କଟକ,(ବି.ବି.ନୁ୍ୟଜ୍): ପାଖରେ ପଇସା ନାହିଁ । ସରକାରୀ ହସ୍ପିଟାଲରେ ମାଗଣା କ୍ୟାନସର ଚିକିତ୍ସା ସୁବିଧା ପାଇ ଭଲ ହୋଇଯିବି ବୋଲି ସେଇ ଆଶାରେ ସୁନ୍ଦରଗଡ଼ ବଣେଇରୁ ଆସି କଟକରେ ପଡିଛି । ୮ ଦିନ ହେଲା ପଦାରେ ପଡିଛି । କରୋନା ନେଗେଟିଭ ରିପୋର୍ଟ ଥାଇ ବି ଆଡମିସନ୍ ମିଳୁନି । ଡାକ୍ତରଖାନା ୱାର୍ଡରେ ପୂରେଇ ଦେଉନଥିବାରୁ ନିଜ ଭାଗ୍ୟକୁ ଆଦରି ପତ୍ନୀକୁ ସାଙ୍ଗରେ ଧରି ଗଛ ଛାଇକୁ ଆଶ୍ରା କରି ପଦାରେ ପଡିଛି । -ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଚିକିତ୍ସା ପାଇଁ ଆସି ଗଛମୂଳେ ଦୁର୍ଦ୍ଧଶାରେ ଘାଣ୍ଟି ହେଉଥିବା ଜଣେ କର୍କଟ ପୀଡ଼ିତ ଧନେଶ୍ୱରଙ୍କର ଏ ହେଉଛି ଅସହାୟତାର ପରିଭାଷା । କେବଳ ଧନେଶ୍ୱର ନୁହନ୍ତି ଏଇଭଳି ଅନେକ ରୋଗୀ ଏବେ ଚିକିତ୍ସା ଆଶାରେ ଗଛମୂଳେ, ଫୁଟପାଥରେ ପଡିରହିଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା ବଣେଇ ଥାନା କିନ୍ଦ୍ରିକେଲା ଗାଁର ଧନେଶ୍ୱର ପାତ୍ର (୫୦) କ୍ୟାନସରରେ ପୀଡ଼ିତ । ସେ ଗତ ମଙ୍ଗଳବାରଠାରୁ ଆସି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସା ପାଇବା ଆଶାରେ ପଡିଛନ୍ତି । ଡାକ୍ତରଖାନାରେ ତାଙ୍କ କୋଭିଡ୍ ପରୀକ୍ଷାରୁ ନେଗେଟିଭ୍ ରିପୋର୍ଟ ଆସିବା ପରେ ଚିକିତ୍ସା ପାଇଁ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ସମସ୍ତ ପରୀକ୍ଷା ରିପୋର୍ଟ ମିଳିଯାଇଛି । ସିଟି ସ୍କାନ୍ ପରୀକ୍ଷା ହୋଇ ଫିଲ୍ମ ଫଟୋ ମିଳିଥିବା ବେଳେ କେବଳ ରିପୋର୍ଟ ମିଳିପାରିନାହିଁ । ରିପୋର୍ଟ ହସ୍ତଗତ ହୋଇନଥିବାରୁ ୮ ଦିନ ହେଲା ହେଲାଣି ଆଡ଼ମିସନ୍ ମିଳୁନି କିମ୍ବା ଅନ୍ୟାନ୍ୟ ଚିକିତ୍ସାର ନାଁ ଗନ୍ଧ ନାହିଁ ବୋଲି ଧନେଶ୍ୱରଙ୍କ ପତ୍ନୀ ପ୍ରମିଳା ପାତ୍ର ଅଭିଯୋଗ କରିଛନ୍ତି ।
ସେହିପରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଭୋବନି ଜେନା(୪୮) । ଜିଭରେ କ୍ୟାନସର ହୋଇଥିବାରୁ ସେ ଚିକିତ୍ସା ପାଇବା ପାଇଁ ୯ ଦିନ ତଳେ କ୍ୟାନସର ହସ୍ପିଟାଲ ଆସିଥିଲେ । ଆଣ୍ଟିଜେନ୍ ପରୀକ୍ଷାରେ ରିପାର୍ଟ ନେଗେଟିଭ ମାତ୍ର ୱାର୍ଡରେ ଆଡମିସନ୍ ମିଳୁନି । ଆରମ୍ଭରୁ ଦିନ ବେଳା କେଇ ଦିନ (ରେଡିଏସନ୍ ଚିକିତ୍ସା)ଲାଇଟ୍ ପକାଇଥିଲେ । ଦିନ ବେଳା ଲାଇଟ୍ ପକାଇଥିଲେ ହେଁ ୱାର୍ଡରେ କିନ୍ତୁ ଆଡମିସନ୍ କରୁନାହାନ୍ତି । କେମୋ ଦରକାର ପଡୁଥିଲେ ମଧ୍ୟ ଆଡମିସନ୍ ମିଳିପାରିନଥିବାରୁ ୱାର୍ଡରେ ପଶିପାରୁନାହାନ୍ତି ଭୋବନି । ଫୁଟପାଥ୍ରେ ଖୋଲା ଆକାଶ ତଳେ ମୋ ସ୍ୱାମୀଙ୍କୁ ଧରି ପଡୁଛି ବୋଲି ପତ୍ନୀ କବିତା ଜେନା କହିଛନ୍ତି । କୋରାପୁଟ ବରିଗୁମା ଥାନା ସନ୍ଧିମୁଣ୍ଡା ଗାଁର ବଳଭଦ୍ର ଭୂମିଆଁ (୬୦)ଙ୍କର ଲିଭର କ୍ୟାନସର ହୋଇଥିବାରୁ ସେ ମଧ୍ୟ କିଛି ଦିନ ହେଲା ଆସି କ୍ୟାନସର ହସ୍ପିଟାଲର ଫୁଟପାଥରେ ପଡ଼ିଛନ୍ତି । କିନ୍ତୁ ଆଡମିସନ୍ ସୁବିଧା ମିଳିପାରିଲା ନାହିଁ । ଫଳରେ ବୁଧବାର ସେ ନିଜ ଘରକୁ ନିରାଶ ହୋଇ ଫେରିଯାଇଛନ୍ତି । ଚିକିତ୍ସା ପାଇବା ଆଶାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସପ୍ତାହ ଦୁଇ ସପ୍ତାହ ଧରି ପଡି ରହୁଥିଲେ ମଧ୍ୟ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହିଁ । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଚିକିତ୍ସା ପୂର୍ବରୁ କୋଭିଡ୍ ପରୀକ୍ଷା କରାଯାଉଛି । କେତେକ ରୋଗୀଙ୍କର ରିପୋର୍ଟ ନେଗେଟିଭ ଥିଲେ ସୁଦ୍ଧା ସେମାନଙ୍କୁ ଆଡମିସନ ସୁବିଧା ମିଳିପାରୁନାହିଁ । ଫଳରେ ଆଡମିସନ୍ ପାଇବା ରୋଗୀ ଗଛମୂଳେ ଏବଂ ଖୋଲା ଆକାଶ ତଳେ ପଡୁଛି । ତେବେ ଏ ସଂପର୍କରେ ହସ୍ପିଟାଲ୍ ନିଦେ୍ର୍ଧଶକ ପ୍ରଫେସର ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ କହିଛନ୍ତି ଯେ, ରୋଗୀମାନଙ୍କର ସ୍ଥିତି ଦେଖି ସେମାନଙ୍କୁ ଆଡମିସନ୍ ଦିଆଯାଉଛି । ତେବେ ବାହାରେ ଦୟନୀୟ ଅବସ୍ଥାରେ ରୋଗୀ ପଡିଥିବା ସଂପର୍କରେ ସେ ଅନୁଧ୍ୟାନ କରିବେ ଓ ତୁରନ୍ତ ସେମାନଙ୍କୁ ଆଡମିସନ୍ ଦିଆଯିବ ବୋଲି ପ୍ରଫେସର ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଛନ୍ତି ।


Comments are closed, but trackbacks and pingbacks are open.