କ୍ୟାମେରାରେ କଏଦ ଜେଇଙ୍କ କାରନାମା, ଭିଡିଓ ଭାଇରାଲ

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନ୍ୟୁଜ୍): ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ତ୍ରିପାଠୀ ଏକ ଠିକା କାମର ବିଲପାସ୍ କରେଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାମେରାରେ କଏଦ ହୋଇଛି ଏହି କଳା କାରନାମା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଘଟଣାଟି ଚର୍ଚ୍ଚାକୁ ଆସିଛି । ଏନେଇ ପୁଇଁନ୍ତଲା ବିଡିଓ ସରୋଜ ମିଶ୍ରଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ସେ କିଛି ଜାଣି ନଥିବା କହିଛନ୍ତି । ବିଡ଼ିଓ ଦାୟିତ୍ୱରେ ଥିବା ଏବିଡ଼ିଓ ଉପେନ୍ଦ୍ର ମାଝୀ ମଧ୍ୟ ଘଟଣା ସଂପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ତେବେ ଗଣମାଧ୍ୟମରୁ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିବା ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ , ପୁଇଁନ୍ତଳା ବ୍ଲକ ଖଲିଆପାଲି ପଞ୍ଚାୟତ ମିଛାପାଲି ଗାଁରେ ବ୍ଲକ ପକ୍ଷରୁ ଏକ ରାସ୍ତା ନିର୍ମାଣ କରାଯାଇଥିଲା । ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସ୍ଥାନୀୟ ୱାର୍ଡମେମ୍ବର ଏବଂ ସରପଞ୍ଚ କରିଥିଲେ । ଏଥିପାଇଁ ୧ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ନିର୍ମାଣ କାର୍ଯ୍ୟ ସରିବା ପରେ ରାସ୍ତା କାମର ବିଲପାସ୍ କରେଇଦେବା ପାଇଁ ଉଭୟ ସରପଞ୍ଚ ଏବଂ ୱାର୍ଡମେମ୍ବର ଯନ୍ତ୍ରୀଙ୍କ ନିକଟକୁ ଦୌଡ଼ୁଥିଲେ । ହେଲେ ବିଲ କରେଇଦେବା ପାଇଁ ସଂପୃକ୍ତ ଯନ୍ତ୍ରୀ ୧୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରଥମେ ସରପଞ୍ଚ ଏବଂ ୱାର୍ଡମେମ୍ବର ଦାବି ମୁତାବକ ଟଙ୍କା ଦେବା ପାଇଁ ମନା କରିଥିଲେ । ହେଲେ ବିଲ୍ ପାସ ନ ହେବାରୁ ବାଧ୍ୟ ହୋଇ ୧୦ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ସେମାନେ ଆଜି ପୂର୍ବାହ୍ନରେ ଯନ୍ତ୍ରୀଙ୍କ ଚାମ୍ବରକୁ ଆସି ଟଙ୍କା ଦେଉଥିବା ବେଳେ ନିଜେ ତାକୁ କ୍ୟାମେରାରେ କଏଦ କରିନେଇଥିଲେ । ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଗଣମାଧ୍ୟମ ପାଖରେ ପହଞ୍ଚିଥିଲା । ଘଟଣାଟି ପ୍ରଘଟ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଘଟଣାଟିର ସତ୍ୟାସତ୍ୟ ଜାଣିବା ପାଇଁ ଆମେ କନିଷ୍ଠ ଯନ୍ତ୍ରୀ ଶ୍ରୀ ତ୍ରିପାଠୀଙ୍କୁ ସଂପର୍କ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।
ପ୍ରକାଶ ଯେ, ବିଗତ ଦିନରେ ଏଭଳି ପିସି କାରବାରକୁ ନେଇ ପୁଇଁନ୍ତଳା ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ କରାଯାଇଥିଲା । ଯେଉଁଥିରେ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଗୁରହାଣ୍ଡିଙ୍କ ସଂପୃକ୍ତି ରହିଥିଲା । ସେହିପରି ଗତ କିଛିଦିନ ପୂର୍ବରୁ ପାଟଣାଗଡ଼ ବ୍ଲକ ଅଞ୍ଚଳର ଜଣେ କିରାଣୀଙ୍କ ଭିଡ଼ିଓ ଭାଇରାଲ ହୋଇଥିବା ନଜରକୁ ଆସିଥିଲା । ତେବେ ପିସି କାରବାରକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିଲେ ସୁଦ୍ଧା ଏହି କାରବାର ବନ୍ଦ ହେବାର ନାଁ ନେଉନି । ପିସି କାରବାର ଯୋଗୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ମଧ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons