କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟରେ ବର୍ଷା ବିତ୍ପାତ ଜାରି ରହିଛି । ଗତ ତିନିଦିନ ହେଲା ଜିଲ୍ଲାରେ ଲଗାଣବର୍ଷା ଯୋଗୁ ୧୧୮ଟି ଘର ଭାଙ୍ଗିଛି । ଗତ ୩ ତାରିଖରେ ୬୩ଟି ଘର ଭାଙ୍ଗିଥିବା ବେଳେ ୪ ତାରିଖରେ ୨୭ ଓ ୫ ତାରିଖରେ ୨୫ଟି ଘର ଜିଲ୍ଲାରେ ଭାଙ୍ଗିଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଇନ୍ଦ୍ରାବତୀରୁ ୪ଟି ଗେଟ୍ ଖୋଲାଯିବା ପରେ କୋଟପାଡ଼ରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । କୋଟପାଡ଼ ତଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ମାଇକ୍ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଯାଇଛି ।
ବନ୍ୟା କ୍ଷୟକ୍ଷତି ଆଶଙ୍କାକୁ ଟାଳିବା ପାଇଁ ପ୍ରଶାସନ ପକ୍ଷରୁ ଆଜି ସକାଳେ କୋଟପାଡ ତଳିଆ ଅଞ୍ଚଳ ସଡ଼ରଙ୍ଗା, ଢ଼ମଣାହାଣ୍ଡି, ସୁତିପଦର, ବରଣ୍ଡି, ସିରିସି, ବେଲଗାଁ, ପୁରୁଣା ସୁତିପଦର, ମାଝୀଗୁଡ଼ା, ପରିଞ୍ଜି, ବିକ୍ରମପୁର, ସୁର୍ଲି ଗ୍ରାମବାସୀଙ୍କୁ ସତର୍କ କରାଯାଇଛି । ନଦୀକୂଳିଆ ଗାଁର ଲୋକମାନେ ଗଭୀରନଦୀକୁ ନଯିବା ସହିତ ଗୋରୁଗାଈ ବାହାରକୁ ନଛାଡ଼ିବା ପାଇଁ ମାଇକ୍ ଦ୍ୱାରା ପ୍ରଚାର କରାଯାଇଥିଲା । ଆବଶ୍ୟକ ପଡ଼ିଲେ ଏସବୁ ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ କହିଛି । ଏବେ ସୁଦ୍ଧା ସେଭଳି ପରିସ୍ଥିତି ଉପୁଜି ନଥିବା ବେଳେ ବନ୍ୟା ସ୍ଥିତି ଉପରେ ଦୃଷ୍ଟି ରଖାଯାଇଥଛିବା ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ଲଗାଣବର୍ଷା ଫଳରେ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । କୋଲାବ, ଜଲାପୁଟ, ମୁରାନ ଓ ତେଲିଙ୍ଗିରି ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ଘଟିଛି । ଜଳଭଣ୍ଡାର ଜଳପତ୍ତନ ବୃଦ୍ଧି ହେବା ଯୋଗୁ ଆଜି ଜଲାପୁଟ ଜଳଭଣ୍ଡାରର ୪ଟି ଗେଟ୍କୁ ଖୋଲାଯାଇଛି । ସେହିଭଳି ଇନ୍ଦ୍ରାବତୀର ୪ଟି ଗେଟ୍ ଏବଂ ତେଲିଙ୍ଗିରି ଡ଼୍ୟାମର ୨ଟି ଗେଟ୍ ଖୋଲାଯାଇଛି ।
Comments are closed, but trackbacks and pingbacks are open.