ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଜଗନ୍ନାଥଙ୍କ ସମ୍ପତ୍ତିରେ ବେଆଇନ ଖଣି ଖନନ ଉପରେ ରୋକ ଲଗାଇବା ପାଇଁ ଚଢ଼ଉ ଅଭିଯାନ ଚଳାଇଥିବା କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଆଉ ଜଣେ ଖଣି ମାଫିଆକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ବାଦଲ ବଡ଼ଜେନା (୨୧) । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦଲକ । ଗତକାଲି ରାତିରେ ଏସ୍ଟିଏଫ୍ ଟିମ୍ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଚଢ଼ଉ କରି ବାଦଲକୁ ଗିରଫ କରିଥିଲା ।
ଏସ୍ଟିଏଫ୍ ଆଇଆଇସି ଆଲୋକ ଜେନାଙ୍କ ସୂଚନା ଅନୁଯାୟୀ, ବାଦଲ ୧୫ ବର୍ଷ ବୟସରୁ ବଡ଼ ବଡ଼ ଖଣି ମାଫିଆଙ୍କ ପାଖରେ କାମ ଆରମ୍ଭ କରିଥିଲା । ପରେ ସେ ନିଜେ ଖଣି ଖୋଳିବା କାମ ଚଳାଇଥିଲା । ଧୀରେ ଧୀରେ ସେ ଅଧିକ ଟଙ୍କା ରୋଜଗାର କରିବା ସହ ବଡ଼ ବଡ଼ ମାଫିଆଙ୍କ ବାଧକ ସାଜିଥିଲା । ୪ ମାସ ତଳେ ତାକୁ ଏକ ଗୋଷ୍ଠୀ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଆହତ ହୋଇ ସୁସ୍ଥ ହେବା ପରେ ସେ ପୁଣି କାମ ଚାଲୁ ରଖିଥିଲା । ବିଶେଷକରି ସେ ‘କାଳୁଚୁଆ’ ପାହାଡ଼ରେ ବ୍ଲାଷ୍ଟିଂ କରି ଅଧା ମୁଣ୍ଡିଆକୁ ପଦା କରି ଦେଇଥିଲା । ତେଣୁ ଏସ୍ଟିଏଫ୍ ଟିମ୍ ସ୍କାନରରେ ଥିଲା ବାଦଲ । ବାଦଲ ନାମରେ ବହୁ ଅପରାଧିକ ମାମଲା ଥିବା ମଧ୍ୟ ଏସ୍ଟିଏଫ୍ ଜାଣିବାକୁ ପାଇଥିଲା । ତାକୁ ଗିରଫ କରିବା ପାଇଁ ଅନେକ ଥର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ସବୁବେଳେ ଚକ୍ମା ଦେଇ ଖସି ପଳାଉଥିଲା । ଗତକାଲି ଏସ୍ଟିଏଫ୍ ଟିମ୍ ବେଗୁନିଆ ଅଞ୍ଚଳରୁ ବାଦଲକୁ ଗିରଫ କରିବାରେ ସଫଳ ହୋଇଥିଲେ । ବାଦଲକୁ ଜେରା ବେଳେ ସେ ଅନେକ ବଡ଼ ବଡ଼ ଖଣି ମାଫିଆଙ୍କ ବିଷୟରେ ଏସ୍ଟିଏଫ୍କୁ ସୂଚନା ଦେଇଥିଲା । ଆଜି ବାଦଲକୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ବାଦଲ ଦେଇଥିବା ବଡ଼ ଖଣି ମାଫିଆଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଅଭିଯାନ ଜାରି ରହିଥିବା ଆଇଆଇସି ଶ୍ରୀ ଜେନା କହିଛନ୍ତି ।
Comments are closed, but trackbacks and pingbacks are open.