ଖଣ୍ଡଗିରିରୁ ୯ ଡକାୟତ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଡକାୟତି ଉଦ୍ୟମ ବେଳେ ସ୍ପେଶାଲ ସ୍କ୍ୱାଡ୍ ପୁଲିସ ଜଟଣୀ ଓ ଖଣ୍ଡଗିରି ଥାନା ଅଞ୍ଚଳରେ ଚଢ଼ଉ କରି ୯ ଜଣଙ୍କୁ ଧରିଛି । ସେମାନଙ୍କ ଠାରୁ ମାରଣାସ୍ତ୍ର, ଟଙ୍କା ଓ ଲଙ୍କାଗୁଣ୍ଡ ଜବତ ହୋଇଛି । ଗିରଫ ୯ ଡକାୟତଙ୍କୁ ଖଣ୍ଡଗିରି ଓ ଜଟଣୀ ଥାନା ପୁଲିସ ଜିମା ଦିଆଯାଇଛି ।
ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ଼ ୮ଟାବେଳେ ଘାଟିକିଆ ଖେଳପଡ଼ିଆ ନିକଟରେ କିଛି ଅପରାଧୀ ଏକାଠି ହୋଇଥିଲେ । ସେମାନେ ଡକାୟତି ପାଇଁ ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏସିପି ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା । ଏହି ସମୟରେ ଡକାୟତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ପୁଲିସ ଟିମ୍ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା । ସେଠାରୁ ୫ ଡକାୟତଙ୍କୁ ପୁଲିସ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ୪ ପ୍ୟାକେଟ୍ ଲଙ୍କାଗୁଣ୍ଡ, ୫ଟି ମୋବାଇଲ ଫୋନ ଏବଂ ୧୪ ହଜାର ୧୫୦ ଟଙ୍କା ଜବତ ହୋଇଥିଲା । ୫ ଜଣଙ୍କୁ ଧରି ସ୍ପେଶାଲ ସ୍କ୍ୱାଡ୍ ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଥିଲା । ସେମାନେ ହେଲେ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରର ଅଶୋକ ସାହୁ(୨୫), କଳିଙ୍ଗନଗରରେ ରହୁଥିବା ଶିବାନନ୍ଦ ଦାସ(୨୮), ପଟିଆରେ ରହୁଥିବା ପିପିଲିର ପ୍ରଶାନ୍ତ କୁମାର ସାହୁ(୩୦), କଳିଙ୍ଗନଗରରେ ରହୁଥିବା ଜଗତସିଂହପୁରର ସୁଶାନ୍ତ କୁମାର ଦାସ(୨୦) ଏବଂ ସାଗର ସାହୁ (୩୧) ।
ସେହିପରି ଜଟଣୀ କିଷ୍ଟ କଲେଜ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଗତକାଲି ବିଳମ୍ବିତ ରାତିରେ କିଛି ଅପରାଧୀ ବସି ଡକାୟତି ପାଇଁ ଯୋଜନା ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ସ୍ପେଶାଲ ସ୍କ୍ୱାଡ୍ । ରାତି ପ୍ରାୟ ଗୋଟାଏ ବେଳେ ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା । ସେଠାରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁରର ଅଜିତ ନାୟକ(୩୦), କେନ୍ଦ୍ରାପଡ଼ା ଜିଲ୍ଲା ଠାକୁରପାଟଣା ଉଦୟନଗରର ଦୀପକ କୁମାର ନାଥ(୨୦), ବ୍ରହ୍ମପୁର ଟାଉନର ଶଙ୍କର କହଁର ଏବଂ ଜଟଣୀ ବାଲିଛକ ମୁଣ୍ଡିଆସାହିର ସୁକାନ୍ତ ଦାସ(୨୨) । ଗିରଫ ଡକାୟତଙ୍କ ଠାରୁ ଖଣ୍ଡା,କାତି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଥିଲା । ସ୍ପେଶାଲ ସ୍କ୍ୱାଡ ଧରାପଡ଼ିଥିବା ଡକାୟତମାନଙ୍କୁ ଜଟଣୀ ଥାନା ପୁଲିସ ଜିମା ଦେଇଥିଲା । ଏହି ଅପରାଧୀଙ୍କ ନାମରେ ଗଞ୍ଜାମ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ସମେତ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons