କୋଣାର୍କ,(ବି.ବି.ନୁ୍ୟଜ୍): ବିଶ୍ୱର ଆଶ୍ଚର୍ଯ୍ୟତମ ଓଡ଼ିଆ ଭାସ୍କର୍ଯ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଶାସ୍ତ୍ରୀୟ ଓ ଲୋକନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବର ଆଜି ତୃତୀୟ ସନ୍ଧ୍ୟା ନୃତ୍ୟଶିଳ୍ପୀଙ୍କ ନୂପୁରର ଝଙ୍କାରରେ ମତୁଆଲା ହୋଇଥିଲା । ଜୀବନ୍ତ ହୋଇ ଉଠିଥିଲେ କୋଣାର୍କ ପ୍ରସ୍ତର ଗର୍ତ୍ତର ନର୍ତ୍ତକୀମାନେ । ଶୀତୁଆ ସନ୍ଧ୍ୟାରେ ଓଡ଼ିଶୀର ତ୍ରିବେଣୀ ସଙ୍ଗମ ଓ ମୋହିନୀଆତ୍ତମ ପ୍ରକୃତି ଓ ପୁରୁଷର ମିଳନ ନୃତ୍ୟର ଛନ୍ଦରେ କିଛି କ୍ଷଣ ପାଇଁ ହଜି ଯାଇଥିଲେ କଳାପ୍ରେମୀ ଦର୍ଶକ । ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ନୃତ୍ୟଶିଳ୍ପୀ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରେମଭାବ ଆଣିଥିଲା ତ୍ରିବେଣୀ ସଙ୍ଗମ । ମୋହିନୀଆତ୍ତମ ନୃତ୍ୟରେ ପ୍ରସ୍ଫୁଟିତ ହୋଇଥିଲା ପ୍ରକୃତି ଓ ପରୁଷର ମିଳନ । ଏହି ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ପ୍ରଥମ ଚରଣରେ ସ୍ୱପ୍ନାରାଣୀ ସିହ୍ନା ଓ ସାଥୀ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ । ପୁରାଣର ମହତ୍ତ୍ୱ ଓ ପ୍ରଭାବ ଅତୁଳନୀୟ । ଭାରତର ସଭ୍ୟତା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଜାଣିବାକୁ ଏହା ବିଶେଷ ସାହାଯ୍ୟ କରିଥାଏ । ବେଦର ଅଗ୍ନିମୁକ୍ତ ଆଧାରିତ ଅଗ୍ନିସ୍ତୁତି ନୃତ୍ୟରେ ପରିପ୍ରକାଶ ହୋଇଥିଲା । ପରେ ନୃତ୍ୟନାଟିକା ତ୍ରିବେଣୀ ସଙ୍ଗମରେ ପବିତ୍ର ଗଙ୍ଗା, ଯମୁନା ସରସ୍ୱତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃÂଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ମଞ୍ଚରେ ତୋଳି ଧରିଥିଲେ ନୃତ୍ୟଶିଳ୍ପୀ । ଏହା ଦର୍ଶକଙ୍କ ହୃଦୟରେ ପ୍ରେମଭାବ ଜାଗ୍ରତ କରିଥିଲା ।
ଦ୍ୱିତୀୟ ଚରଣରେ ଦିଲ୍ଲୀର ଜୟପ୍ରଭା ମେନନ ଓ ସାଥି ମଞ୍ଚକୁ ଆଣିଥିଲେ ମୋହିନୀଆତ୍ତମ ନୃତ୍ୟ । ଶ୍ରୀଜୟଦେବ କୃତ ଗୀତଗୋବିନ୍ଦର ଚର୍ଚ୍ଚିତ ଅଷ୍ଟପଦୀ ‘ଚନ୍ଦନ ଚର୍ଚ୍ଚିତ ନୀଳ କଳେବର…’ର ଉପସ୍ଥାପନା କରିଥିଲେ । ପ୍ରକୃତି ଓ ପୁରୁଷର ମିଳନରୁ ସଂଜାତ ସୃଷ୍ଟି ଜୀବନର ଆଦ୍ୟ ତତ୍ତ୍ୱକୁ ପ୍ରକାଶ କରିଆସିଛି ଓ ଏହି ଉପଲବ୍ଧି ଜୀବନ ଜିଜ୍ଞାସାର ମୂଳତତ୍ତ୍ୱ । ଏହି ତତ୍ତ୍ୱକୁ ନୃତ୍ୟଶିଳ୍ପୀମାନେ ନୃତ୍ୟରେ ପରିସ୍ଫୁଟନ କରି ଦର୍ଶକଙ୍କୁ ମନନଶୀଳ କରିଥିଲେ ।
ସନ୍ଧ୍ୟାର ଅତିଥି ଭାବେ ପ୍ରିନିସପାଲ ଏଜି ଯଶୋଧାରା ରାୟଚୌଧୁରୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ବିଜୟ ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
ଆଜି ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ସମୁଦ୍ର ଐତିହ୍ୟ, ବୋଇତ ବନ୍ଦାଣ ସମ୍ପର୍କିତ ବାଲୁକା କଳାକୃତି ଦେଖିବାକୁ କଳାପ୍ରେମୀଙ୍କ ଭିଡ଼ ଲାଗିଥିଲା । ସେହିଭଳି ହେଲିପ୍ୟାଡ୍ରେ ମୀନାବଜାର, ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଅପେରା ପାର୍ଟିରେ ଭିଡ଼ ହୋଇଥିଲା । ଅର୍ବାନ ହାଟ ପରିସରରେ ପୁସ୍ତକ ମେଳା ଆୟୋଜିତ ହୋଇଥିଲା ।
ଉତ୍ସବ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ମୃତୁ୍ୟଞ୍ଜୟ ରଥ ଓ ସାଧନା ଶ୍ରୀବାସ୍ତବ ସଂଯୋଜନା କରିଥିଲେ । ଡ. ସଂଗୀତା ଗୋସାଇଁ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜକାନ୍ତ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବୁଧବାର ନୂଆଦିଲ୍ଲୀର ରାଜା ଓ ରାଧା ରେଡି ଓ ସାଥୀଙ୍କ କୁଚିପୁଡି ନୃତ୍ୟ ଏବଂ ଭୁବନେଶ୍ୱରର ଗଜେନ୍ଦ୍ର ପଣ୍ଡା ଓ ସାଥୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ହେବ ।
Comments are closed, but trackbacks and pingbacks are open.