କୋଟିପତି ଏମ୍କେସିଜି ଜୁନିଅର୍ କ୍ଲର୍କଙ୍କୁ ଧରିଲା ଭିଜିଲାନ୍ସ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ପୁଣି ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ୍ର ଆଉ ଜଣେ କର୍ମଚାରୀ । ମଙ୍ଗଳବାର ସକାଳେ ଭିଜିଲାନ୍ସ ବିଭାଗ ଏମ୍କେସିଜି ଜୁନିଅର୍ କ୍ଲର୍କ ଅଜିତ କୁମାର ସାହୁଙ୍କ ୫ଟି ଠିକଣାରେ ଏକକାଳୀନ ଚଢ଼ଉ କରିଥିଲା । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା ବେଳେ ରିପୋର୍ଟ ଲେଖାଯିବା ସୁଦ୍ଧା ମୋଟ ୧ କୋଟି ୬୭ ଲକ୍ଷ ୨୬ ହଜାର ୬୬୭ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁ ।
ମଙ୍ଗଳବାର ସକାଳୁ ସକାଳୁ ଭିଜିଲାନ୍ସର ଏକାଧିକ ଟିମ୍ ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ୍ରେ ଜୁନିଅର୍ କ୍ଲର୍କ ଭାବେ କାର୍ଯ୍ୟରତ ଅଜିତ ସାହୁଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ପଶିଥିଲେ । ତାଙ୍କର ଆମ୍ବପୁଆ ଠାରେ ଶିବପଦ୍ମା କଲୋନୀସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠାଘର (ଡୁ୍ୟପ୍ଲେକ୍ସ ହାଉସ୍ ନମ୍ବର ୮୨), ଗଜପତି ନଗର ୭ମ ଗଳିସ୍ଥିତ ତିନି ମହଳା କୋଠା, ଲାଞ୍ଜିପଲ୍ଲୀସ୍ଥିତ ରେଡ୍ଡିକା ସାହି ସ୍ଥିତ ତିନି ମହଲା ବିଶିଷ୍ଟ ପୈତୃକ ବାସଭବନ, ବଡ଼ ଡାକ୍ତରଖାନାସ୍ଥିତ ଅଫିସ୍ ରୁମ୍ ଓ ଲାଞ୍ଜିପଲ୍ଲୀସ୍ଥିତ ଚନ୍ଦନ ଟ୍ରେଡର୍ସ ନାମକ ସିମେଣ୍ଟ୍ ଗୋଦାମରେ ଖାନତଲାସ ଆରମ୍ଭ କରିଥିଲେ ଭିଜିଲାନ୍ସ ଷ୍ଟାଫ୍ । ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଠାରୁ ପ୍ରାପ୍ତ ସର୍ଚ୍ଚ ୱାରେଣ୍ଟ୍ ବଳରେ ଖାନତଲାସ କରାଯାଇ ଥିଲା । ଆମ୍ବପୁଆ ଓ ଗଜପତି ନଗର କୋଠା ଅଭିଯୁକ୍ତଙ୍କ ପତ୍ନୀ କୁନୀ ସାହୁଙ୍କ ନାମରେ ରହିଛି ।

ଭିଜିଲାନ୍ସ ଖାନତଲାସ ସମୟରେ ଆମ୍ବପୁଆ ଦ୍ୱିତଳ କୋଠା (୨୨ ଲକ୍ଷ ଟଙ୍କା), ଗଜପତିନଗର କୋଠା (୬୧ ଲକ୍ଷ ୮୭ ହଜାର ଟଙ୍କା), ଲାଞ୍ଜିପଲ୍ଲୀସ୍ଥିତ ୧୬୮୦ ବର୍ଗଫୁଟର ପୈତୃକ ଘର ସମ୍ପ୍ରସାରଣ ଓ ନବୀକରଣ (୧୨ ଲକ୍ଷ ୫୦ ହଜାର ଟଙ୍କା), ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୮ଟି ଘରବାରି ଜମି (୪୧ ଲକ୍ଷ ୩୧ ହଜାର ୭୬୧ ଟଙ୍କା), ୧୮୯ ଗ୍ରାମର ସୁନା ଅଳଙ୍କାର ସମେତ ବ୍ୟାଙ୍କ୍ରେ ଋଣ ପାଇଁ ବନ୍ଧା ପଡିଥିବା ୨୦୦ ଗ୍ରାମର ଅଳଙ୍କାର (୨ ଲକ୍ଷ ୮୫ ହଜାର ୪୦୦ ଟଙ୍କା), ବିଭିନ୍ନ ବ୍ୟାଙ୍କ୍ରେ ଜମା (୨୪,୪୦୩ ଟଙ୍କା), ନିଜର ଓ ପରିବାର ଲୋକଙ୍କ ନାମରେ ଥିବା ଏଲ୍ଆଇସି- ସାହାରା- ବଜାଜ ଆଲିଆଞ୍ଜ୍ ଆଦି ବୀମା ପଲିସି (୯ ଲକ୍ଷ ୭୪ ହଜାର ୮୭୦ ଟଙ୍କା), ନଗଦ ଟଙ୍କା (୧ ଲକ୍ଷ ୯୫ ହଜାର ୭୧୦ ଟଙ୍କା), ଆସବାବପତ୍ର (୫ ଲକ୍ଷ ୮ ହଜାର ୭୧୯ ଟଙ୍କା), ପତ୍ନୀଙ୍କ ନାମରେ ଥିବା ଓଡି୦୭ଏଲ୍-୯୩୦୦ ନମ୍ବର ବିଶିଷ୍ଟ ଏକ କାର୍ (୬ ଲକ୍ଷ ୯୧ ହଜାର ୮୦୪ ଟଙ୍କା), ସ୍ତ୍ରୀଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଓଡି୦୭କେ-୬୬୬୯ ନମ୍ବର ବିଶିଷ୍ଟ ଏନ୍ଫିଲ୍ଡ୍ ବାଇକ୍ (୨ ଲକ୍ଷ ୫ ହଜାର ଟଙ୍କା), ଅମିତ ସାହୁଙ୍କ ନାମରେ ଥିବା ଓଡି୦୭ଏଫ୍-୬୪୯୫ ନମ୍ବର ବିଶିଷ୍ଟ ବାଇକ୍ (୭୨ ହଜାର ଟଙ୍କା) ଭିଜିଲାନ୍ସ ଠାବ କରିଥିବା ଏସ୍ପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏମ୍କେସିଜିରେ କାର୍ଯ୍ୟରତ କୌଣସି କର୍ମଚାରୀ ଭିଜିଲାନ୍ସ ଜାଲରେ ଧରାପଡ଼ିବା ଏହା ହେଉଛି ଗତ ୯ ମାସ ମଧ୍ୟରେ ତୃତୀୟ ଘଟଣା । ଗତ ଜୁନ୍ ୨୨ ତାରିଖରେ ମୁଖ୍ୟ କିରାଣୀ ନୀଳକଣ୍ଠ ସାହୁ ଓ ଗତବର୍ଷ ଡିସେମ୍ବର ୧୪ରେ ଜଣେ ମହିଳା ଫାର୍ମାସିଷ୍ଟ ମେରୀ ଖାନ୍ ଲାଞ୍ଚମାଗିବା ମାମଲାରେ ଧରା ହୋଇଥିଲେ । ଖୋଦ୍ ମେଡିକାଲ କଲେଜ ହସ୍ପିଟାଲ୍ରୁ ନିକଟରେ ଅବସରଗ୍ରହଣ କରିଥିବା ସର୍ଜରୀ ବିଭାଗ ପ୍ରଫେସର୍ ଡା. ରସାନନ୍ଦ ମଙ୍ଗୁଆଳଙ୍କ ଠାରୁ ପେନ୍ସନ୍ ଓ ଜିପିଏଫ୍ ଫାଇଲ୍ କାମ କରିବାକୁ କହି ୫ ହଜାର ଟଙ୍କା ଲାଞ୍ଚମାଗିଥିଲେ ମୁଖ୍ୟ କିରାଣୀ ନୀଳକଣ୍ଠ ସାହୁ । ତେବେ ଲାଞ୍ଚଟଙ୍କା ଗ୍ରହଣ ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ସେହିପରି ନିରାମୟ ଯୋଜନାରେ ଜଣେ ପ୍ରସୂତି ଓ ତାଙ୍କ ଛୁଆଙ୍କୁ ଔଷଧ ଯୋଗାଇଦେବାକୁ ୮ଶହ ଟଙ୍କା ଲାଞ୍ଚମାଗି ଗିରଫ ହୋଇଥିଲେ ଅର୍ଥୋପେଡିକ୍ସ ବିଭାଗର ଫାର୍ମାସିଷ୍ଟ ମେରୀ ଖାନ୍ । ତା ପୂର୍ବରୁ ମଧ୍ୟ ୨୦୧୬ ଅକ୍ଟୋବର ୧ ତାରିଖରେ ଏମ୍କେସିଜିର ଜଣେ ଡାକ୍ତର ଅରୁଣ କୁମାର ଦାସ (ପେଡିଆଟ୍ରିକ୍ ସର୍ଜରୀ ସହକାରୀ ପ୍ରଫେସର୍) ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ । ନବରଙ୍ଗପୁର ଜିଲ୍ଲାର ସୁରଜ ଚୌହ୍ୱାନ ନାମକ ବ୍ୟକ୍ତିଙ୍କ ଠାରୁ ତାଙ୍କ ନବଜାତକର ଏକ ଜଟିଳ ଅସ୍ତେ୍ରାପଚାର କରାଇବାକୁ ୧୦ ହଜାର ଟଙ୍କା ଲାଞ୍ଚଗ୍ରହଣ କରୁଥିବା ବେଳେ ଧରା ହୋଇଥିଲେ ଡା. ଏ.କେ. ଦାସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons