ଲଣ୍ଡନ: ଚଳିତ ୱିମ୍ବଲଡନ୍ ଗ୍ରାଣ୍ଡସ୍ଲାମ୍ର ସପ୍ତମ ଦିବସରେ ବଡ଼ ବିପର୍ଯ୍ୟୟ ଘଟିଛି । ଫେଞ୍ଚ ଓପନ ଚାମ୍ପିଅନ୍ ତଥା ଟପ୍ ସିଡ୍ ଅଷ୍ଟ୍ରେଲିଆର ଆସଲି ବାର୍ଟି ପରାଜିତ ହୋଇ ବିଦାୟ ନେଇଛନ୍ତି । ଭେଟେରାନ୍ ଆମେରିକୀୟ ସେରେନା ୱିଲିୟମ୍ସଙ୍କ ସମେତ ଅଷ୍ଟମ ସିଡ୍ ଏଲିନା ସ୍ୱିତୋଲିନା, ବାର୍ବରା ଷ୍ଟ୍ରିକୋଭା, ସୁଆଇ ଝାଙ୍ଗ ପ୍ରମୁଖ ବିଜୟ ଜାରି ରଖି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ତୃତୀୟ ସିଡ୍ ରାଫେଲ ନାଦାଲ ଓ ରୋବେର୍ଟୋ ବୌତିସ୍ତା ଅଗୁଟ୍ ବିଜୟ ଜାରି ରଖି କ୍ୱାର୍ଟରେ ସ୍ଥାନ ପକ୍କା କରିଛନ୍ତି ।
ମହିଳା ସିଙ୍ଗଲ୍ସ: ଟପ୍ ସିଡ୍ ବାର୍ଟି ସଂଘର୍ଷପୂର୍ଣ୍ଣ ଚତୂର୍ଥ ରାଉଣ୍ଡ ମୁକାବିଲାରେ ଆମେରିକାର ଆଲିସନ ରିସ୍କେଙ୍କ ଠାରୁ ୬-୩, ୨-୬, ୩-୬ ସେଟ୍ରେ ପରାଜିତ ହୋଇଥିଲେ । ୧ଘଣ୍ଟା ୩୭ ମିନିଟ୍ ଧରି ବାର୍ଟି ଏହି ମ୍ୟାଚ୍ରେ ସଂଘର୍ଷ କରିଥିଲେ । ହେଲେ ରିସ୍କେଙ୍କ ପରିବର୍ତ୍ତିତ ପ୍ରଦର୍ଶନ ଆଗରେ ତାଙ୍କର ସବୁ ରଣନୀତି ଫେଲ୍ ମାରିଥିଲା । ବାର୍ଟି ପ୍ରଥମ ସେଟ୍ ହାତେଇଥିଲେ ହେଁ ଏହାପରେ ରିସ୍କେ ମ୍ୟାଚ୍କୁ ଫେରିଥିଲେ । ବାର୍ଟିଙ୍କ ବିପକ୍ଷରେ ୪ଟି ବ୍ରେକ୍ ପଏଣ୍ଟ ହାତେଇ ସେ ବିଜୟ ପକ୍କା କରିଥିଲେ ।
୧୧ତମ ସିଡ୍ ସେରେନାଙ୍କୁ ଚତୁର୍ଥ ରାଉଣ୍ଡ ମ୍ୟାଚ୍ ଜିତିବା ପାଇଁ ପରିଶ୍ରମ କରିବାକୁ ପଡ଼ି ନଥିଲା । ସ୍ପେନ୍ର ଭେଟେରାନ ତାରକା କାର୍ଲା ସୁଆରେଜ ନାଭାରୋଙ୍କ ବିପକ୍ଷରେ ସେରେନା ସିଧା ସଳଖ ୬-୨, ୬-୨ ସେଟ୍ରେ ବିଜୟ ହାସଲ କରିଥିଲେ । ମ୍ୟାଚ୍ ଆରମ୍ଭରୁ ଆଧିପତ୍ୟ ଜାରି ରଖିଥିବା ସେରେନା ମୋଟ୍୫ଟି ବ୍ରେକ ପଏଣ୍ଟ ହାତେଇ ୧ଘଣ୍ଟା ମଧ୍ୟରେ ବିଜୟ ହାସଲ କରିଥିଲେ । ଅନ୍ୟ ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ବାର୍ବରା ଷ୍ଟ୍ରିକୋଭା ୪-୬, ୭-୫, ୬-୨ ସେଟ୍ରେ ବେଲ୍ଜିୟମ୍ର ଏଲିସ୍ ମର୍ଟେନ୍ସଙ୍କୁ ପରାସ୍ତ କରିଥିବାବେଳେ ଚୀନ୍ର ଝାଙ୍ଗ୍ ୬-୪, ୧-୬, ୬-୨ ସେଟ୍ରେ ୟୁକ୍ରେନ୍ର ଡାୟନା ୟାସ୍ତ୍ରେମ୍ସ୍କାଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ ।
ପୁରୁଷ ସିଙ୍ଗଲ୍ସ: ଗତ ଫ୍ରେଞ୍ଚ ଓପନ ଚାମ୍ପିଅନ୍ ନାଦାଲ ଚତୁର୍ଥ ରାଉଣ୍ଡ ମୁକାବିଲାରେ ପର୍ତ୍ତୁଗାଲ୍ର ଜୋଆଓ ସୌସାଙ୍କୁ ୬-୨, ୬-୨, ୬-୨ ସେଟ୍ରେ ହରାଇଥିଲେ । ୧ଘଣ୍ଟା ୪୫ମିନିଟ୍ର ଏହି ମ୍ୟାଚ୍ରେ ନାଦାଲ ୬ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । ସେହିପରି ୨୩ତମ ସିଡ୍ ଅଗୁଟ୍ ସିଧା ସଳଖ ୬-୩, ୭-୫, ୬-୨ ସେଟ୍ରେ ଫ୍ରାନ୍ସର ବେନଏଟ୍ ପାଇରେଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ । ଅଗୁଟ୍ ଏହି ମ୍ୟାଚ୍ରେ ୫ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ ।
Comments are closed, but trackbacks and pingbacks are open.