କୋରାପୁଟ ବିଜେପି ଦି’ଫାଳ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ଦୁଇ ଫାଳ ହୋଇଛି କୋରାପୁଟ ଜିଲ୍ଲାର ବିଜେପି ସଂଗଠନ । ଅସନ୍ତୋଷ କର୍ମୀଙ୍କୁ ମନେଇବାରେ ବିଫଳ ହୋଇଛନ୍ତି ଜିଲ୍ଲାସ୍ତରୀୟ କର୍ମକର୍ତ୍ତା । ଦଳରେ ଥିବା ଫାଟ ପୁଣିଥରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । କଥାରେ ଅଛି ଅଣ୍ଟି ନିଆଁକୁ ଘୋଡେଇବା ଲାଗି ଯେତେ ଚେଷ୍ଟା କଲେ ବି ତାହା ଘୋଡେଇ ହୁଏନା । ଓଲଟା ଅଣ୍ଟି ଜଳିଯାଏ । ତାହା ହିଁ ଏବେ ଦେଖିବାକୁ ମିଳୁଛି ବିଜେପିରେ ।
୧୮ ତାରିଖ, ଶୁକ୍ରବାର । ଗୋଟିଏ ପଟେ ଶକ୍ତି ପ୍ରଦର୍ଶନ ଲାଗି ଏଠାରେ ବିଶାଳ ଚାଷୀ ସମାବେଶ ଲାଗି ସାମ୍ବାଦିକ ସମ୍ମିଳନୀ କରୁଥିଲେ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ । ଠିକ୍ ସେହି ସମୟରେ ଦଳର ଅସନ୍ତୋଷ ଗୋÂୀ ନନ୍ଦପୁର ବ୍ଲକର ରାଣୀଡୁଡୁମାରେ ବନ୍ଧୁମିଳନର ଆୟୋଜନ କରିଥିଲେ । ଭୋଜିଭାତରେ ଜମିଥିଲା ଆସର । ଏଥିରେ ସାମିଲ ହୋଇଥିଲେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ୨ ଶହରୁ ଅଧିକ ଦଳୀୟ କର୍ମୀ । ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଏହି ବନ୍ଧୁମିଳନରେ ଉପସ୍ଥିତ ଥିଲେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିଜୟ ମିଶ୍ର, ପଟ୍ଟାଙ୍ଗି ବିଧାନସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗି, ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ଲଳିତ ଅଗ୍ରୱାଲ, ପୂର୍ବତନ ଜିଲ୍ଲା ଉପସଭାପତି ଅକ୍ଷୟ ସାହୁ, ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଂପାଦକ ସୁଜିତ ପାଣି, ପୂର୍ବତନ ଜିଲ୍ଲା ସଂପାଦକ ମୋହନ ଦୋରା, ଜିଲ୍ଲା ଯୁବମୋର୍ଚ୍ଚା ପୂର୍ବତନ ସଭାପତି ଶୁଭେନ୍ଦୁ ବ୍ରହ୍ମା, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତ୍ରିନାଥ ରାଓ ଏବଂ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ବାହିନୀପତି ଏବଂ ସୁଧାଂଶୁ ଜେନା ପ୍ରମୁଖ କର୍ମକର୍ତ୍ତା । ଦଳରେ ସେମାନଙ୍କୁ ଅଣଦେଖା କରାଯାଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିରେ ସାମିଲ ହୋଇଥିବା କେତେକ ନେତା କହିଛନ୍ତି, ସେମାନଙ୍କୁ ଅଣଦେଖା ସତ୍ତେ୍ୱ ଦଳ ପାଇଁ କାମ କରିଆସୁଛନ୍ତି ଏବଂ ଆଗାମୀ ଦିନରେ କରିବେ ମଧ୍ୟ । କିନ୍ତୁ ଜିଲ୍ଲା ସଭାପତି ଏବଂ ଅନ୍ୟ ନେତାଙ୍କ କାର୍ଯ୍ୟକଳାପ ସଂପର୍କରେ ସେମାନେ ରାଜ୍ୟସ୍ତରୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବେ । ଏଥିଲାଗି ଭୁବନେଶ୍ୱର ଯିବା ଲାଗି ୨ ଶହ କର୍ମକର୍ତ୍ତା ରାଜି ଥିବା ସେମାନେ କହିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି, ଜିଲ୍ଲାରେ ବିଜେପିରେ ସୃଷ୍ଟି ହୋଇଛି ବିରାଟ ଫାଟ । ଦୁଇଫାଳ ହୋଇଯାଇଛି ଦଳ । ଆୟୋଜିତ ବନ୍ଧୁମିଳନରେ ପଟ୍ଟାଙ୍ଗି ଅଞ୍ଚଳର ବିଜେପି ନେତା ଉପସ୍ଥିତ ଥିବାରୁ ଏହା ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ମଧ୍ୟ ଅଡୁଆରେ ପକାଇପାରେ ।
ଗୋଟିଏ ପଟେ କୃଷି ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଇବା ଲାଗି ୫ଟି ଜିଲ୍ଲାର ଚାଷୀଙ୍କୁ ନେଇ ଜୟପୁରରେ ସମାବେଶ କରିବା ଲାଗି ଏଠାରେ ଚାଲିଥିଲା ଦଳର ସାମ୍ବାଦିକ ସମ୍ମିଳନୀ । ଏଥିରେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନଙ୍କ ସହ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ । ଚାଷୀ ସମାବେଶ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଉଥିଲେ । ତେଣେ ଦଳୀୟ ନେତାଙ୍କ କାର୍ଯ୍ୟକଳାପକୁ ବିରୋଧ କରି ରାଣୀଡୁଡୁମାରେ ଚାଲିଥିଲା ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କ ସମାନ୍ତରାଳ ସମାବେଶ । ରାଜନୀତି ବିଶେଷଜ୍ଞଙ୍କ ମତରେ ଏହା ବିଜେପି ପାଇଁ ଆଦୌ ଶୁଭଙ୍କର ନୁହେଁ । ଦଳରେ ସୃଷ୍ଟି ହୋଇଥିବା ଫାଟକୁ ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ଏହା ଘଳିଆ ପରିସ୍ଥିିତି ସୃଷ୍ଟି କରିପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons