ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଜୁଲାଇ ପହିଲାରେ ଗଞ୍ଜାମରେ କରୋନା ଗ୍ରାଫ୍ ନୂଆ ରେକର୍ଡ ସୃଷ୍ଟି କରିଛି । ଗୋଟିଏ ଦିନରେ ୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୪୭୨ ହୋଇଛି । ରାଜ୍ୟରେ ଏଯାବତ୍ ଗୋଟିଏ ଦିନରେ କୌଣସି ଜିଲ୍ଲାରେ ୧୦୦ ବା ତଦୂଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହୋଇ ନଥିଲେ । ସେହିପରି ଦିନକରେ ସର୍ବାଧିକ ୪୩ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ୨ ଜଣ ପ୍ରବାସୀ ଥିବା ବେଳେ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ ସଂଖ୍ୟା ହେଉଛି ୫୭ । ଜିଲ୍ଲାରେ ଆଉ ଜଣେ ୫୨ ବର୍ଷୀୟ ପୁରୁଷଙ୍କ କୋଭିଡ୍ ମୃତୁ୍ୟ ଘଟିଥିବା ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଫଳରେ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ୧୫ ହୋଇଛି । ଅପରପକ୍ଷରେ ୪୮ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦୪୧ରେ ପହଞ୍ଚିଛି ।
ପୂର୍ବରୁ ଜୁନ୍ ୨୯ରେ ୯୬, ଜୁନ୍ ୨୮ରେ ୭୬, ଜୁନ୍ ୨୪ରେ ମଧ୍ୟ ୭୬, ଜୁନ୍ ୬ରେ ୬୪ ଜଣ ସଂକ୍ରମିତ ହୋଇଥିଲେ । ତେବେ ଆଜି ଗୋଟିଏ ଦିନରେ ୧୦୨ ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର କାରଣ ହୋଇଛି । ଏମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବ୍ଲକ୍ରୁ ସର୍ବାଧିକ ୨୩ ଜଣ (ଜଣେ ଯୋଦ୍ଧା) ଓ ଆସିକା ବ୍ଲକ୍ରୁ ୨୨ ଜଣ (୧୬ ଯୋଦ୍ଧା) ରହିଥିବା ବୁଧବାର ଜିଲ୍ଲା ପ୍ରଶାସନ ପ୍ରଦତ୍ତ ସୂଚନାରୁ ଜଣାଯାଇଛି । ଜିଲ୍ଲାରେ ଚିହ୍ନଟ ମୋଟ ସଂକ୍ରମିତଙ୍କ ମଧ୍ୟରେ କରୋନା ଯୋଦ୍ଧା ହେଉଛନ୍ତି ୪୩ ଜଣ । ଆସିକାରୁ ୧୬, ଧରାକୋଟ ଓ କୁକୁଡ଼ାଖଣ୍ଡିରୁ ୭ ଜଣ ଲେଖାଏଁ, ରଙ୍ଗେଇଲୁଣ୍ଡା ବ୍ଲକ୍ ଓ ବ୍ରହ୍ମପୁର ମହାନଗରରୁ ୪ ଜଣ ଲେଖାଏଁ, ଭଞ୍ଜନଗର, ଛତ୍ରପୁର, ଚିକିଟି, ଜଗନ୍ନାଥପ୍ରସାଦ ଓ କବିସୂର୍ଯ୍ୟନଗର ବ୍ଲକ୍ରୁ ଜଣେ ଲେଖାଏଁ ଯୋଦ୍ଧା ରହିଛନ୍ତି । ପୂର୍ବରୁ ଏତେ ସଂଖ୍ୟକ କରୋନା ଯୋଦ୍ଧା ଗୋଟିଏ ଦିନରେ ଚିହ୍ନଟ ହୋଇ ନଥିଲେ । ଗତ ୨୮, ୨୬ ଓ ୨୪ ତାରିଖରେ ୧୮ ଜଣ ଲେଖାଏଁ ଯୋଦ୍ଧାଙ୍କୁ ସଂକ୍ରମିତ ଚିହ୍ନଟ କରାଯାଇଥିଲା ।
ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ପ୍ରବାସୀ ଏବଂ ସୁରଟ ଓ ବାଙ୍ଗାଲୁରୁ ଫେରନ୍ତା । ଜଣେ ବେଲଗୁଣ୍ଠା ଓ ଜଣେ ପାତ୍ରପୁର ବ୍ଲକ୍ର । ଅନ୍ୟ ୫୭ ଜଣ ହେଉଛନ୍ତି ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍ । ସେଥିରୁ କବିସୂର୍ଯ୍ୟନଗର ବ୍ଲକ୍ର ୨୨ ଜଣ ଅଛନ୍ତି । ଆସିକା ବ୍ଲକ୍ରୁ ୬, ବ୍ରହ୍ମପୁର ମହାନଗରରୁ ୪ ଜଣ ରହିଛନ୍ତି । ଭଞ୍ଜନଗର, ବେଲଗୁଣ୍ଠା, ଧରାକୋଟ ଓ କୁକୁଡ଼ାଖଣ୍ଡି ବ୍ଲକ୍ରୁ ୩ ଜଣ ଲେଖାଏଁ, ଛତ୍ରପୁର, ହିଞ୍ଜିଳିକାଟୁ, ସାନଖେମୁଣ୍ଡି ଓ ସୋରଡ଼ା ବ୍ଲକ୍ରୁ ୨ ଜଣ ଲେଖାଏଁ, ଦିଗପହଣ୍ଡି, ଗଞ୍ଜାମ, ଜଗନ୍ନାଥପ୍ରସାଦ ଏବଂ ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଅନ୍ୟ ଅଞ୍ଚଳର ଜଣେ ପଜିଟିଭ୍ ମଧ୍ୟ ଠାବ ହୋଇଛନ୍ତି । ଫଳରେ ଗତ ୧୪ ଦିନରେ ଜିଲ୍ଲାରେ ମୋଟ ୭୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏଥିରୁ ପ୍ରବାସୀ ରହିଛନ୍ତି ମାତ୍ର ୮୦ ଜଣ । ଅନ୍ୟ ୬୯୩ ଜଣ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଏଥିରୁ ୧୯୧ କରୋନା ଯୋଦ୍ଧା ଓ ଅନ୍ୟ ସ୍ଥାନୀୟ ସଂକ୍ରମିତ ୫୦୨ ଜଣ ରହିଛନ୍ତି ।
ଜିଲ୍ଲାରେ ଏଯାବତ୍ ୧୫ ଜଣଙ୍କ କରୋନାଜନିତ ମୃତୁ୍ୟ ହେଲାଣି । ୫୨ ବର୍ଷୀୟ ପୁରୁଷ ରୋଗୀ ଯେ କି ଫୁସ୍ଫୁସ୍ କ୍ୟାନ୍ସର୍ ସାଙ୍ଗକୁ ମସ୍ତିଷ୍କ ରୋଗ (ବ୍ରେନ୍ ମେଟାଷ୍ଟାସିସ୍) ରୋଗାକ୍ରାନ୍ତ ଥିଲେ ତାଙ୍କର ମୃତୁ୍ୟ ଘଟିଥିବା ବୁଧବାର ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲାରେ ଲଗାତର ୫ ଦିନରେ ୨ ମହିଳାଙ୍କ ସମେତ ୭ ଜଣ ରୋଗୀଙ୍କ ଜୀବନ ଗଲାଣି । ମେ ମାସରେ ୩, ଜୁନ୍ ମାସରେ ୧୧ ଓ ଜୁଲାଇ ମାସରେ ଏହା ପ୍ରଥମ ମୃତୁ୍ୟ ଅଟେ । ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ମେ ମାସ ୩ରୁ ୩୧ ତାରିଖ ମଧ୍ୟରେ ୪୧୪ ଏବଂ ଜୁନ୍ ମାସରେ ୯୫୬ ଜଣ ସଂକ୍ରମିତ ହୋଇଥିଲେ । ସେହିପରି ଜୁଲାଇ ପହିଲାରେ ୪୮ ଜଣ ସୁସ୍ଥ ହୋଇଥିବା ବେଳେ ମେ ମାସରେ ଏହି ସଂଖ୍ୟା ୩୩୪, ଜୁନ୍ ମାସରେ ୬୫୯ ଜଣ ଆରୋଗ୍ୟ ହୋଇଛନ୍ତି ।


Comments are closed, but trackbacks and pingbacks are open.