କୋଲାବ ବିସ୍ଥାପିତ ଏବେ ସଫଳ ଚାଷୀ:ହାର ମାନି ନାହାନ୍ତି ହରି

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ବ୍ଲକ ଉମୁରୀ ପଞ୍ଚାୟତ କେରଙ୍ଗାମାଳିଗୁଡ଼ା ଗାଁର ହରି ମାଳି । ଜୀବନରେ ବିସ୍ଥାପନ ଦୁଃଖ ଭୋଗିଛନ୍ତି କିନ୍ତୁ ହାରି ଯାଇ ନାହାନ୍ତି । କୋଲାବ ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ିଥିଲେ । ଗାଁ ଜଳଭଣ୍ଡାରରେ ଜମି ଓ ଘର ବୁଡିÿଯିବା ପରେ ଲିଟିମାଳିଗୁଡ଼ାରେ ସେ ସମନ୍ୱିତ ଚାଷକରି ଏବେ ଚର୍ଚ୍ଚାରେ ରହିଛନ୍ତି । ୭୦ବର୍ଷ ବୟସରେ ମଧ୍ୟ ସେ ଚାଷ କରି ଅଞ୍ଚଳରେ ସୁନାମ ପାଇପାରିଛନ୍ତି । ବିସ୍ଥାପନ କଷ୍ଟକୁ ଅଙ୍ଗେ ନିଭାଇଥିବା ହରି ଭାଙ୍ଗି ନପଡ଼ି ଚାଷବାସ କରି ନିଜ ଉଦ୍ୟମରେ ଆଗକୁ ବଢ଼ିପାରିଛନ୍ତି । ଉତ୍ପାଦିତ ସାମଗ୍ରୀ କୋରାପୁଟ ହାଟ ଓ ବଜାରରେ ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଜଣେ ସଫଳ ଚାଷୀଭାବେ ଅନ୍ୟମାନଙ୍କ ପାଇଁ ଉଦହରଣ ପାଲଟିଛନ୍ତି ।
ହରି ନିଜର ଚାଷବାସ ସମ୍ପର୍କରେ କହିଛନ୍ତି ଯେ, ତାଙ୍କୁ ୪୦ ବର୍ଷ ହୋଇଥିବା ବେଳେ କୋଲାବ ଜଳଭଣ୍ଡାର ଯୋଗୁଁ ବିସ୍ଥାପିତ ହୋଇଥିଲେ । ଜଳଭଣ୍ଡାରରେ ତାଙ୍କ ଭିଟାମାଟି ସହିତ ଚାଷଜମି ବୁଡ଼ଯାଇଥିଲା । ମେରଙ୍ଗାମାଳିଗୁଡ଼ା ଗାଁରେ ତାଙ୍କ ବାପା ଜଗନ୍ନାଥ ମାଳିଙ୍କ ୨୦ଏକର ଜମି ରହିଥିଲା । ବିସ୍ଥାପିତ ହେବାପରେ କ୍ଷତିପୂରଣ ବାବାଦକୁ ମିଳିଥିଲା ମାତ୍ର ୨୪ ହଜାର ଟଙ୍କା । ତାଙ୍କ ପରିବାରରେ ତାଙ୍କୁ ମିଶାଇ ଥିଲେ ୪ଭାଇ । ମିଳିଥିବା ଟଙ୍କାକୁ ସମସ୍ତଙ୍କ ମଧ୍ୟରେ ଭାଗବାଣ୍ଟା ହୋଇଥିଲା । ପ୍ରତ୍ୟେକଙ୍କୁ ୬ ହଜାର ଟଙ୍କା ଲେଖାଏଁ ମିଳିଥିଲା । ଗାଁ ଓ ଚାଷ ଜମି ବୁଡ଼ିବା ପରେ ହରି ତାଙ୍କ ଶ୍ୱଶୁର ଘର କୋରାପୁଟ ବ୍ଲକ ଲିଟିମାଳିଗୁଡ଼ା ଗାଁକୁ ଚାଲି ଆସିଥିଲେ । ତାଙ୍କ ବଡ଼ଭାଇ ଗୋବର୍ଦ୍ଧନ ରାମଗିରିରେ ଓ ଅନ୍ୟ ଦୁଇ ଭାଇ ଜୟପୁର ବ୍ଲକ ଗଡ଼ପଦରରେ ଜଣେ ଓ ବାରିଣୀପୁଟରେ ଜଣେ ରହିଗଲେ । ଗାଁ ବୁଡ଼ିଯିବା ପରେ ଚାରି ଭାଇ ୪ଟି ଗାଁରେ ଯାଇ ବସବାସ କଲେ ।
ଭିଟାମାଟି ଛାଡ଼ି ଲିଟିମାଳିଗୁଡ଼ା ଯିବା ପରେ ଶ୍ୱଶୁରଘର ଲୋକେ ତାଙ୍କୁ ଦେଇଥିଲେ ମାତ୍ର ୨୫ ସେଣ୍ଟ ଜମି । ସେହି ଜମିରେ ସେ ତାଙ୍କ ଭାଗ୍ୟ ପରୀକ୍ଷା କରିଥିଲେ । ପେଟ ପୋଷିବାକୁ ବିଭିନ୍ନ ପନିପରିବା ମିଶ୍ରିତ ଚାଷ ଆରମ୍ଭ କଲେ । ଚାଷରୁ ଦୁଇ ପଇସା ରଖିବା ପରେ ସେହି ଗାଁରେ ଅଧଏକର ଜମି କିଣିବା ସହିତ ୨ ଏକର ଜମି ବନ୍ଧା ରଖିଥିଲେ । ଏହି ଜମିରେ ବିଭିନ୍ନ ମିଶ୍ରିତ ଚାଷକରି ସେ ଏବେ ସ୍ୱାବଲମ୍ବୀ ହୋଇପାରିଥିବା କହିଛନ୍ତି । ଜମିରେ ବର୍ଷସାରା ସମନ୍ୱିତ ତଥା ଜୈବିକ ଚାଷ କରି ପରିବାର ଚଳାଇ ଆସୁଛନ୍ତି । ଦୁଇ ଝିଅଙ୍କୁ ବିବାହ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ଜମିରେ ବର୍ଷସାରା ବାଇଗଣ, ବିଭିନ୍ନ ପ୍ରକାର ଶାଗ, କନ୍ଦମୂଳ, ଲେମ୍ବୁ, କୋବି, ମକା, ବିଭିନ୍ନ ଫୁଲ ସହିତ କାନ୍ଦୁଲ ଫସଲ ଉତ୍ପାଦନ ହୋଇପାରୁଥିବା କହିଛନ୍ତି । ସମନ୍ୱିତ ଜୈବକ ଚାଷ କରି ଜଣେ ସଫଳ ଚାଷୀଭାବେ ସେ ଏବେ ଅଞ୍ଚଳରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥି ସହିତ ଗାଁର ଯୁବ ଚାଷୀଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । କେଉ ସମୟରେ କେଉ ଚାଷ କରାଯିବ, କେଉଁ ଫସଲ ସହ ଅନ୍ୟ କେଉ ଫସଲ ମିଶ୍ରିତଭାବେ ଚାଷ କରାଗଲେ ଲାଭ ମିଳିପାରିବ ଓ ଫସଲ ପ୍ରଭାବିତ ହେବ ନାହିଁ ସେନେଇ ଚାଷୀଙ୍କୁ ପରାମର୍ଶ ମଧ୍ୟ ଦେଉଛନ୍ତି । ଜମିର ଉର୍ବରତା ପାଇଁ କେତେ ପରିମାଣର ଜୈବକ ଖତ ପ୍ରୟୋଗ କରାଯିବ, ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଜୈବିକ ଉପାୟରେ କିପରି ଔଷଧ ପ୍ରସ୍ତୁତ କରି ପ୍ରୟୋଗ କରାଯିବ ଲୋକଙ୍କୁ ବୁଝାଉଛନ୍ତି । ଗାଁର ଚାଷୀମାନେ ହରିଙ୍କୁ ମିଶ୍ରିତ ଚାଷ ସମ୍ପର୍କରେ ପଚାରି ବୁଝୁଛନ୍ତି । ଅନ୍ୟପକ୍ଷେ ଚାଷ କରିବା ସହିତ ହରି ଜଣେ କୀର୍ତ୍ତନ କଳାକାର । ତାଙ୍କୁ ଏବେ କଳାକାର ଭତ୍ତା ମିଳୁଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons