ଖୋଲିଲା କୁଲଡିହା ଅଭୟାରଣ୍ୟ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ଜୁନ ୧୬ ତାରିଖରୁ ବନ୍ଦ ଥିଲା ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ । ପର୍ଯ୍ୟଟକଙ୍କ ଲାଗି ବନବିଭାଗ ଆଜି କୁଲଡିହା ଅଭୟାରଣ୍ୟ ଖୋଲିଛି । ଏ ନେଇ ପୂର୍ବରୁ ବ୍ୟାପକ ପ୍ରସ୍ତୁତି ସରିଛି । ଏଥର ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ରହିବ ନେଚର୍ସ କ୍ୟାମ୍ପ ।
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ । ୨୭୨.୭୫ ବର୍ଗ କିଲୋମିଟର ଏହି ଅଭୟାରଣ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ଏହା ଭିତରେ ଝରଣା ସହିତ ବାଘ, ଭାଲୁ, ହାତୀ, ହରିଣ, ସମ୍ବର, କୁଟାରୀ, ଗୁରାଣ୍ଡି, ଝିଙ୍କ, ଗୟଳ, ବାରହା, ବେଲରା ମୂଷା, ମୟୂର ସମେତ ଶତାଧିକ ପ୍ରଜାତିର ଦେଶୀ ଏବଂ ବିଦେଶୀ ପକ୍ଷୀ ଅଛନ୍ତି । ଏଠି ପର୍ଯ୍ୟଟକମାନେ ଜଙ୍ଗଲ ଭିତରେ ବୁଲି ବୁଲି ଜୀବଜନ୍ତୁଙ୍କୁ ଦେଖିଥା’ନ୍ତି । ଜୁନ ମାସ ୧୬ ତାରିଖରୁ ଅଭୟାରଣ୍ୟ ବନ୍ଦ ଥିଲା । ଆଜି ଖୋଲା ଯାଇଥିବା ବେଳେ ପ୍ରଥମ ପର୍ଯ୍ୟଟକ ଭାବେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ପ୍ରଭାକର ସ୍ୱାଇଁ ନିଜ ପରିବାର ସହ ବୁଲି ଆସିଥିଲେ । ପର୍ଯ୍ୟଟକ ଜଣକ ପିଛା ୪୦ ଟଙ୍କା, ଗାଡି ୧୦୦ ଟଙ୍କା, କ୍ୟାମେରା ନେଲେ ୫୦ ଟଙ୍କା ରାଜସ୍ୱ ଦେବାକୁ ବନବିଭାଗ ସ୍ଥିର କରିଛି । ନେଚର୍ସ କ୍ୟାମ୍ପରେ ରାତ୍ରି ରହଣିର ସୁବିଧା କରାଯାଇଛି । ଏଥି ଲାଗି ୨ ଜଣଙ୍କ ପିଛା ୩ ହଜାର ଟଙ୍କାର ଆଦାୟ ହେଉଛି । ଏସବୁକୁ ମା’ ଦୁଃଖିଲା ପାଟ ଇକୋ ଟୁରିଜିମ ଡେଭ୍ଲପମେଣ୍ଟ କମିଟି ବୁଝିଥାଏ । ଆଜି ସକାଳୁ ଗୋହିରାଭୋଳ ଗେଟରେ ପର୍ଯ୍ୟଟକମାନଙ୍କୁ ଏସିଏଫ୍ ତପନ କୁମାର ପରିଡା, ରେଞ୍ଜର ବିଜୟ କୁମାର ମହାପାତ୍ର, ବାଲିଆନାଳ ଫରେଷ୍ଟର ପରମାନନ୍ଦ ନାୟକ, କୁଲଡିହା ଫରେଷ୍ଟର ନରେଶ ସିଂ, ଗୋହିରାଭୋଳ ଫରେଷ୍ଟର, ଫରେଷ୍ଟ ଗାର୍ଡ ଭକ୍ତିଲତା ଦାସ ସମେତ ସବୁଜ ବାହିନୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଅଭୟାରଣ୍ୟରେ ଜୀବଜନ୍ତୁ ଦେଖିବା ସହ ନେଚର୍ସ କ୍ୟାମ୍ପ ବୁଲିବାର ମଜା ଉଠାଇଥିବା ବେଳେ ବୋଟିଂର ସୁବିଧା ପର୍ଯ୍ୟଟକମାନେ ନେଇଛନ୍ତି । ପ୍ରଥମ ଦିନରେ ମୋଟ ୯ ଟି ଗାଡିରେ ୪୯ ଜଣ ପର୍ଯ୍ୟଟକ ବୁଲି ଆସିଥିବା ବେଳେ ସର୍ବାଧିକ ବଙ୍ଗୀୟ ପର୍ଯ୍ୟଟକ ଥିବା ଜଣାଯାଇଛି । ପର୍ଯ୍ୟଟକଙ୍କ ପାଇଁ ଆଗକୁ ଆହୁରି ଅଭୟାରଣ୍ୟର ଉନ୍ନତି କରାଯିବା ସହ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ପର୍ଯ୍ୟଟକ ଆସିବେ ବୋଲି ସୂଚନା ଦେଇଛନ୍ତି ଏସିଏଫ୍ ତପନ କୁମାର ପରିଡା । ଅଭୟାରଣ୍ୟରେ ମାଂସ ସମ୍ପୂର୍ଣ୍ଣ ନିଷେଧ ଥିବା ବେଳେ ମାଛ ଓ ଅଣ୍ଡା ପାଇଁ କଟକଣା ନଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons