କ୍ରୀଡ଼ା ରାଜଧାନୀ ଭାବେ ଓଡ଼ିଶା ଆଉ ପାଦେ ବଢ଼ିଲା:ରାଜ୍ୟପାଳ

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): କ୍ରୀଡ଼ା ଶୃଙ୍ଖଳାର ଅନ୍ୟ ନାମ । କ୍ରୀଡ଼ାବିତ୍ଙ୍କ ଜୀବନରେ ଏହାର ଗୁରୁତ୍ୱ ବେଶ୍ ଅଧିକ । ବିଜୟ,ପରାଜୟର ପ୍ରତିଟି ଖେଳର ଅଂଶବିଶେଷ । ଏଥିପାଇଁ ଚିନ୍ତିତ ନହୋଇ ଜୋସ୍ର ସହିତ ଖେଳିପାରିଲେ କ୍ରୀଡ଼ାବିତ୍ ନିଜ ଭିତରର ଖେଳୁଆଡ ମନୋଭାବର ପରିଚୟ ଦେଇଥାଏ । ସେଥିପାଇଁ ଜୟ ଜଗନ୍ନାଥ କହି ପ୍ରତିଯୋଗିତାକୁ ଓହ୍ଲଅ, ବିଜୟ ଓ ପରାଜୟକୁ ସମୟ ଉପରେ ଛାଡିଦିଅ । ଆଜି ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ ଠାରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍କୁ ଉଦ୍ଘାଟନ କରି ଖେଳାଳିଙ୍କୁ ଏଭଳି ବିଜୟମନ୍ତ୍ର ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ ।
୧୨ଦେଶକୁ ନେଇ ଆୟୋଜିତ ଏହି ମେଗା କ୍ରୀଡ଼ା ପ୍ରତିଯୋଗିତା ଆଜିଠୁ ଆରମ୍ଭ ହୋଇଛି । ଭାରତ ସମେତ ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍, ଇଂଲଣ୍ଡ, ମାଲେସିଆ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟ୍ଲାଣ୍ଡ, ଦକ୍ଷିଣଆଫ୍ରିକା, ସିଙ୍ଗାପୋର ଏବଂ ୱେଲ୍ସ ଚାମ୍ପିଅନ୍ସିପ୍ରେ ଅଂଶଗ୍ରହଣ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗ ଦେଇ ଆଜି ପୂର୍ବାହ୍ନରେ ପ୍ରତିଯୋଗିତା ଉଦ୍ଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଓଡ଼ିଶା ଭାରତର ନୂଆ କ୍ରୀଡ଼ା ରାଜଧାନୀ ଭାବେ ପରିଚୟ ଲାଭ କରିଛି । ହକି ବିଶ୍ୱକପ୍, ଦକ୍ଷିଣଏସୀୟ ଆଥ୍ଲେଟିକ୍ସ ଭଳି ବିଭିନ୍ନ ଅନ୍ତର୍ଜାତୀୟ ମେଗା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ନିଜ ଦମ୍ ଦେଖାଇଛି । ଏହି କ୍ରମ ଆଗକୁ ବି ଚାଲୁ ରହିବ । କ୍ରୀଡ଼ା ଆୟୋଜନ ସହିତ ଭିତ୍ତିଭୂମି ଏବଂ କ୍ରୀଡ଼ାବିତ୍ ସୃଷ୍ଟି କରିବା ଦିଗରେ ଆମ ପ୍ରଚେଷ୍ଟା ଜାରି ରହିଛି । ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ ଆୟୋଜନ ଓଡ଼ିଶା ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିଲା । ୨୦୨୦ ଟୋକୋୟ ଅଲିମ୍ପିକ୍ସ ପୂର୍ବରୁ ଖେଳାଳି ମାନଙ୍କୁ ସେମାନଙ୍କ ଦକ୍ଷତା ଦେଖାଇବାର ଏହା ଏକ ସୁଯୋଗ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି । ସେହିପରି ଓଡ଼ିଶା ଟେବୁଲ୍ ଟେନିସ୍ ସଂଘର ସଭାପତି ତଥା ପ୍ରଶାସକ ଏଲ୍.ଏନ୍.ଗୁପ୍ତା କହିଛନ୍ତି, ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ଭାରତୀୟ କ୍ରୀଡ଼ା ଜଗତରେ ଏକ ମାଇଲ୍ଖୁଣ୍ଟ ସ୍ଥାପନ କରିଛି । ଅନ୍ତର୍ଜାତୀୟ ଖେଳାଳିଙ୍କ ଆଗମନ ଘରୋଇ ଯୁବବର୍ଗଙ୍କୁ ଖେଳକୁଦ ପ୍ରତି ଆକୃଷ୍ଟ କରିବ । ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ରାଜ୍ୟଗୋଷ୍ଠୀ ସଂଘର ଚେୟାରମ୍ୟାନ୍ ଇଂଲଣ୍ଡର ଏଲ୍.ଏନ୍.ରାୟନସନ୍, ସଚିବ ଚାଙ୍ଗ୍ ଫୁଙ୍ଗ୍, ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘର ଉପସଭାପତି ସଞ୍ଜୟ ସିଂହ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍ ପ୍ରମୁଖ ଉପସ୍ଥିତ ଥିଲେ । କ୍ରୀଡ଼ା ସଚିବ ବିଶାଲ୍ ଦେବ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ରାଜ୍ୟ ଟେବୁଲ୍ ଟେନିସ୍ ସଂଘର ଉପସଭାପତି ତଥା ପ୍ରଶାସକ ସଞ୍ଜୟ ସିଂହ । ସୂଚନାଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ପୁରୁଷ ଟିମ୍ ଇଭେଣ୍ଟ୍, ମହିଳା ଟିମ୍ ଇଭେଣ୍ଟ, ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟ, ମହିଳା ସିଙ୍ଗିଲ୍ସ ଇଭେଣ୍ଟ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ, ମିକ୍ସ ଡବଲ୍ସ ପ୍ରତିଯୋଗିତା ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons