ଗଞ୍ଜାମରେ କରୋନାରେ ପୁଣି ୩ ମୃତୁ୍ୟ, ଜିଲ୍ଲାରେ ୨୧

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍ବେଗଜନକଭାବେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢୁଛି । ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୩୮ ହୋଇଥିବାବେଳେ କେବଳ ଗଞ୍ଜାମରେ ୨୧ । ସେପଟେ ଆକ୍ଟିଭ୍ ରୋଗୀଙ୍କ ତୁଳନାରେ ଶଯ୍ୟା ସଂଖ୍ୟା ବହୁତ କମ୍ । କୋଭିଡ୍ ହସ୍ପିଟାଲ୍ରେ ଶଯ୍ୟା ଅଭାବ କାରଣରୁ ବହୁ ରୋଗୀଙ୍କ ଚିକିତ୍ସା ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨୬୬୦ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ୧୦୩୭ ଚିକିତ୍ସାଧୀନ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ଶହ ଜଣ କୋଭିଡ୍ ହସ୍ପିଟାଲ୍ରେ ରହିଥିବା ବେଳେ ୫୦ଜଣ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍, ୨ଶହ ଜଣ ଶୀତଳାପଲ୍ଲୀ ପାରଳା ମହାରାଜା କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଥିବା ଜଣାଯାଇଛି । ଏହାସହ ହିଞ୍ଜିଳି, ଭଞ୍ଜନଗର, ବ୍ରହ୍ମପୁର ବିଜୁ ପ;ନାୟକ ହୋମିଓପ୍ୟାଥିକ୍ କଲେଜ ହଷ୍ଟେଲ୍ରେ ହୋଇଥିବା ଆଇସୋଲେସନ୍ରେ କେତେକ ପଜିଟିଭ୍ଙ୍କୁ ରଖାଯାଇଛି । ଏବେ ରୋଗୀଙ୍କୁ ଘରେ ହିଁ କ୍ୱାରେଣ୍ଟାଇନ୍ରେ ରହିବାକୁ ମଧ୍ୟ କୁହାଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ରୋଗୀ ସଂଖ୍ୟା ବଢ଼ିବା ଏବଂ ଶଯ୍ୟାର ଅଭାବ ଯୋଗୁଁ ପାଲୁରହିଲ୍ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟରେ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
କୋଭିଡ୍ ହସ୍ପିଟାଲ୍ରେ ୨ଶହ ଶଯ୍ୟା ରହିଛି । ଏଥିରେ ୨୦ଟି ଶଯ୍ୟାରେ ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ରହିଛି । ସମସ୍ତ ଶଯ୍ୟାରେ ରୋଗୀ ଭର୍ତ୍ତି ହୋଇଛନ୍ତି । ୧୬ଡାକ୍ତର, ନର୍ସ ୨୦ଜଣ, ୧୦ରୁ ଊଦ୍ଧ୍ୱର୍ ପାରାମେଡିକାଲ କର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଏଠାକୁ ରୋଗୀ ଆସୁଛନ୍ତି । ସବୁଦିନ ଏଠାରେ ରୋଗୀ ଭର୍ତ୍ତି ରହୁଥିବାରୁ ଅନ୍ୟ ଗୁରୁତର ରୋଗୀ ମଧ୍ୟ ଶଯ୍ୟା ଅଭାବ କାରଣରୁ ଏଠାକୁ ଆସିପାରୁନଥିବା ଅନୁମାନ ହେଉଛି । ଗଞ୍ଜାମରୁ ଅନେକ ରୋଗୀ ଭୁବନେଶ୍ୱର ଯାଉଥିବା ଜଣାଯାଉଛି ।
ପ୍ରଶାସନ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ୧୮ଜଣଙ୍କ କରୋନା ସଂକ୍ରମଣରୁ ମୃତୁ୍ୟ ହୋଇଥିଲା । ଶନିବାର ରିପୋର୍ଟ ଅନୁସାରେ ପୁଣି ୩ଜଣଙ୍କ ମୃତୁ୍ୟ ହୋଇଛି । ଜଣେ ୫୦ବର୍ଷ ବୟସ୍କଙ୍କ ମୃତୁ୍ୟ ହୋଇଥିବା ବେଳେ ସେ ଡାଇବେଟିସ୍ ଓ ଉଚ୍ଚରକ୍ତଚାପରେ ପୂର୍ବରୁ ଆକ୍ରାନ୍ତ ଥିଲେ । ଅନ୍ୟଜଣେ ୨୭ବର୍ଷର ହୋଇଥିବା ବେଳେ ଆଉଜଣେ ୩୫ବର୍ଷର ବୋଲି ସୂଚନା ଦିଆଯାଇଛି । ଜିଲ୍ଲାରେ ଆଜି ସୁଦ୍ଧା ୫୦ବର୍ଷ ବୟସରୁ କମ୍ରେ ୯ଜଣଙ୍କ ମୃତୁ୍ୟ ହେବା ଚିନ୍ତାର କାରଣ ହୋଇଛି । ଏହାର କାରଣ ସମ୍ପର୍କରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା.ସୁନିଲ କୁମାର କୋଟାଙ୍କ ମତ ହେଲା ପ୍ରଥମତଃ ଅନିୟନ୍ତ୍ରିତ ରକ୍ତ ଶର୍କରା ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀରେ ବ୍ୟବହୃତ ହେଉଥିବା ରକ୍ତ କଣିକା ଦୁର୍ବଳ ହୋଇଯାଆନ୍ତି । ଶରୀରକୁ ଇନ୍ଫେକସନ୍ରୁ ରକ୍ଷା କରୁଥିବା ଆଣ୍ଟିବଡି ଯଥେଷ୍ଟ ପରିମାଣରେ ତିଆରି ହୁଏ ନାହିଁ । କମ୍ ବୟସରେ ମୃତୁ୍ୟର ଅନ୍ୟ ଏକ ମୁଖ୍ୟ ସମସ୍ୟା ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ସେପଟେ ଶୀତଳାପଲ୍ଲୀ କୋଭିଡ୍ ହସପିଟାଲ୍ରେ ଚିକିତ୍ସା ଓ ପରିଚାଳନା ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଖଲ୍ଲିକୋଟ ସହରର ଜଣେ ଶିକ୍ଷକ, ତାଙ୍କ ପତ୍ନୀ ଓ ୮ ବର୍ଷର ଝିଅ ସୁସ୍ଥ ହୋଇ ଫେରିବା ପରେ ଡାକ୍ତରଙ୍କ ବ୍ୟବହାର ଓ ଚିକିତ୍ସା ସଂପର୍କରେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଡାକ୍ତରଙ୍କ ଚିକିତ୍ସା ଓ ବ୍ୟବହାର ତାଙ୍କ ଭିତରେ ଏକ ଅପୂର୍ବ ସାହସ ଭରିଦେଇଥିଲା ବୋଲି କହିଛନ୍ତି ସମ୍ପୃକ୍ତ ଶିକ୍ଷକ । ଅନ୍ୟପକ୍ଷରେ କୋଭିଡ୍ ହସ୍ପିଟାଲ୍ରେ ବିଭିନ୍ନ ଅନିୟମିତା ଓ ପରିଚାଳନାଗତ ତ୍ରୁଟି ନେଇ ଭିନ୍ନ ଭିନ୍ନ ସମୟରେ ଭିଡିଓ ଭାଇରାଲ୍ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons