କାଲିମେଳା,(ବି.ବି.ନୁ୍ୟଜ୍): ଆବଶ୍ୟକ ପରିମାଣର କ୍ଷୀର ମିଳୁନି । ଫଳରେ ଦୀର୍ଘ ବର୍ଷ ହେଲା ଖତ ଖାଉଛି ଓମଫେଡ୍ ଦୁଗ୍ଧ ଶୀତଳିକରଣ କେନ୍ଦ୍ର । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଚର ଜମି ଅଭାବ ସାଙ୍ଗକୁ ଗାଈ ଚାଷ କରିବାକୁ ସରକାରୀ ପ୍ରୋତ୍ସାହନ ମିଳୁ ନଥିବାରୁ ଲୋକେ ଏଥିରୁ ମୁହଁ ଫେରାଉଛନ୍ତି ।
କେନ୍ଦ୍ରରେ କାର୍ଯ୍ୟ କରୁଥିବା ଶିକ୍ଷିତ ଯୁବକ ସୁନୀଲ କହନ୍ତି, ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଏହି ଶୀତଳୀକରଣ ୟୁନିଟ ରହିଛି । ୟୁନିଟ ଚଳାଇବାକୁ ଚାଷୀମାନେ ଦୁଗ୍ଧ ନଆଣିବାରୁ କମ୍ପାନି ବାଧ୍ୟ ହୋଇ ଏହାକୁ ବନ୍ଦ କରିଛି । ଶୀତଳୀକରଣ କେନ୍ଦ୍ର ଉପରେ ନିର୍ଭର କରି ପରିବାର ପୋଷଣ କରୁଥିବା ସ୍ଥାନୀୟ ଅଞ୍ଚଳର ଅନେକ ଲୋକେ ଏବେ ହାତ ବାନ୍ଧି ବସିଛନ୍ତି ।
ସ୍ଥାନୀୟ ଚାଷୀ କହିଛନ୍ତି, ଅଞ୍ଚଳରେ ଗୋଚର ଜମିରେ ବହୁତ ଅଭାବ ରହିଛି । ଯେଉଁସବୁ ସରକାରୀ ଗୋଚର ଜମି ଥିଲା ସେ ସବୁଠାରେ ଲୋକେ ଏବେ ଘର କରି ରହୁଛନ୍ତି । ଗାଈ ଚରିବାକୁ କେଉଁଠି ହେଲେ ଘାସ ଟିକେ ନାହିଁ । ସେହିପରି ଗାଁ ଗହଳିରେ ଥିବା ଧାନ ମିଲ୍ ଗୁଡ଼ିକରୁ ମାଫିଆମାନେ କୁଣ୍ଡା ନେଇ ବାହାର ରାଜ୍ୟରେ ଚଢା ଦରରେ ବିକ୍ରି କରୁଛନ୍ତି । ଫଳରେ ଏଠିକାର ଗାଈଗୋରୁ କୁଣ୍ଡା ଖାଇବାକୁ ପାଉନାହାନ୍ତି । ଜମିବାଡ଼ି ନଥିବା ଗରିବ ଚାଷୀ ଋଣକରି ଗାଈ କ୍ଷୀର ବିକ୍ରି କରି ପରିବାର ପୋଷଣ କରିବାକୁ ଚାହିଁଲେ ବି କରିପାରୁ ନାହାନ୍ତି । କାଲିମେଳା ସଦରରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସମସ୍ତ ସୁବିଧା ଥିଲେ ହେଁ ପଶୁ ପାଳନ କରିବାକୁ ଲୋକେ ସେପରି ଆଗ୍ରହ ଦେଖାଉ ନାହାନ୍ତି । ଧାନ ଚାଷ କରୁଥିବା ଚାଷୀମାନେ ସେମାନଙ୍କ ହିଡରେ ବିଷ ପକାଇ ଘାସ ମାରି ଦେଉଛନ୍ତି । ଫଳରେ ଗାଈଗୋରୁ ଘାସ ଟିକେ ମଧ୍ୟ ପାଉ ନାହାନ୍ତି । ଜିମବାଡି ଥିବା କାଁଭାଁ ଲୋକ ଗାଈ ରଖିଛନ୍ତି । ଅଞ୍ଚଳରୁ ଯେତିକି କ୍ଷୀର ଏବେ ମିଳୁଛି ତାହା ଏଠିକାର ଛୋଟ ପିଲାଙ୍କ ପାଇଁ ନିଅଣ୍ଟ ।


Comments are closed, but trackbacks and pingbacks are open.