କୋଭିଡ ପରିଚାଳନା ଓ ଜୀବିକା ସହ ସାଲିସ୍ ହେବନି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରେ): ହୋ ହଲ୍ଲା, ହଙ୍ଗାମା ମଧ୍ୟରେ ବିଧାନସଭାରେ ରବିବାର ପାରିତ ହୋଇଛି ବ୍ୟୟ ମଞ୍ଜୁରୀ ବିଲ୍ । ଗୋଟିଏ ପଟେ ବିଜେପି ସଭ୍ୟମାନେ ‘ପରୀ’ ହତ୍ୟାକାଣ୍ଡକୁ ନେଇ ସ୍ଲୋଗାନ ଛାଡ଼ୁଥିଲେ, ଅନ୍ୟପଟେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ହେଉଥିଲା । ପାଟିତୁଣ୍ଡରେ ଅଧା ଶୁଭିଲେ, ଅଧା ଶୁଭୁନଥିଲା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଲ୍ ଆଗତ କରି କହିଲେ, ଏ ପାଣ୍ଠି ମହାମାରୀ କୋଭିଡ୍ ପରିଚାଳନା ସହ ଲୋକଙ୍କ ଜୀବିକା ଯୋଗାଇବାକୁ ବିିନଯୋଗ ହେବ । ତେଣୁ ୧୧ ହଜାର ୭ ଶହ କୋଟିର ବିନିଯୋଗ ବିଲ୍କୁ ଗୃହ ଅନୁମୋଦନ ଦେବାକୁ ସେ ସଭ୍ୟମାନଙ୍କୁ ଅନୁରୋଧ କରିଥିଲେ । ପାଟିତୁଣ୍ଡ ମଧ୍ୟରେ ଆଲୋଚନା ହୋଇ ଏ ବିଲ୍ ପାରିତ ହୋଇଥିଲା ।
ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ଆରମ୍ଭ କରି କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଲେ, ଅତିରିକ୍ତ ବଜେଟ୍ ପାଇଁ ସରକାର ପାଣ୍ଠି କେଉଁଠୁ ଆଣିବେ? ସଞ୍ଜୀବ ହୋତା କମିଶନଙ୍କ ରିପୋର୍ଟରେ ହୋଇଥିବା ସୁପାରିସକୁ ସରକାର ଗ୍ରହଣ କରୁନାହାନ୍ତି କାହିଁକି? ସବୁ ଖଣିକୁ ଠିକଣା ଭାବେ ପରିଚାଳନା କଲେ ବାର୍ଷିକ ୫୦ ହଜାର କୋଟି ଟଙ୍କା ରାଜସ୍ୱ ମିଳିବ । ଖଣିଜ ଭରା ଜମି ଉପରେ ଟିକସ ଲଗାଯାଉ । ବିଜୁବାବୁଙ୍କ ସମୟରେ ଏ ସଂପର୍କରେ ଏକ ବିଲ୍ ପାରିତ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା । ମାତ୍ର ବିଜୁଙ୍କ ନାମରେ ଗଠିତ ଦଳ ସରକାରରେ ଥାଇ ମଧ୍ୟ କିଛି ପଦକ୍ଷେପ ନେଉନି । ଖଣି ମାଲିକମାନଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଉଛି । ସେମାନଙ୍କ ସ୍ୱାର୍ଥକୁ ଜଗୁଛି । ଏପରିକି ଖଣି ମାଲିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାକୁ ସରକାର ଏକ ବିଲ୍ ଆଣିଲେ । ହାଇକୋର୍ଟ ଏହାକୁ ନାକଚ କରିବା ପରେ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । ସେଠାରେ ମାମଲା ଗଡୁଛି । ସରକାର ନୂଆ ଆଇନ ତିଆରି କରୁନାହାନ୍ତି ।
ସେହିଭଳି ୯ ଟି ଖଣିରେ ଲିଜ୍ଧାରୀମାନେ ୩୬୦୦ କୋଟି ଟଙ୍କା ଲୁଟିଛନ୍ତି । ସରକାର ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ଲୋକାୟୁକ୍ତଙ୍କ ନିକଟରେ ଏ ସଂପର୍କରେ ମାମଲା ରୁଜୁ ହୋଇଛି । ଯେଉଁଠି ଖଣି ଲିଜ୍ ଦିଆଯାଇଛି, ସେଠାରେ କମ୍ ଉତ୍ତୋଳନ ହେଉଛି ବୋଲି ଦର୍ଶାଯାଉଛି । ପରିବେଶ ଓ ପ୍ରଦୂଷଣ ଆଇନର ଉଲ୍ଲଂଘନ ହେଉଛି । ଏଠି ବିଜେପି ବନ୍ଧୁମାନେ ସିବିଆଇ ତଦନ୍ତରେ ଗୃହରେ ବାଧା ସୃଷ୍ଟି କରୁଛନ୍ତି । ମାତ୍ର ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଶାହା କମିଶନଙ୍କ ସୁପାରିସକୁ କାହିଁକି କେନ୍ଦ୍ରର ବିଜେପି ସରକାର ଗ୍ରହଣ କରିନି? ରାଜ୍ୟରେ ଆଖିବୁଜା ଜମି ଦୁର୍ନୀତି ହେଉଛି । ଏପଟେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଜିରୋ ଟଲରାନସ୍ ନୀତି କଥା କହୁଛନ୍ତି । ସରକାର ଦୁର୍ନୀତି ଗ୍ରସ୍ତ । କେବଳ କଥା ସୁନ୍ଦର, କାମ ଶୂନ । ରାଜ୍ୟରେ ଅପରାଧ ବଢ଼ି ବଢ଼ି ଚାଲିଛି । ତେଣୁ ରାଜ୍ୟ ରାଜକୋଷର ଚାବି ଏ ସରକାର ହାତରେ ଦେବାକୁ ମୁଁ ଚାହୁଁନି । ଏ ବିଲକୁ ବିରୋଧ କରୁଛି ।
‘ପରୀ’ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ସହ ସିବିଆଇ ତଦନ୍ତ ପାଇଁ ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ଆସନ ନିକଟରେ ସ୍ଲୋଗାନ ଛାଡ଼ୁଥାନ୍ତି । ଏପଟେ ବ୍ୟୟ ମଞ୍ଜୁରୀ ବିଲ୍ ସଂପର୍କରେ ଆଲୋଚନା ହେଉଥାଏ । ୧୨.୭ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମୁଲତବି ରଖିଲେ । ଅପରାହ୍ନ ଅଧିବେଶନରେ ବିଲ୍ ଆଲୋଚନାରେ ଅଂଶ ଗ୍ରହଣ କରି ଶାସକ ଦଳ ସଭ୍ୟ ଅତନୁ ସବ୍ୟସାଚୀ ନାୟକ କହିଲେ, କରୋନା ଯୋଗୁଁ ଆମ ରାଜ୍ୟରେ ଜୀବନଜୀବିକା ପ୍ରଭାବିତ ହୋଇଛି । ମାତ୍ର ଏହାର ସଫଳ ମୁକାବିଲାରେ ସରକାର ସଫଳ ହୋଇଛନ୍ତି । ଜୀବିକାର ପୁନରୁଦ୍ଧାର ପାଇଁ ଅତିରିକ୍ତ ବଜେଟରେ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ଅମର ଶତପଥୀ, ତାରା ପ୍ରସାଦ ବାହିନୀପତି, ସ୍ନେହାଙ୍ଗିନୀ ଛୁରିଆ ଓ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ବିଲ୍ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଜବାବ ରଖି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, ମହାମାରୀ କରୋନା ଆମକୁ ପ୍ରଭାବିତ କରିବା ପୂର୍ବରୁ ଚଳିତ ଆର୍ଥିକ ବର୍ଷର ମୂଳ ବଜେଟ୍ ଆଗତ ହୋଇ ସାରିଥିଲା । ଏକ ନୂଆ ଓଡ଼ିଶା ଗଠନ ପାଇଁ ବଜେଟରେ ବ୍ୟବସ୍ଥା ରହିଥିଲା । ମାତ୍ର କରୋନା ଦ୍ୱାରା ଜୀବନ ଓ ଜୀବିକା ମାଡ଼ ଖାଇଛି । ଏହାର ସୁରକ୍ଷା ପାଇଁ ବଜେଟର ପ୍ରାଥମିକତାକୁ ସଂଶୋଧନ କରାଯାଇଛି । ଆମେ ଗତ ୮ ମାସ ହେବ କରୋନାର ମୁକାବିଲା କରିଆସୁଛୁ । ଏହାର ପରିଚାଳନାରେ ଆମକୁ ସଫଳତା ମିଳିଛି । ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ପ୍ରତିÂା ସହ ସଂଗରୋଧ କେନ୍ଦ୍ର ଖୋଲିବା ଓ ପ୍ରବାସୀଙ୍କୁ ଫେରାଇ ଆଣିବାରେ ସରକାର ଦକ୍ଷତାର ସହ କାମ କରିଛନ୍ତି । ଆମ ପରିଚାଳନା ମଡେଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭୂୟସୀ ପ୍ରଶଂସା କରିଛି । ତେବେ ଆମକୁ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଅଭିଯାନ ଜାରି ରଖିବାକୁ ହେବ ।
କରୋନାକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟରେ ସ୍ୱାସ୍ଥ୍ୟ, ଖାଦ୍ୟ, ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ଉପରେ ଫୋକସ୍ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ପ୍ୟାକେଜ୍, କୋଭିଡ ଯୋଦ୍ଧାଙ୍କୁ ବିଶେଷ ସହାୟତା, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଏମ୍ଏସ୍ଏମ୍ଇ ଓ ମିଶନ ଶକ୍ତି ଆଦି ବିଭାଗକୁ ପାଣ୍ଠି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୧୬୨୭ କୋଟି, ପଞ୍ଚାୟତିରାଜକୁ ୨୦୪୧ କୋଟି, ଖାଦ୍ୟ ଓ ଯୋଗାଣକୁ ୧୦୭୭ କୋଟି ବରାଦ କରାଯାଇଛି । ସ୍ୱାସ୍ଥ୍ୟ ଅନୁÂାନ ଭିତ୍ତିଭୂମି ସଜାଡ଼ିବାକୁ ୧୦୦ କୋଟି, ଆନୁଷଙ୍ଗିକ ସେବାକୁ ୪୦୯ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ଔଷଧ କିଣା ସହ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୪୧୨ କୋଟି ବ୍ୟବସ୍ଥା କରାଯାଇଛି । ମନରେଗାକୁ ୫୦୦ ଏବଂ ଗ୍ରାମୀଣ ଗୃହ ନିର୍ମାଣକୁ ୧୫୧୪ କୋଟି ବରାଦ ହୋଇଛି ।
କରୋନା ସହାୟତା ପାଇଁ ଘର ପିଛା ୧ ହଜାର ଟଙ୍କା, ଟଙ୍କିକିଆ ଚାଉଳ ପାଇଁ ୧୦୬୭ କୋଟି ପାଣ୍ଠି ସରକାର ବ୍ୟବସ୍ଥା କରିଛନ୍ତି । ସେହିଭଳି ଓଡ଼ିଶା ରାଜ୍ୟ ରାଜପଥ ବିକାଶ ପ୍ରକଳ୍ପକୁ ୧୫୦ କୋଟି, ପୁଞ୍ଜି ବ୍ୟୟ ପାଇଁ ବିଶେଷ ସହାୟତା ବାବଦକୁ ୪୫୦ କୋଟି ବରାଦ ହୋଇଛି । କଂଗ୍ରେସ ବିଧାୟକ ଦଳର ନେତା ୯ଟି ଖଣିରେ ବେଆଇନ ଉତ୍ତୋଳନ ସଂପର୍କରେ ଅଭିଯୋଗ କରିଛନ୍ତି । ଏ ମାମଲା ଲୋକାୟୁକ୍ତଙ୍କ ନିକଟରେ ବିଚାରାଧୀନ ଅଛି । ସରକାର ନିଜ ପକ୍ଷ ରଖି ସାରିଛନ୍ତି । ଲୋକାୟୁକ୍ତଙ୍କ ଆଦେଶକୁ ସରକାର ଅପେକ୍ଷା କରିଛନ୍ତି । ତେବେ ଏ ସଂପର୍କରେ ପଦକ୍ଷେପ ନେବାକୁ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀଙ୍କୁ ଅନୁରୋଧ କରିବି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ।
ସେ କହିଲେ, ସମ୍ବଳ ସଂଗ୍ରହ ନେଇ କିଛି ସଭ୍ୟ ସନେ୍ଦହ ପ୍ରକାଶ କରିଛନ୍ତି । ତେବେ ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ ଗତବର୍ଷ ସେପ୍ଟେମ୍ବର ତୁଳନାରେ ୧.୭% ବଢ଼ିଛି । ଆମେ ବକେୟା ରାଜସ୍ୱ ଆଦାୟ ଓ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛୁ । ସେପ୍ଟେମ୍ବର ସୁଦ୍ଧା ରାଜସ୍ୱ ବଳକା ୬,୭୯୦ କୋଟି ଟଙ୍କା । ରାଜ୍ୟର ଋଣ ଭାର ମଧ୍ୟ ସୀମାରେଖାର ବହୁତ ତଳେ ରହିଛି । ଆମର ଋଣ ଭାର ୯୭ ହଜାର ୮୨୩ କୋଟି ଟଙ୍କା ଯାହାକି ରାଜ୍ୟର ସାମଗ୍ରୀକ ଘରୋଇ ଉପôାଦର ୧୬.୪ଧ ଅଟେ । ମାତ୍ର ଆର୍ଥିକ ବ୍ୟବସ୍ଥା ଉପରେ କରୋନା ପ୍ରଭାବ ସତ୍ତେ୍ୱ ଜନସାଧାରଣଙ୍କ ଜୀବନ ଓ ଜୀବିକା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମେ ଏ ବାବଦରେ କୌଣସି ସାଲିସ ନକରି ପାଣ୍ଠି ଖର୍ଚ୍ଚ କରିବାକୁ ଅତିରିକ୍ତ ବଜେଟରେ ବ୍ୟବସ୍ଥା କରିଛୁ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଏହାପରେ ମୌଖିକ ଭୋଟରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons