କୋରାପୁଟରେ କଡ଼ ଲେଉଟାଉଛି କଂଗ୍ରେସ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଆଗକୁ ପୌର ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତା ପୂର୍ବରୁ କୋରାପୁଟରେ କଡ଼ ଲେଉଟାଉଛି କଂଗ୍ରେସ ରାଜନୀତି । ଦଳ ଛାଡ଼ି କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଆଜି ଶଙ୍ଖ ଫୁଙ୍କିଛନ୍ତି । ଶତାଧିକ କର୍ମୀଙ୍କ ସହ ଭୁବନେଶ୍ୱରରେ ବହୁ ବରିÂ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଚନ୍ଦ୍ରଙ୍କ ପରେ କୋଟପାଡ଼ରେ କିଏ ଧରିବ କଂଗ୍ରେସର ମଙ୍ଗ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ବିଜେଡି ପକ୍ଷରୁ ଏବେ ଆରମ୍ଭ ହୋଇଛି ମିଶନ-୨୦୨୪ । ସାଧାରଣ ନିର୍ବାଚନ ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ବିଭିନ୍ନ ଦଳ ସେମିଫାଇନାଲ ଭାବେ ଗ୍ରହଣ କରିଥାନ୍ତି । ତେବେ ଜିଲ୍ଲାରେ କଂଗ୍ରେସ ରାଜନୀତି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ନିକଟରେ କଂଗ୍ରେସ ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିଲା । ପିସିସି ସଭାପତି ଏବଂ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବିରୋଧରେ ବିଷୋଦଗାର କରିଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଫଳରେ ଜିଲ୍ଲାର କଂଗ୍ରସ ରାଜନୀତି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଦଳ ଭିତରେ ଏକପ୍ରକାର ଅସନ୍ତୋଷ ଲାଗି ରହିଥିଲା । ଏଭଳି ସ୍ଥିତିରେ ଜିଲ୍ଲାର ଜଣେ ବରିÂ ନେତା ତଥା କୋଟପାଡ଼ର ପୂର୍ବତନ ବିଧାୟକ ଶ୍ରୀ ମାଝୀ ଦଳ ଛାଡ଼ି ବିଜେଡିରେ ସାମିଲ ହେବା କଂଗ୍ରେସ ଉପରେ ପ୍ରଭାବ ପକାଇବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।
ଚନ୍ଦ୍ରଶେଖର ‘ହାତ’କୁ ବାୟ ବାୟ କରିବା ପରେ କୋଟପାଡ଼ରେ କଂଗ୍ରେସ ସ୍ଥିତି ଦୋହଲିଛି । ଶତାଧିକ କର୍ମୀଙ୍କ ସହିତ ବହୁ ତୃଣମୂଳ ନେତା ଦଳ ଛାଡ଼ିଛନ୍ତି । ପୂର୍ବରୁ କୋଟପାଡ଼ ନିର୍ବାଚନମଣ୍ଡଳୀ କଂଗ୍ରେସର ଦୁର୍ଗଭାବେ ପରିଚିତ ଥିଲା । ଚନ୍ଦ୍ରଶେଖରଙ୍କ ଭାଇ ବାସୁଦେବ ମାଝୀ କୋଟପାଡ଼ ବିଧାନସଭା ଆସନରୁ ୮ଥର କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ନିୟମିତ ବିଜୟଲାଭ କରି ଏହାକୁ ଏକ ସୁରକ୍ଷିତ ଦୁର୍ଗ ଭାବେ ଠିଆ କରାଇଥିଲା । ହେଲେ ଗତ ସାଧାରଣ ନିର୍ବାଚରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖରିଙ୍କୁ ହରାଇବାରେ ସମର୍ଥ ହୋଇଥିଲେ ବିଜେଡିର ପଦ୍ମିନୀ ଦିଆନ । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଜେଡି ଏହି ନିର୍ବାଚମଣ୍ଡଳୀରେ କୌଣସି ମତେ ଆଉ ପଛକୁ ଫେରିବାକୁ ଚାହୁଁନି । ଦଳକୁ ଅଧିକ ସୁରକ୍ଷିତ ରଖିବା ଲାଗି ଉଦ୍ୟମ ଜାରି ରଖିଛି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଚନ୍ଦ୍ରଙ୍କୁ ବିଜେଡିକୁ ଆଣିବା ପାଇଁ ଦଳ ଯେଉଁ ଗୋଟି ଚଳାଇଥିଲା, ସେଥିରେ ଏବେ ସଫଳ ହୋଇଛି ।
ଆଜି ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଚନ୍ଦ୍ରଶେଖର କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଦେଓ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ସାଂସଦ ସୁବାସ ସିଂ, ମନ୍ତ୍ରୀ ପଦ୍ମିନୀ ଦିଆନ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ମାନସ ମଙ୍ଗରାଜ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖର ବିଜେଡିରେ ସାମିଲ ହୋଇଥିଲେ । ଚନ୍ଦ୍ରଙ୍କ ପରେ ଆଉ କେତେକ କଂଗ୍ରେସ ନେତା ଦଳ ଛାଡ଼ିବାର ସମ୍ଭାବନା ରହିଛି । ଏମିତିକି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା କଂଗ୍ରେସର ଟାଣୁଆ ଯୁବ ସଙ୍ଗଠକ ପ୍ରଦୀପ ମାଝୀ ହାତ ଛାଡ଼ି ଶଙ୍ଖ ଧରିବେ ବୋଲି ଗତ କିଛିିଦିନ ହେଲା ଚର୍ଚ୍ଚା ଲାଗି ରହିଛି । ଯଦିଓ ଏଭଳି ଚର୍ଚ୍ଚାକୁ ପ୍ରଦୀପ ଅସ୍ୱୀକାର କରି ଆସୁଛନ୍ତି । ତେବେ ରାଜନୀତି ପଣ୍ଡିତମାନେ ଅଙ୍କ କଷୁଛନ୍ତି ଯେ, ଏକ ବଡ଼ ଧରଣର ଡିଲ୍ ପରେ ପ୍ରଦୀପ ଶଙ୍ଖ ଧରିପାରନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons