
ବ୍ରହ୍ମପୁର, (ବି.ବି.ବୁ୍ୟରୋ): ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ନାଇଡୁପଲ୍ଲୀ କ୍ରସର୍ରେ ଡିନାମାଇଟ୍ ବିସ୍ଫୋରଣ । ସୋମବାର ପୂର୍ବାହ୍ନ ୧୧ଟାରେ ଘଟିଥିବା ବିସ୍ଫୋରଣରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଫାଦିରିପଲ୍ଲୀର ସୁରେଶ ପାତ୍ର ଓ କୁକୁଡ଼ାଖଣ୍ଡିର ଏ.ସନ୍ତୋଷ କୁମାର । ଫାଦିରିପାଲି ଗ୍ରାମର ଦୀପକ ପାତ୍ର, ମୃତ ସନ୍ତୋଷଙ୍କ ସମ୍ପର୍କୀୟ ପି. ସାଇ କୁମାର ଓ ଗଣ୍ଡଳାର ସନ୍ତୋଷ ପଣ୍ଡା ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି ।
ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ ସାରା ଅଞ୍ଚଳ ଥରି ଉଠିଥିଲା । କ୍ରସର୍ ଜଣେ ଇଞ୍ଜିନିୟରଙ୍କ ସ୍ତ୍ରୀଙ୍କ ମାଲିକାନାରେ ରହିଛି । ସମ୍ପୃକ୍ତ ଇଞ୍ଜିନିୟରଙ୍କୁ ପୁଲିସ ଗିରଫ କରିଥିବା ବେଳେ କ୍ରସର୍କୁ ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ । ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ ଆହତଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିବା ସେ କହିଛନ୍ତି । ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, କୁକୁଡାଖଣ୍ଡି ତହସିଲଦାର ଡ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ଏସ୍ଡିପିଓ ଜୟନ୍ତ ମହାପାତ୍ର, ସଦର ଥାନା ଆଇଆଇସି ସନ୍ତୋଷିନୀ ଓରାମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
କୁକୁଡାଖଣ୍ଡି ନାଇଡୁପଲ୍ଲୀ ନିକଟ ଇନ୍ଦିରାବାସ ସାହି ନିକଟରେ ଥିଲା ଏହି କ୍ରସର୍ । ବିସ୍ଫୋରଣ ପରେ କିଛି ସମୟ ଅଞ୍ଚଳ ସମ୍ପୂର୍ଣ୍ଣ ଶୂନ୍ଶାନ୍ ହୋଇଯାଇଥିଲା । ଘଟଣାସ୍ଥଳକୁ ଗ୍ରାମବାସୀ ଦୌଡ଼ିବା ବେଳେ ୫ ଜଣ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ଏ.ସନ୍ତୋଷ କୁମାରଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଚାରି ଜଣଙ୍କୁ ଏମ୍କେସିଜି ଅଣାଯାଇଥିଲା । ଏଠାରେ ଫାଦିରପଲ୍ଲୀର ସୁରେଶଙ୍କ ମୃତୁ୍ୟ ହୋଇଥିଲା । ପି.ସାଇ କୁମାର, ସନ୍ତୋଷ ପଣ୍ଡା ଓ ଦୀପକ ପାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । କ୍ରସ୍ରର ବିସ୍ଫୋରକ ସାମଗ୍ରୀ ଏକ ଟିଣ ଘରେ ମହଜୁଦ ଥିଲା । ବିଦୁ୍ୟତ୍ ସର୍ଟସର୍କିଟ ଓ ଅତ୍ୟଧିତ ଉତ୍ତାପ କାରଣରୁ ବିସ୍ଫୋରଣ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିସ୍ଫୋରଣରେ ଘରର ଟିଣ ଉଡ଼ିଯାଇଛି ଏବଂ କାନ୍ଥ ମଧ୍ୟ ଧସିପଡିଛି । ଏଠାରେ ବେଆଇନ୍ ଭାବେ ଡିନାମାଇଟ୍ ଗଚ୍ଛିତ ରଖାଯାଇଥିବା ଏସ୍ଡିପିଓ ଜୟନ୍ତ ମହାପାତ୍ର କହିଛନ୍ତି । ଜଣେ ମହିଳାଙ୍କ ନାମରେ କ୍ରସର୍ ଲାଇସେନ୍ସ ରହିଥିବା ବେଳେ ତାଙ୍କ ସ୍ୱାମୀ ଜଣେ ସରକାରୀ ଇଞ୍ଜିନିୟର । ସମ୍ପୃକ୍ତ ଇଞ୍ଜିନିୟର୍ ସନ୍ତୋଷ କୁମାର ରାଉତଙ୍କୁ ଗିରଫ କରିଛି ପୁଲିସ । ଯନ୍ତ୍ରୀଙ୍କ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବା ସାଙ୍ଗକୁ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଖୋଜାଯାଉଛି ବୋଲି ଏସ୍ଡିପିଓ କହିଛନ୍ତି । ଜଣେ ସରକାରୀ ଚାକିରିଆ ହୋଇ ସ୍ତ୍ରୀଙ୍କ ନାମରେ କେମିତି କ୍ରସର୍ ଚଳାଇଥିଲେ ତାହାର ଏବେ ତଦନ୍ତ କରୁଛି ପୁଲିସ । ଘଟଣାସ୍ଥଳରେ ଗୋଟିଏ ବିସ୍ଫୋରକ ଭର୍ତ୍ତି ଗାଡ଼ି ଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ପୁଲିସକୁ ଜଣାଇଛନ୍ତି । ବିସ୍ଫୋରଣ ପରେ ସେହି ଗାଡ଼ି ଚମ୍ପଟ ମାରିଛି । ଏହାର ମଧ୍ୟ ତଦନ୍ତ କରାଯାଉଥିବା କହିଛନ୍ତି ଏସ୍ଡିପିଓ ।
ଏତେ ପରିମାଣର ଡିନାମାଇଟ୍ କେଉଁଠୁ ଆସିଲା ଏବଂ କିଭଳି ଏହାର ବ୍ୟବହାର କରାଯାଉଥିଲା ତାହାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଏସ୍ପି ପିନାକ ମିଶ୍ର । ସୂଚନାଯୋଗ୍ୟ ପଥର ବିସ୍ଫୋରଣ ପାଇଁ ଜିଲ୍ଲାରେ ଦୁଇଟି ଡିପୋ ରହିଛି । ଯେଉଁମାନେ ପଥର କ୍ୱାରୀରେ ବିସ୍ଫୋରଣ କରିବେ ସେମାନେ ଏହି ଦୁଇଟି ଡିପୋରୁ ହିଁ ସାମଗ୍ରୀ ନେବେ । ବିସ୍ଫୋରଣ ପାଇଁ ଡିପୋରୁ ବିଶେଷଜ୍ଞଙ୍କୁ ପଠାଯିବା ବ୍ୟବସ୍ଥା ରହିଛି । କିନ୍ତୁ ଏହି ନିୟମକୁ କେହି ମାନୁନାହାନ୍ତି । ବେଆଇନ ଭାବେ ଗଚ୍ଛିତ ରଖୁଛନ୍ତି ବିସ୍ଫୋରକ । ଫଳରେ ଏଭଳି ଘଟଣା ଘଟୁଛି । ପୂର୍ବରୁ ମଧ୍ୟ କୁକୁଡ଼ାଖଣ୍ଡି ଅଞ୍ଚଳରେ ଏଭଳି ବିସ୍ଫୋରଣ ହୋଇ ଅନେକ କ୍ଷୟକ୍ଷତି ହୋଇଥିବା ନଜୀର ରହିଛି ।
Comments are closed, but trackbacks and pingbacks are open.