କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲାରେ ଆଜି ପ୍ରଥମ ଦିନରେ ୫ଟି ସ୍ଥାନରେ ଶୃଙ୍ଖଳିତ ଭାବରେ ୫୨୫ଜଣଙ୍କୁ କୋଭିଡ଼ ଟିକା ଦିଆଯାଇଛି । ଜିଲ୍ଲାରେ ୧୦୫ ପ୍ରତିଶତ କୋଭିଡ଼ ଟିକା ଦିଆଯାଇଛି । ପୂର୍ବରୁ ପ୍ରଥମ ଦିନରେ ୫ଶହ ଜଣଙ୍କୁ ଟିକା ଦେବା ପାଇଁ ସ୍ଥିିର ହୋଇଥିଲା । କେହି ଅନୁପସ୍ଥିତ ରହିବା ଆଶଙ୍କା କରାଯାଇ ପରେ ୫୨୫ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ଆଜି ସମସ୍ତ ୫୨୫ ଜଣ ଟିକା ନେଇଛନ୍ତି ବୋଲି କୋରାପୁଟ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରା କହିଛନ୍ତି । ଜିଲ୍ଲାରେ ପ୍ରଥମ କୋଭିଡ଼ ଟିକା କୋରାପୁଟ ଅର୍ବାନ ହସ୍ପିଟାଲରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା । ଅର୍ବାନ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମଚାରୀ ପଦ୍ମନ ହରିଜନଙ୍କୁ ପ୍ରଥମ ଟିକା ଦିଆଯାଇଥିଲା ।
ଟିକାକରଣ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ବେଉରା କହିଛନ୍ତି, ଆଜି ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୧୧୦ଜଣ, କୋରାପୁଟ ଅର୍ବାନ ହସ୍ପିଟାଲରେ ୧୦୦, ଜୟପୁର ଜିଲ୍ଲା ହସ୍ପିଟାଲରେ ୧୧୦, ମାଥଲାପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଓ ବୋରିଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୫ଜଣ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ଡ଼ାକ୍ତର ୩୪ଜଣ, ନର୍ସ ୫୪ଜଣ, ଫର୍ମାସିଷ୍ଟ ୧୪ଜଣ, ଏଏନଏମ୍ ୧୨ଜଣ, ସଫେଇ କର୍ମଚାରୀ ୭୮ଜଣ, ମେଡ଼ିକାଲ ସୁରକ୍ଷା କର୍ମଚାରୀ ୩୨ଜଣ ଟିକା ନେଇଥିବା ଡାକ୍ତର ବେଉରା ସୂଚନା ଦେଇଛନ୍ତି । ଜିଲ୍ଲାରେ ପ୍ରଥମ କୋଭିଡ଼ ଟିକା ଅର୍ବାନ ହସ୍ପିଟାଲ କର୍ମଚାରୀ ପଦ୍ମନଙ୍କୁ ଦିଆଯିବା ପରେ ଆଶାକର୍ମୀ ଶୁଶିଳା ଦାସ, ଅଙ୍ଗନାଡ଼ିକର୍ମୀ ଲଳିତା ସୁନାନୀଙ୍କୁ ଟିକା ପ୍ରଦାନ କରାଯାଇଥିଲା । ସୂଚନା ଥାଉ କି ଜିଲ୍ଲାକୁ ୮୩୦୦ କୋଭିଡ଼ ଡେ଼ାଜ ଆସିଥିଲା । ସେଥିରୁ ଆଜି ୫୨୫ ଡେ଼ାଜ ଦିଆଯାଇଛି । ବଳକା ଟିକା ଫେବୃଆରୀ ମାସ ପୂର୍ବରୁ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡା.ବେଉରା କହିଛନ୍ତି । ଆଜି ଟିକାନେବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା କାହାଠାରେ ଏପର୍ଯ୍ୟନ୍ତ ଦେଖା ଦେଇ ନଥିବା ସୂଚନା ମିଳିଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୨ହଜାର ୩୫୦ ଜଣ କୋଭିଡ଼ ଟିକା ନେବା ପାଇଁ ପଞ୍ଜୀକରଣ କରିଥିବା ବେଳେ ଆଜି ୫୨୫ଜଣଙ୍କୁ ଏହା ପ୍ରଦାନ କରାଯାଇଛି । ଟିକାକରଣ ସମୟରେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ ମୁଖ୍ୟଚିକିତ୍ସାଧିକାରୀ ଡା. ବେଉରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.