କ୍ଷୀର ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ମାମଲା:ଅଭିଯୁକ୍ତ ପୁତ୍ର ସହ ସହଯୋଗୀ ଗିରଫ

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନ୍ୟୁଜ୍): କ୍ଷୀର ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୁଲିସ । ଏହି ହତ୍ୟା ପଛର ମୁଖ୍ୟ କାର୍ପଟଦାର ଓ ତାର ସହଯୋଗୀଙ୍କୁ ସୁଦୂର ଉତ୍ତରପ୍ରଦେଶରୁ ଗିରଫ କରିଛି ବାଲିଆପାଳ ପୁଲିସ । ହତ୍ୟା ପଛରେ ମୃତ କ୍ଷୀର ବ୍ୟବସାୟୀଙ୍କ ପ୍ରଥମ ସ୍ତ୍ରୀର ପୁଅ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଥିବା କହିଛନ୍ତି ବସ୍ତା ଏସଡିପିଓ ରଞ୍ଜିତ୍ କୁମାର ପୃଷ୍ଟି ଏବଂ ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ । ଗିରଫ ୩ ଜଣ ହେଲେ ମୃତ ରାକେଶଙ୍କ ପ୍ରଥମ ସ୍ତ୍ରୀର ପୁଅ ଅନୁଜ କୁମାର ଚୌଧୁରୀ ଓରଫ ଗୁଡୁ, ଗୁଡୁର ସହଯୋଗୀ ରାଜସ୍ଥାନ ଜୟପୁର ଅଞ୍ଚଳର ପ୍ରବୀନ କୁମାର ଅଗ୍ରୱାଲ ଓରଫ ନିଲୁ ଏବଂ ଉତ୍ତରପ୍ରଦେଶ ବୁଲନ୍ଦ ଜିଲ୍ଲାର ଯଶରାଜ ଚୌଧୁରୀ ଓରଫ ଭାଟି । ଅଭିଯୁକ୍ତଙ୍କୁ ଧରିବାରେ ୟୁପି ପୁଲିସ ସହାୟତା କରିଥିବା ପୁଲିସ ସୂଚନା ଦେଇଛି ।
ସୂଚନା ଥାଉକି, ଗତ ଜୁନ ୨୪ ତାରିଖରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଳାଡିହା ପଞ୍ଚାୟତ ଡାଙ୍ଗପିଟା ଗ୍ରାମରେ ଘଟିଥିଲା ଘଟଣା । ଏଥିରେ ରାକେଶ ଚୌଧୁରୀ ଓରଫ ସିଂ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ ରାକେଶଙ୍କ ଦ୍ୱିତୀୟ ପତ୍ନୀ ଆରତୀ ଦେବୀଙ୍କ ଏତଲା କ୍ରମେ ବାଲିଆପାଳ ଥାନାରେ କେସ ନଂ ୧୧୭/୧୯ ଦଫା ୩୦୨,୩୪(ଆଇପିସି), ୨୫/୨୭ ଆର୍ମ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାକୁ ବାଲେଶ୍ୱର ଏସପି ବି. ଯୁଗଳ କିଶୋର କୁମାର ଗୁରୁତ୍ୱ ଦେଇ ଆସାମୀମାନଙ୍କୁ ଧରିବା ପାଇଁ ବାଲିଆପାଳ ଥାନା ଆଇଆଇସି ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଘଟଣାର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିି ଥିଲା । ଏଣୁ ଏହି ଟିମ୍ ଉତ୍ତରପ୍ରଦେଶ ଯାଇ ଘଟଣାରେ ସମ୍ପୃକ୍ତ ରାକେଶ ଚୌଧୁରୀଙ୍କ ପୁଅ ଅନୁଜ କୁମାର ଚୌଧୁରୀ ଓରଫ ଗୁଡୁ, ଗୁଡୁର ସହଯୋଗୀ ରାଜସ୍ଥାନ ଜୟପୁର ଅଞ୍ଚଳର ପ୍ରବୀନ କୁମାର ଅଗ୍ରୱାଲ ଓରଫ ନିଲୁ ଏବଂ ଉତ୍ତରପ୍ରଦେଶ ବୁଲନ୍ଦ ଜିଲ୍ଲାର ଯଶରାଜ ଚୌଧୁରୀ ଓରଫ ଭାଟିକୁ ଉତ୍ତରପ୍ରଦେଶ ପୁଲିସ ସହାୟତାରେ ଗିରଫ କରିବାରେ ସକ୍ଷମ ହୋଇଛି । ମୃତ ରାକେଶ ଚୌଧୁରୀଙ୍କର ଘର ଉତ୍ତରପ୍ରଦେଶ ଜାହାଙ୍ଗିରପୁର ଥାନା ବୁଲନ୍ଦ ଜିଲ୍ଲା ନେକପୁର ଗ୍ରାମରେ । ସେ ପୂର୍ବରୁ ବିବାହିତ । ୨୦୦୬ରେ ସେ ବାଲିଆପାଳ ଆସି ଡାଙ୍ଗପିଟା ଗ୍ରାମର ଶ୍ୟାମସୁନ୍ଦର ମହାନ୍ତିଙ୍କ ଝିଅ ଆରତୀ ଦେବୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସେମାନେ କିଛି ଦିନ ଉତ୍ତରପ୍ରଦେଶ ଯାଇ ରହିବା ପରେ ୨୦୧୩ରେ ବାଲିଆପାଳ ଫେରି ଆସି ଡାଙ୍ଗପିଟା ଗ୍ରାମରେ ଘରଦ୍ୱାର କରି ରହି ଆସୁଥିଲେ ଏବଂ ଏଠାରେ କ୍ଷୀର ବ୍ୟବସାୟ କରି ଚଳୁଥିଲେ । ଗ୍ରାମରୁ ଆସିବା ବେଳେ ରାକେଶ ଚୌଧୁରୀ ସେଠାରେ ଥିବା ଜମିବାଡ଼ି ବିକ୍ରି କରି ସାଙ୍ଗରେ ୨୦ ଲକ୍ଷ ଟଙ୍କା ନେଇ ଆସିଥିଲେ । ତାଙ୍କର ପ୍ରଥମ ସ୍ତ୍ରୀ ଓ ପୁଅମାନେ ଏଥିରେ ଉତ୍କ୍ଷିପ୍ତ ହୋଇ ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚନା କରିଥିଲେ । ରାକେଶଙ୍କ ପୁଅ ଅନୁଜ ଓରଫ ଗୁଡୁ ଦିଲ୍ଲୀ, ଉତ୍ତରପ୍ରଦେଶର ଜଣେ କୁଖ୍ୟାତ ଅପରାଧୀ । ତା’ ନାମରେ ବିଭିନ୍ନ ଥାନାରେ ୩୩ଟି ଗୁରୁତର ଅପରାଧିକ ମାମଲା ରହିଛି । ଗୁଡୁ ଏବଂ ତାଙ୍କର ସହଯୋଗୀ ଭାଟି ଘଟଣା ଘଟିବାର ୧୫ ଦିନ ପୂର୍ବରୁ ବାଲେଶ୍ୱର ଓ ବାଲିଆପାଳରେ ବିଭିନ୍ନ ଲଜିଂରେ ରହି ବାଲିଆପାଳ ରାସ୍ତାଘାଟର ନକ୍ସା ତିଆରି କରିଥିଲେ । ପରେ ଘଟଣା ଘଟିବାର ୨ଦିନ ପୂର୍ବରୁ ଆଉଥରେ ଆସି ରାକେଶ ଚୌଧୁରୀଙ୍କୁ ଖୋଜିବା ସହ ତାଙ୍କ ଘରର ଠିକଣା ମଧ୍ୟ ଖୋଜିଥିଲେ । ୨୪ ତାରିଖ ଦିନ ସନ୍ଧ୍ୟାରେ ରାକେଶ କ୍ଷୀର ବିକ୍ରି କରି ଘରକୁ ଫେରୁଥିବା ବେଳେ ଡାଙ୍ଗପିଟା ଗ୍ରାମ ନିକଟରେ ତାଙ୍କୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ଭାଟିକୁ ବାଲିଆପାଳ ପୁଲିସ ୧୯ ତାରିଖରେ ଏବଂ ଗୁଡୁକୁ ୨୧ ତାରିଖରେ ଉତ୍ତରପ୍ରଦେଶର କଟ୍ୱାଲି ଥାନା ପୁଲିସ ସହାୟତାରେ ଗିରଫ କରିଥିଲେ । ଗିରଫ ସମୟରେ ଏହି ଦୁଇ କୁଖ୍ୟାତ ଅପରାଧୀ ପୁଲିସ ଉପରକୁ ଗୁଳି ଚଳାଇବାରୁ ପୁଲିସ ସେମାନଙ୍କୁ ଏନକାଉଣ୍ଟର କରି ଗିରଫ କରିବା ସହ ଗୁଲିକାଣ୍ଡରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ କରିଥିଲେ । ସେମାନଙ୍କୁ ବୁଲନ୍ଦ ସହର କୋର୍ଟରେ ହାଜତ କରାଇବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି । ସେମାନଙ୍କ ସହଯୋଗୀ ପ୍ରବୀନ ଅଗ୍ରୱାଲ ଓରଫ ନିଲୁକୁ ଆଜି ଗିରଫ କରାଯାଇଥିବା ବେଳେ ଘଟଣାରେ ବ୍ୟବହୃତ ମାରୁତି ସୁଜୁକି ସୁଇଫ୍ଟ ଧଳା ରଙ୍ଗର କାର (ଡିଏଲ୯ସି-ଏଏଲ୦୬୦୬)କୁ ମଧ୍ୟ ପୁଲିସ ଜବତ କରିଛି । ଆଜି ପ୍ରବୀନ କୁମାରଙ୍କୁ ବାଲେଶ୍ୱର କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୨ଜଣଙ୍କୁ ବାଲିଆପାଳ ପୁଲିସ ଉତ୍ତରପ୍ରଦେଶ ପୁଲିସ ନିକଟରୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବ ବୋଲି ଏସଡିପିଓ ଶ୍ରୀ ପୃଷ୍ଟି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସମେତ ଆଇଆଇସି ଶ୍ରୀ ଆଚାର୍ଯ୍ୟ, ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦାପ୍ରସାଦ ମୁଦୁଲି, ଏଏସଆଇ ଅଭିମନ୍ୟୁ ସାହୁ, ଫକୀରଚରଣ ପ୍ରଧାନ, ରାମଚନ୍ଦ୍ର ପୁଡୁଲ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons