ଭୁବନେଶ୍ୱର: ଗତ ଏସିଆଡ୍ରେ ଅଲିମ୍ପିଆନ ଦୂତି ଚାନ୍ଦ ଡବଲ୍ ପଦକ ଜିତିବା ପରେ ରାଜ୍ୟ ସରକାର ବଦଳାଇଥିଲେ କ୍ରୀଡ଼ା ପୁରସ୍କାର ନୀତି । ୩୦-୮-୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, “ରାଜ୍ୟ ସରକାରଙ୍କ ସଂଶୋଧିତ କ୍ରୀଡ଼ା ପୁରସ୍କାର ନୀତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦୂତିଙ୍କ ନିମନ୍ତେ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।” ଅର୍ଥାତ ଦୂତିଙ୍କୁ ଦୁଇଟି ରୌପ୍ୟ ପାଇଁ ମିଳିଥିଲା ମୋଟ୍ ୩ କୋଟି ଟଙ୍କା । ପରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତୀୟ ଦଳରେ ସାମିଲ ଥିବା ହକି ଖେଳାଳିଙ୍କୁ ମଧ୍ୟ ସଂଶୋଧିତ ନିୟମ ଅନୁସାରେ ପୁରସ୍କାର ପ୍ରଦାନ କରାଯାଇଥିଲା । ପାରା ଏସିଆଡ୍ ପଦକ ବିଜେତାଙ୍କୁ ମଧ୍ୟ ମିଳିଛି । ଇତି ମଧ୍ୟରେ ଏକ ବର୍ଷ ବିତିବାକୁ ଯାଉଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସଂଶୋଧିକ କ୍ରୀଡ଼ା ପୁରସ୍କାର ନୀତିକୁ କ୍ରୀଡ଼ା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ତା’ର ଅସିଫିଆଲ୍ ୱେବ୍ରେ ଅପଲୋର୍ଡ କରାଯାଇ ନାହିଁ ।
ବର୍ଷକ ମଧ୍ୟରେ କ୍ରୀଡ଼ା ବିଭାଗ ବିଶ୍ୱକପ୍ ହକି, ମହିଳା ଗୋଲ୍ଡ କପ୍, ଏଫ୍ଆଇଏଚ୍ ହକି ସିରିଜ୍ ଫାଇନାଲ୍ସ ଏବଂ କଟକରେ ରାଜ୍ୟଗୋଷ୍ଠୀ ଟିଟି ଚାମ୍ପିଅନସିପ୍ ମଧ୍ୟ ବେଶ ସଫଳତାର ସହ ଆୟୋଜନ କରିଛି । କ୍ରୀଡ଼ାମନ୍ତ୍ରୀ ବଦଳିଛନ୍ତି ମାତ୍ର କ୍ରୀଡ଼ା ସଚିବ ରହିଛନ୍ତି । କ୍ରୀଡ଼ା ବିଭାଗର ଅସିଫିଆଲ୍ ୱେବର ଆଧୁନିକିକରଣ ହୋଇଛି । ଏତେସବୁ ସତ୍ତେ୍ୱ କ୍ରୀଡ଼ା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଂଶୋଧିତ କ୍ରୀଡ଼ା ପୁରସ୍କାର ନୀତିକୁ ଏକ ବର୍ଷ ହେଲା ଅପଲୋର୍ଡ ନକରିବାର କାରଣ କିଛି ସ୍ପଷ୍ଟ ହେଉ ନାହିଁ ।
ମୁଖ୍ୟମନ୍ତ୍ରୀ ଗତ ବର୍ଷ ଯେଉଁ ସଂଶୋଧିତ କ୍ରୀଡ଼ା ପୁରସ୍କାର ନୀତି ଘୋଷଣା କରିଥିଲେ, ସେଥିରେ କିଛି ସ୍ପଷ୍ଟ ନଥିଲା । କେବଳ ଦୂତିଙ୍କ ଡବଲ ରୌପ୍ୟକୁ ବିଚାରକୁ ନିଆଯାଇ ପୁରସ୍କାର ଘୋଷଣା କରାଯାଇଥିଲା । ସାଧାରଣ ବର୍ଗରେ ଅଲିମ୍ପିକ୍ସ, ଏସିଆଡ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ବିଜେତାଙ୍କୁ (ବ୍ୟକ୍ତିଗତ ଓ ଦଳଗତ) କେତେ ପୁରସ୍କାର ମିଳିବ ତାହା ଉଲ୍ଲେଖ କରାଯାଇ ନଥିଲା । ଯାହା ଏକ ଦ୍ୱନ୍ଦ୍ୱାତ୍ମକ ବିଷୟ । ଆଗକୁ ବହୁ ବଡ଼ ବଡ଼ ଇଭେଣ୍ଟ ରହିଛି । ସାଧାରଣ, ପାରା ଏବଂ ଅନ୍ୟାନ୍ୟ ବର୍ଗରେ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ସଫଳ ହେଲେ ସେମାନଙ୍କୁ କିଭଳି ପୁରସ୍କାର ମିଳିବ ତାହା କ୍ରୀଡ଼ା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉ ନାହିଁ । ପୁରସ୍କାର କ୍ରୀଡ଼ାବିତଙ୍କ ମନରେ ଉତ୍ସାହ ବଢ଼ାଏ, ଦି’ପାଦ ଆଗକୁ ବଢ଼ିବାରେ ସହାୟକ ହୁଏ । କାରଣ ଖାଲି ପେଟରେ କେହି ଖେଳି ପାରିବ ନାହିଁ । ପୁରସ୍କାର ଏକ ଉତ୍ସାହ । ତେଣୁ ଏଭଳି ସ୍ଥଳେ କ୍ରୀଡ଼ା ବିଭାଗର ବିଳମ୍ବ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ନିଦ୍ଦେଶକୁ ଅବହେଳା ରାଜ୍ୟରେ କ୍ରୀଡ଼ାବିତଙ୍କୁ ହତୋତ୍ସାହିତ କରିପାରେ ।
କ୍ରୀଡ଼ାବିତଙ୍କୁ ଆମ ରାଜ୍ୟ ସରକାର ମୋଟା ଅଙ୍କରେ ପୁରସ୍କାର ପ୍ରଦାନ କରୁଛନ୍ତି ବୋଲି ସାରା ଦେଶରେ ଓଡ଼ିଶାର ପ୍ରଶଂସା । କେବଳ ପୁରସ୍କାର ନୁହଁ ଚାକିରି ମଧ୍ୟ ଯୋଗାଇ ଦିଆଯାଉଛି । କିନ୍ତୁ ଏଭଳି ଅତି ସାଧାରଣ କଥା (ୱେବ୍ରେ ନୂଆ କ୍ରୀଡ଼ା ନୀତି ଅପଲୋର୍ଡ)କୁ ଏତେ ବିଳମ୍ବ କାହିଁକି କରାଯାଉଛି କିଛି ଜଣାପଡ଼ୁ ନାହିଁ ।
ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ଜିତିଲେ କ୍ରୀଡ଼ାବିତଙ୍କ ପାଇଁ ଯେଉଁ ଆର୍ଥିକ ପୁରସ୍କାର ରାଶି ଗାଇଡ୍ ଲାଇନ୍ ରହିଛି, ତାହା ଶେଷ ଥର ପାଇଁ ୧୯-୦୬-୨୦୧୮ରେ (ସାଧାରଣ ବର୍ଗରେ) ସଂଶୋଧନ କରାଯାଇଥିଲା । ସେଥିରେ ଯାହା ଉଲ୍ଲେଖ ରହିଛି, ଅଲିମ୍ପିକ୍ସ କ୍ରୀଡ଼ା (ଗ୍ରୀଷ୍ମ ଓ ଶୀତକାଳୀନ)ରେ ସ୍ୱର୍ଣ୍ଣ ଜିତିଲେ ୧ କୋଟି ( ଦଳଗତ ହୋଇଥିଲେ ୫୦ ଲକ୍ଷ), ରୌପ୍ୟ ଜିତିଲେ ୬୦ ଲକ୍ଷ (ଦଳଗତ ହୋଇଥିଲେ ୩୦ ଲକ୍ଷ), ବ୍ରୋଞ୍ଜ ଜିତିଲେ ୪୦ ଲକ୍ଷ ( ଦଳଗତ ହୋଇଥିଲେ ୨୦ ଲକ୍ଷ) ଏବଂ କେବଳ ଅଂଶ ଗ୍ରହଣ କଲେ ୫ ଲକ୍ଷ ( ଦଳଗତ ହୋଇଥିଲେ ୨ ଲକ୍ଷ ୫୦ ହଜାର) ପୁରସ୍କାର ମିଳିବ ।
ସେହିପରି ଏସିଆନ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲେ ୪୦ ଲକ୍ଷ ( ଦଳଗତ ହୋଇଥିଲେ ୨୦ ଲକ୍ଷ), ରୌପ୍ୟ ଜିତିଲେ ୨୫ ଲକ୍ଷ (ଦଳଗତ ହୋଇଥିଲେ ୧୨ ଲକ୍ଷ ୫୦ ହଜାର), ବ୍ରୋଞ୍ଜ ଜିତିଲେ ୧୨ ଲକ୍ଷ ୫୦ ହଜାର ( ଦଳଗତ ହୋଇଥିଲେ ୬ ଲକ୍ଷ) ଏବଂ କେବଳ ଅଂଶ ଗ୍ରହଣ କଲେ ୧ ଲକ୍ଷ ୫୦ ହଜାର ( ଦଳଗତ ହୋଇଥିଲେ ୭୫ ହଜାର) ଟଙ୍କା ମିଳିବ । ଏହିଭଳି ଅନ୍ୟାନ୍ୟ ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ଜିତିଲେ ମଧ୍ୟ ଭିନ୍ନ ଭିନ୍ନ ଆର୍ଥିକ ପୁରସ୍କାର ରହିଛି ।
ଦୁଇ ମାସ ପରେ ସଂଶୋଧିତ ନିୟମ ଅନୁସାରେ ଦୂତିଙ୍କୁ ପୁରସ୍କାର ମିଳିଥିଲା । କିନ୍ତୁ ପୁରୁଣା ନୀତି ଅନୁସାରେ ଦୁଇଟି ଏସିଆନ୍ ରୌପ୍ୟ ପଦକ ପାଇଁ ( ୨୫ ୍ମ ୨୫) ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ସେ ପାଇଥାନ୍ତେ ।
Comments are closed, but trackbacks and pingbacks are open.