ଖଲିକୋଟ:ଦୁବାଇରେ କୈଠଡ଼ା ଗ୍ରାମର ଶ୍ରମିକଙ୍କ ମୃତ୍ୟୁ

Get real time updates directly on you device, subscribe now.

ଖଲିକୋଟ, (ବି.ବି.ନ୍ୟୁଜ୍): ଖଲିକୋଟ ଅଞ୍ଚଳରେ ଉକ୍ରଟ ହେବାରେ ଲାଗିଛି ଦାଦନ ସମସ୍ୟା । ଜଣକ ପରେ ଜଣେ ଶ୍ରମିକଙ୍କ ବାହାର ରାଜ୍ୟ ତଥା ବିଦେଶରେ ନିର୍ଯାତନା ଓ ମୃତ୍ୟୁ ବାବଦ ଖବର ଗାଁମାନଙ୍କରେ ପହଞ୍ଚୁଛି । ପରିବାର ଲୋକ ତଥା ଗ୍ରାମବାସୀଙ୍କୁ ଦୁଃଖଶୋକରେ ଭସାଇ ଦେଉଛି । ଖଲିକୋଟ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ-ବାଗଲପୁର ପଞ୍ଚାୟତ କୈଠଡ଼ା ଗ୍ରାମର ଜୟ ଦଳେଇଙ୍କ ଦୁବାଇରେ ମୃତ୍ୟୁ ଘଟିଛି । ମାତ୍ର ଦେଢ଼ ବର୍ଷ ପୂର୍ବେ ସେ ପରିବାର ପ୍ରତିପୋଷଣ ପାଇଁ ଘର ପରିବାର ଛାଡ଼ି ଦୁବାଇ ଯାଇଥିଲେ । ହେଲେ ରୋଜଗାର ବାବଦ ଅର୍ଥ ନେଇ ଗାଁକୁ କଣ ଫେରିବେ, ତାଙ୍କ ମୃତଦେହ ଫେରିବାକୁ ଅପେକ୍ଷା କରିଛନ୍ତି ପରିବାର ଲୋକ । ଏ ବାବଦ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ତଥା ଶ୍ରମ ବିଭାଗ ପଦକ୍ଷେପ ନେବା ଆରମ୍ଭ କରିଛି ।
ପରିବାର ପ୍ରତିପୋଷଣ ପାଇଁ ଅଧିକ ଅର୍ଥ ଉପାର୍ଜନ ଆଶା ନେଇ ୧୮ ମାସ ପୂର୍ବରୁ ଦୁବାଇ ଯାଇଥିଲେ ଜୟ ଦଳେଇ । ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ଶୁକ୍ରବାର ଜୟ ଦଳେଇଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପାଖରେ ରହୁଥିବା ସମ୍ପର୍କୀୟ ଭାଇ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଆଜି ଜଣାଇଥିଲେ । ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିଲେ ମଧ୍ୟ ଏହି ଦୁଃଖଦ ଖବର ଶୁଣି ସ୍ତ୍ରୀ ହୀରା ଦଳେଇଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଗୋଟିଏ ବୋଲି ରୋଜଗାରିଆ ପୁଅକୁ ହରାଇ ବାପା ଅଙ୍ଗଦ ଦଳେଇଙ୍କ ଆଖିରୁ ଲୁହ ଶୁଖୁନାହିଁ । ଜୟଙ୍କ ବଡ଼ ପୁଅ କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇଥିବା ବେଳେ ଘରେ ସାନ ପୁଅ ଓ ଦୁଇ ଝିଅ ବାପାଙ୍କ ମୃତ୍ୟୁ ଖବର ପାଇ ଘଡ଼ିକେ ପରେ ଘଡ଼ିକେ ଅଚେତ ହୋଇଯାଉଛନ୍ତି । ଗାଁରେ ଶୋକର ଛାୟା ଖେଳିଯାଇଛି । ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ରାଜ୍ୟର ଶ୍ରମ ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ମୃତ ଦେହକୁ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ଜଣାଇଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ମଧ୍ୟ ରବିବାର ପରିବାର ଲୋକଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ଏ ବିଷୟରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ନୀରିକ୍ଷକ ବି.ହୃଷିକେଶ ରାଓ କୈଠଡ଼ା ଗ୍ରାମକୁ ଆସି ପରିବାର ଲୋକଙ୍କ ଠାରୁ ସମସ୍ତ ତଥ୍ୟ ପଚାରି ବୁଝିଛନ୍ତି । ଶୀଘ୍ର ମୃତ ଜୟ ଦଳେଇଙ୍କ ଶବକୁ ଗ୍ରାମକୁ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି । ତେବେ ବାରମ୍ବାର ଏଭଳି ଘଟଣା ଖଲିକୋଟ ଅଞ୍ଚଳରେ ଘଟୁଥିବା ବେଳେ ଦାଦନ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ ତରଫରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରୁଛନ୍ତି ଅଞ୍ଚଳବାସୀ । ଉଲ୍ଲେଖଯୋଗ୍ୟ ଯେ- ଗତ ୨ ତାରିଖରେ ଏହି ଅଞ୍ଚଳ ପଥରା ଗ୍ରାମର ବସନ୍ତ ସାଧବଙ୍କ ଦୁବାଇ- ଆବୁଧାବିରେ ହିଁ ମୃତ୍ୟୁ ଘଟିଥିବା ଖବର ଆସିଥିଲା । ପରିବାର ଲୋକ ଅଞ୍ଚଳକୁ ଗସ୍ତରେ ଆସିଥିବା ଜିଲ୍ଲାପାଳଙ୍କୁ ଏ ବାବଦରେ ଜଣାଇବା ପରେ ଜିଲ୍ଲା ପ୍ରଶାସନ ମୃତଦେହକୁ ଗତ ୧୦ ତାରିଖରେ ଫେରାଇ ଆଣିଥିଲା । ଅଞ୍ଚଳରେ ବେକାରୀ ସମସ୍ୟା ବଢ଼ି ଚାଲିଥିବାରୁ ଏହାର ସୁଯୋଗ ନେଇ ଦଲାଲମାନେ ମୋଟା ଅଙ୍କର ଅର୍ଥ ନେଇ ଯୁବକମାନଙ୍କୁ ଭିସା ଓ ପାସ୍ପୋର୍ଟ ମାଧ୍ୟମରେ ବାହାର ଦେଶକୁ ପଠାଉଛନ୍ତି । ଅଥଚ ପରେ ଦାଦନମାନଙ୍କ ନିର୍ଯାତନା ଓ ଆହତ ତଥା ମୃତ୍ୟୁ ସମ୍ପର୍କିତ ଖବର ଗାଁରେ ପହଞ୍ଚୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons