କୋଣାର୍କ-ପୁରୀ ବେଳାମାର୍ଗରେ ଯୁବକଙ୍କ ମୁଣ୍ଡ କାଟି ନେଲେ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନ୍ୟୁଜ୍): ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା । ଲିଆଖିଆ ପୋଲ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡ କାଟି ନେଇ ଫେରାର୍ ହୋଇଯାଇଛନ୍ତି । ଯୁବକଙ୍କ ମୁଣ୍ଡବିହୀନ ଶବକୁ କୋଣାର୍କ ଅଗ୍ନିଶମ ଅଧିକାରୀ ଉଦ୍ଧାର କରିଛନ୍ତି । ମୃତକ ହେଉଛନ୍ତି ପୁରୀ ତଳମାଳ ସାହିର ଉମାଶଙ୍କର ରାୟ ବୋଲି କୋଣାର୍କ ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥ ସୂଚନା ଦେଇଛନ୍ତି । ଯୁବକଙ୍କ ସାଙ୍ଗରେ ଥିବା ଜଣେ ଯୁବତୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମିଳିପାରିନାହିଁ ।ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଉମାଶଙ୍କର ଓ ସମ୍ପୃକ୍ତ ଯୁବତୀ ଏକ ସ୍କୁଟିରେ କୋଣାର୍କରୁ ପୁରୀ ଅଭିମୁଖେ ଆସୁଥିଲେ । ରାତି ପ୍ରାୟ ୮ଟାରେ ବେଳାମାର୍ଗ ରାସ୍ତା ଲିଆଖିଆ ବ୍ରିଜ ନିକଟରେ ଏକ ମୁଣ୍ଡବିହୀନ ଶବ ଓ ଯୁବତୀ ରାସ୍ତା ଉପରେ ପଡ଼ିଥିବା ସମ୍ପର୍କରେ କୋଣାର୍କ ଅଗ୍ନିଶମ ଅଧିକାରୀଙ୍କୁ ସୂଚନା ମିଳିଥିଲା । ଅଗ୍ନିଶମ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡବିହୀନ ଶବ ଉଦ୍ଧାର କରିଥିଲେ । ଯୁବକଙ୍କ ମୁଣ୍ଡ ମିଳି ନ ଥିଲା । ବହୁ ଖୋଜାଖୋଜି ପରେ ବି ମୁଣ୍ଡ ମିଳି ନ ଥିଲା । ଘଟଣାସ୍ଥଳରେ ଏକ ସ୍କୁଟି ଓ ଜଣେ ଯୁବତୀ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିଲେ । ତାଙ୍କର ଚେତା ନ ଥିଲା । ଅଗ୍ନିଶମ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ରାମଚଣ୍ଡୀ ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ଅଜଣା ଗାଡ଼ି ଦୁର୍ଘଟଣାରେ ଉମାଶଙ୍କର ପ୍ରାଣ ହରାଇଛନ୍ତି ବୋଲି ପୁଲିସ କହିଛି । ଗାଡ଼ି ଚାପାରେ ତାଙ୍କର ମୁଣ୍ଡ କଟିଯାଇଥିବା ପୁଲିସ କହିଛି । କିନ୍ତୁ ପାରିପାଶ୍ୱିର୍କ ଅବସ୍ଥାକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୁଣ୍ଡ ଯେପରି କଟିଛି ତାହା ଦୁର୍ଘଟଣାଜନିତ ବୋଲି ଆଦୌ ବିଶ୍ୱାସ ହେଉନାହିଁ । ମୁଣ୍ଡ କଟିଥିଲେ ହେଁ ଉମାଶଙ୍କର ଶରୀରର ଅନ୍ୟ ଅଙ୍ଗ କିଛି କ୍ଷତିଗ୍ରସ୍ତ ହୋଇନାହିଁ । ସାର୍ଟପ୍ୟାଣ୍ଟରେ ବି ରକ୍ତ ଲାଗିନାହିଁ । କୌଣସି ଦୁର୍ଘଟଣାରେ ମୁଣ୍ଡ ଗଣ୍ଡି ସମ୍ପୂର୍ଣ୍ଣ ଅଲଗା ହୋଇଯିବା ଓ ପରେ ମୁଣ୍ଡ ଗାଏବ୍ ହୋଇଯାଇଥିବାରୁ ଏହା ଏକ ହତ୍ୟା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ପୁଲିସ ଠିକ୍ ତଦନ୍ତ କଲେ ଏହାର ରହସ୍ୟ ଜଣାପଡ଼ିବ । ଉମାଶଙ୍କରଙ୍କ ପିତା ପୁଲିସ ବିଭାଗରେ କାର୍ଯ୍ୟରତ । ସେ ଅସ୍ତରଙ୍ଗ ଥାନାରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ଆହତ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଜଣାପଡ଼ିନାହିଁ । ଯୁବତୀଙ୍କ ଚିକିତ୍ସା ଚାଲିଛି । ତାଙ୍କ ଚେତା ଫେରିନାହିଁ । ଚେତା ଫେରିଲେ ସେ ଘଟଣା ସମ୍ପର୍କରେ ସବିଶେଷ କହିପାରିବେ ବୋଲି ପୁଲିସ ଅପେକ୍ଷା କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons