ଖଟିଆରେ ୩ କିମି ବୁହା ହେଲେ ଗର୍ଭବତୀ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନ୍ୟୁଜ୍): ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ । ଆମ୍ବୁଲାନ୍ସ କି ଗାଡ଼ିମୋଟର ଆସିପାରୁନି । ଫଳରେ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ନିୟମିତ ଭାବେ ସମସ୍ୟା ଲାଗି ରହୁଛି । ରାସ୍ତା ନ ଥିବା ଯୋଗୁଁ ଆଜି ଜଣେ ଗର୍ଭବତୀଙ୍କୁ ଏକ ଖଟିଆରେ ପାଦଚଲା ଜଙ୍ଗଲିଆ ରାସ୍ତାରେ ପ୍ରାୟ ୩ କିଲୋମିଟର ବାଟ ବୋହି ନେଇଥିଲେ ପରିବାର ଲୋକେ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅନ୍ତର୍ଗତ ନାଗୁପଡ଼ା ଗାଁରେ ।
ନାଗୁପଡ଼ା ଗାଁର କୁଷ୍ନ ନାଏକଙ୍କ ପତ୍ନୀ ରଶ୍ମି ନାଏକ ୮ ମାସର ଗର୍ଭବତୀ ଥିଲେ । ଆଜି ସକାଳୁ ରଶ୍ମିଙ୍କ ମୁଣ୍ଡ ବୁଲାଇବା ପରେ ସାମ୍ନା ପଟେ କଚାଡ଼ି ହୋଇ ତଳେ ପଡ଼ିଥିଲେ । ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗାଁକୁ ଭଲ ପାଦଚଲା ରାସ୍ତା ନାହିଁ । ଛଞ୍ଚାଣ ଗାଢ଼ ନାଳରେ ପୋଲ ନାହିଁ । ଏଣୁ ବାଧ୍ୟ ହୋଇ ପରିବାର ଲୋକ ଏକ ଖଟିଆରେ ରଶ୍ମିଙ୍କୁ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଖଟରେ ବୋହି ଆଣିଥଲେ । ସେଠାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ରଶ୍ମିଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଜୟପାଟଣାଠାରୁ ନାଗୁପଡ଼ା ଗ୍ରାମର ଦୂରତା ମାତ୍ର ୭ କିଲୋମିଟର । ତେବେ ଛଞ୍ଚାଣଗାଢ଼ ନାଳ ପାଇଁ ଏହି ଗାଁକୁ ଯୋଗାଯୋଗ ମୁଖ୍ୟ ସମସ୍ୟା ଭାବେ ଠିଆ ହୋଇଛି । ନାଗୁପଡ଼ାର ଜନସଂଖ୍ୟା ପ୍ରାୟ ୫ଶହ । ଛଞ୍ଚାଣଗାଢ଼ ନାଳରେ ପୋଲ ନିର୍ମାଣ ପାଇଁ ନାଗୁପଡ଼ା ଗ୍ରାମବାସୀ ଆଜକୁ ୧୦ ବର୍ଷ ହେଲା ଦାବି କରି ଆସୁଛନ୍ତି । ବିଡିଓ, ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ପୋଲ ନିର୍ମାଣ ପାଇଁ ଗୁହାରି କରିଛନ୍ତି । କେବଳ ପ୍ରତିଶ୍ରୁତି ମିଳିଛି ସିନା ଛଞ୍ଚାଣଗାଢ଼ ପୋଲ ନିର୍ମାଣ ହୋଇପାରି ନାହିଁ । ଏଥିପାଇଁ ନାଗୁପଡ଼ା ଗ୍ରାମବାସୀ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ ମଧ୍ୟ କରିଛନ୍ତି । ତାହା ସତ୍ୱେ ଛଞ୍ଚାଣଗାଢ଼ ନାଳରେ ପୋଲଟିଏ ନିର୍ମାଣ ହୋଇପାରିନି । ନାଗୁପଡ଼ା ଗ୍ରାମବାସୀଙ୍କ ଦୁଃଖର ଅନ୍ତ ହେଉ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons