କୋରାପୁଟରେ ପ୍ରଥମ କରୋନା ରୋଗୀ ଚିହ୍ନଟ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଯାହା ଅନୁମାନ କରାଯାଉଥିଲା, ଶେଷରେ ତାହାହିଁ ହେଲା । ମହଙ୍ଗା ପଡ଼ିଲା ପଶ୍ଚିମବଙ୍ଗ ଲିଙ୍କ୍ । ଗ୍ରୀନ୍ ଜୋନ୍ରେ ଥିବା କୋରାପୁଟ ଜିଲ୍ଲାରେ ଚିହ୍ନଟ ହେଲା ପ୍ରଥମ କରୋନା ପଜିଟିଭ୍ । ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତ ଅଞ୍ଚଳରେ ଏହା ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳର ୩କିମି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର । ତା ସହିତ ୭ କିମି ପରିଧିକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ଥିବା ପ୍ରତି ପରିବାର ସଦସ୍ୟଙ୍କ ସ୍ୱାବ ସଂଗ୍ରହ ପାଇଁ ନିଦେ୍ର୍ଧଶ ଦିଆଯାଇଛି । କରୋନା ଚିହ୍ନଟ ପରେ ଆଦିବାସୀ ଅଧୁ୍ୟଷିତ ଏହି ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆଦିବାସୀମାନେ ସାଧାରଣତଃ ଗୋÂୀଜୀବନ ବିତାଉଥିବାରୁ, ଆଗାମୀ ଦିନରେ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨୨ ବର୍ଷର ଯୁବକ ଜଣଙ୍କ ଜଣେ ସ୍ୱାସ୍ଥ୍ୟ କର୍ମୀ । ମିଳିଥିବା ସୂଚନା ଅନୁଯାୟୀ, କିଛିମାସ ହେଲା ସେ କୋଲକାତାର ଏକ ଘରୋଇ କମ୍ପାନିରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ । ନିକଟରେ ଓଡିÿଶା ସରକାର କୋଭିଡ୍-୧୯ ହସ୍ପିଟାଲ୍ ପାଇଁ କର୍ମଚାରୀ ଆବଶ୍ୟକ ବୋଲି ବିଜ୍ଞପ୍ତି ଜାରି କରିଥିଲେ । ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଆବେଦନ କରିଥିଲେ । ଏମିତିକି ସେ ମନୋନୀତ ହୋଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଏହାପରେ ତାଙ୍କୁ କୋଲକାତାରୁ ଆଣିବା ଲାଗି ୨ ସମ୍ପର୍କୀୟ ଭାଇ ଏକ କାର୍ ନେଇ ସେଠାକୁ ଯାଇଥିଲେ । ଗତ ୧୪ ତାରିଖ ସନ୍ଧ୍ୟାରେ ବଡବାପା ଓ ମାମୁ ପୁଅ ଦୁଇ ଭାଇ ସହ ଘରକୁ ଫେରିଥିଲେ ଯୁବକ ଜଣଙ୍କ । ରାତି ୧୨ଟା ପର୍ଯ୍ୟନ୍ତ ନିଜ ପରିବାର ସହ ରହିଥିଲେ । ପରିବାର କହିଲେ, ବାପାମାଆ ଓ ୩ ଭଉଣୀ । ଏହି ଖବର ପ୍ରଶାସନ ପାଖରେ ପହଞ୍ଚିବା ପରେ ବିଳମ୍ବିତ ରାତିରେ ହିଁ ୨ ସମ୍ପର୍କୀୟ ଭାଇ ସହ ସଂପୃକ୍ତ ଯୁବକ ଜଣଙ୍କୁ ପୋଡାଗଡରେ ଥିବା ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଭୁବନେଶ୍ୱରର ଆର୍ଏମ୍ଆର୍ସିକୁ ପଠାଯାଇଥିଲା । ପରୀକ୍ଷା ପରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରୁଥିବା ଯୁବକଙ୍କଠାରେ କରୋନା ପଜିଟିଭ୍ ରହିଥିବା ଜଣାପଡ଼ିଥିଲା ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମକରନ୍ଦ ବେଉରା କହିଛନ୍ତି, କରୋନା ରୋଗୀ ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କ ଗସ୍ତ ସମ୍ପର୍କିତ ଦସ୍ତାବିଜ ସଂଗ୍ରହ କରାଯାଉଛି । ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରୁଛି । ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଲକାତାରୁ ଆଣିଥିବା ସମ୍ପର୍କୀୟ ଦୁଇଭାଇଙ୍କ ସ୍ୱାବ ରିପୋର୍ଟ ଏ ପର୍ଯ୍ୟନ୍ତ ମିଳିନାହିଁ । ସେମାନଙ୍କ ରିପୋର୍ଟ ସହ ତଦନ୍ତ ଟିମ୍ର ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି, ପୋଡ଼ାଗଡ଼ ଅଞ୍ଚଳରେ ଜିଲ୍ଲାର ପ୍ରଥମ ରୋଗୀ ଚିହ୍ନଟ ପରେ ଏହି ଅଞ୍ଚଳରେ କଟକଣାକୁ ବଢ଼ାଇ ଦିଆଯାଇଛି । ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ପୋଡ଼ଗଡ଼ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥକୁ ଖୋଲା ରଖାଯିବ । କଣ୍ଟେନମେଣ୍ଟ ଘୋଷିତ ୩ କିମି ଅଞ୍ଚଳରେ ଥିବା ପ୍ରତ୍ୟେକ ପରିବାର ସଦସ୍ୟଙ୍କ ସ୍ୱାବ ସଂଗ୍ରହ କରାଯିବ । ସେମାନେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରାଯିବ ।
ସୂଚନା ଥାଉକି, ନିକଟରେ ପଶ୍ଚିମବଙ୍ଗକୁ କୋରାପୁଟ ଜିଲ୍ଲାରୁ ୪୩ଜଣ ଯିବା ଆସିବା କରିଥିଲେ । ରାଜ୍ୟ ସରକାର ଏହି ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଥିଲେ । ସେମାନଙ୍କୁ ତୁରନ୍ତ ଠାବ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ କ୍ୱାରେଣ୍ଟାଇନ୍ରେ ରଖିବା ଲାଗି ପରାମର୍ଶ ଦେଇଥିଲେ । ମୋଟ ୪୩ଜଣଙ୍କ ମଧ୍ୟରୁ ଏ ଭିତରେ ପ୍ରଶାସନ ମାତ୍ର ୨୧ଜଣଙ୍କୁ ଠାବ କରିଛି । ଅନ୍ୟ ୨୨ଜଣଙ୍କ ଏ ପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ସରକାର ଯେଉଁ ୪୩ ଜଣଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରଶାସନକୁ ଦେଇଥିଲେ, ତାହା କେବଳ ସେମାନଙ୍କ ବିଏସ୍ଏନ୍ଏଲ୍ ମୋବାଇଲ୍ ଟ୍ରାକିଂରୁ ଜଣାପଡିଥିଲା ।
ଉଲ୍ଲେଖଥାଉକି, ଦୀର୍ଘ ୧ ମାସ ଧରି ଅବିଭକ୍ତ କୋରାପୁଟ ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିଥିଲା । ଏହାକୁ ଆଖିରେ ରଖି ୨୬ ତାରିଖରୁ ଜିଲ୍ଲା ପ୍ରଶାସନ ଲକ୍ଡାଉନ୍ କଟକଣାକୁ ଅଧିକ କୋହଳ କରି ଦେଇଛି । ସହରର ଅଧିକାଂଶ ଦୋକାନ ବଜାର ଖୋଲା ରହିଛି । ସହରରେ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି । ଆଗଭଳି ଆଉ ସେତେଟା କଟକଣା ପରିଲକ୍ଷିତ ହେଉନାହିଁ । ଲୋକେ ସାମାଜିକ ଦୂରତା ମାନୁନାହାନ୍ତି କିମ୍ବା କରୋନା ନୀତିନିୟମ ଭିତରେ ପରିଚାଳିତ ହେଉନାହାନ୍ତି । କୋରାପୁଟ ସଦର ମହକୁମାରୁ ମାତ୍ର ୨୦ କିଲୋମିଟର ଦୂରରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ଏବେ ଅଧିକ ସତର୍କ ହେବାର ବେଳ ଆସିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ତା’ ସହିତ ପଶ୍ଚିମବଙ୍ଗ ଲିଙ୍କରେ ଥିବା ଅନ୍ୟମାନଙ୍କୁ ତୁରନ୍ତ ଠାବ କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଲାଗି ଦାବି ହୋଇଛି । ଯେଉଁମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଚିହ୍ନଟ ପାଇଁ ଯାଇଛି, ଅବିଳମ୍ବେ ସେଗୁଡିକର ରିପୋର୍ଟ ସଂଗ୍ରହ ପାଇଁ ମଧ୍ୟ ଦାବି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons