ଲମତାପୁଟ,(ବି.ବି.ନ୍ୟୁଜ୍): ପ୍ରବଳ ବର୍ଷା ଯୋଗୁ ଲମତାପୁଟ ବ୍ଲକ୍ ତୁଷୁବା ପଞ୍ଚାୟତ ବଡ଼ପଡ଼ା ଗାଁରେ ଗଛ ପଡି ଜଣଙ୍କ ଘର ଭାଙ୍ଗିଯାଇଛି । କିନ୍ତୁ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି । ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଗାଁର ସୋମନାଥ ବୁରୁଡିଙ୍କ ପରିବାର ୬ ପ୍ରାଣୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ରାତିରେ ସୋମନାଥଙ୍କ ପରିବାର ରାତିରେ ଖାଇ ଶୋଇଥିଲେ । ବିଳମ୍ବିତ ରାତିରେ ଜୋର୍ରେ ପବନ ସାଙ୍ଗକୁ ବର୍ଷା ହେବାରୁ ଘର ପାଖରେ ଥିବା ଏକ ବଡ଼ ତେନ୍ତୁଳିଗଛ ମୂଳରୁ ଉପୁଡି ପଡି ତାଙ୍କ ଘର ପଡ଼ିଯାଇଥିଲା । ଶବ୍ଦ ହେବାରୁ ପରିବାର ସମସ୍ତେ ଉଠିପଡି ସଙ୍ଗେ ସଙ୍ଗେ ବାହାରକୁ ଚାଲି ଯାଇଥିଲେ । ତାଙ୍କ ଘରର କାନ୍ଥ ଭାଙ୍ଗିଯାଇଥିବା ବେଳେ ଟାଇଲ୍ଗୁଡ଼ିକ ନଷ୍ଟ ହୋଇଯାଇଛି । ରାତିରେ ପରିବାର ଲୋକେ ପଡୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଇଥିଲେ । ଆଜି ସକାଳେ ୱାର୍ଡମେମ୍ବର ଗଡୁଆ କିର୍ଷାନୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ସେ ତହସିଲଦାରଙ୍କୁ ଅବଗତ କରିଥିଲେ । ଗଛ ପଡି ଘର ଭାଙ୍ଗିଯାଇଥିଲେ ବି ସନ୍ଧ୍ୟା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଏପର୍ଯ୍ୟନ୍ତ ଗାଁରେ ପହଞ୍ଚି ନାହାନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା କେହି କ୍ଷୟକ୍ଷତି ଆକଳନ କରିବାକୁ ଆସି ନଥିବାରୁ ପୁଣିଥରେ ପରିବାର ଲୋକେ ପଡୋଶୀ ବାରଣ୍ଡାରେ ରାତି କଟାଇବେ ବୋଲି ସୋମନାଥ କ୍ଷୋଭର ସହ ପ୍ରକାଶ କରିଛନ୍ତି । ସୋମନାଥ ଅତ୍ୟନ୍ତ ଗରିବ ହୋଇଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.