ଖାଲି ହାତରେ ଫେରିଲା ୟୁପି ପୁଲିସ

Get real time updates directly on you device, subscribe now.

ଭୁବନେଶ୍ୱର: ଶାଶ୍ୱତ ପ୍ରେମକୁ କୌଣସି ବାଧା ବିଘ୍ନ ଅଟକାଇ ପାରେନି । ଯାହା ପୁଣି ଥରେ ପ୍ରମାଣିତ ହୋଇଛି । ପ୍ରେମୀ ଯୁଗଳଙ୍କୁ ଅଲଗା କରିବାକୁ ଭୁବନେଶ୍ୱର ଆସିଥିବା ଉତ୍ତରପ୍ରଦେଶ ପୁଲିସ୍ ଶେଷରେ ବିଫଳତା ସ୍ୱାଦ ଚାଖିଛି । ନାବାଳିକାକୁ ଅପହରଣ ଅଭିଯୋଗ ଆଣିଥିବା ପୁଲିସ୍ର ମୁହଁ ବନ୍ଦ କରିଛନ୍ତି ପ୍ରେମିକା । ଅପହରଣ ନୁହେଁ, ନିଜ ଇଚ୍ଛାରେ ବିବାହ କରିଥିବା ନେଇ ପ୍ରେମିକାଙ୍କ ବୟାନ ପରେ ଉତ୍ତରପ୍ରଦେଶ ପୁଲିସ୍ ଖାଲି ହାତରେ ଫେରିଛି ।
ସୂଚନା ମୁତାବକ, ଉତ୍ତରପ୍ରଦେଶ ଗୋରଖପୁର କୋରାବାର୍ ପୁଲିସ ଥାନା ଅଞ୍ଚଳରେ ଆକାଂକ୍ଷା ସିଂ ରହୁଛନ୍ତି । ସେଠାକାର ଏକ ଘରୋଇ ସଂସ୍ଥାରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ହାଇଟେକ୍ ଅଞ୍ଚଳର ପୃଥୀରାଜ୍ ପଣ୍ଡା ଚାକିରି କରୁଥିଲେ । ଗତବର୍ଷ ଲକ୍ଡାଉନ୍ ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏଥର ଲକ୍ଡାଉନ୍ ଆରମ୍ଭ ପୂର୍ବରୁ ପୃଥୀରାଜ୍ ଘରକୁ ପଳାଇ ଆସିଲେ । ଆକାଂକ୍ଷା ମଧ୍ୟ ପୃଥୀରାଜ୍ଙ୍କ ବିନା ସେଠାରେ ରହିପାରିଲେନି । ଗତ ୧୫ ତାରିଖରେ ଟ୍ରେନ୍ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଲେ । ପରେ ୧୭ ତାରିଖରେ ଉଭୟେ କୋର୍ଟରେ ବିବାହ କରିଥିଲେ । ସେହିଦିନ ଖଣ୍ଡଗିରି ମନ୍ଦିରରେ ମଧ୍ୟ ବିବାହ କରିଥିବା ଜଣାପଡ଼ିଛି । ସେପଟେ ଗତ ୧୬ ତାରିଖରେ ଆକାଂକ୍ଷାଙ୍କ ପରିବାର ଲୋକ କୋରାବାର୍ ଥାନାରେ ଅପହରଣ ଅଭିଯୋଗ କରିଥିଲେ । ଆକାଂକ୍ଷା ନାବାଳିକା ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଥିଲେ । ଉତ୍ତରପ୍ରଦେଶ ପୁଲିସର ଏକ ଟିମ୍ ଗତକାଲି ଏଠାକୁ ଆସି ପହଞ୍ଚି ଥିଲା ।
ଏୟାରଫିଲ୍ଡ ଥାନା ପୁଲିସ ଘଟଣାର ତଦନ୍ତ କରିବା ପରେ ଉତ୍ତରପ୍ରଦେଶ ପୁଲିସକୁ କହିଥିଲା ଯେ ଯୁବତୀ ଜଣକ ସାବାଳିକା । ସେ ଆଇନ୍ ସମ୍ମତ ବିବାହ କରିଥିବାରୁ ନିଜ ଇଛାରେ ସ୍ୱାମୀଙ୍କ ସହ ରହିପାରିବେ ।
ଆଜି ସ୍ଥାନୀୟ ସିଜେଏମ୍ କୋର୍ଟରେ ଧାରା ୧୬୪ ଅନୁସାରେ ଆକାଂକ୍ଷାଙ୍କ ବୟାନ ରେକର୍ଡ ହୋଇଥିଲା । ଏହି ସମୟରେ ଯୁବତୀ ଜଣକ ନିଜ ପ୍ରମାଣ ପତ୍ରରେ ସାବାଳିକା (୧୮ ବର୍ଷ ୪ମାସ) ବୋଲି ଦର୍ଶାଇଥିଲେ । ସେ ନିଜ ପରିବାର ବିରୋଧରେ ଅଭିଯୋଗ ବାଢିଥିଲେ । ସେମାନେ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଧମକ ଚମକ ଦେଉଥିବା ଯୁବତୀ ଅଭିଯୋଗ କରିଥିଲେ । ଏପରିକି ସେ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଥିବା ନେଇ ଭିଡିଓ ଜରିଆରେ ଜଣାଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons