ସୂଚନାଥାଉକି, ଗତ ସାଢେ ୮ ମାସରେ ସଦର ପୁଲିସ ୨୫ଟି ଗଞ୍ଜେଇ ମାମଲା ରୁଜୁ କରିଛି । ୨୫ ଟି ମାମଲାରେ ୬୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୦ ହଜାର ୬୯୭ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ କୋଟି ୬୦ ଲକ୍ଷ ଟଙ୍କା ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons