ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ୨ଟି ମାଟ୍ରିକ୍ ଖାତା ଦେଖା କେନ୍ଦ୍ର ଖୋଲାଯାଇଛି । ଗୋଟିଏ ବ୍ରହ୍ମପୁର ଗିରିରୋଡ୍ସ୍ଥିତ ଭି.ଭି.ଗିରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଅନ୍ୟଟି ଭଞ୍ଜନଗରସ୍ଥିତ ଉପେନ୍ଦ୍ର ଭଞ୍ଜ (ୟୁ.ବି.) ହାଇସ୍କୁଲ । ଉଭୟ କେନ୍ଦ୍ରରେ ଗୁରୁବାରରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ । ବୁଧବାର ସମସ୍ତ ମୂଲ୍ୟାୟନକାରୀ ରିପୋର୍ଟିଂ କରି ସାରିଛନ୍ତି । ସେମାନଙ୍କୁ କରୋନା ସତର୍କତା ସମେତ ମୂଲ୍ୟାୟନ ଦୃଷ୍ଟିରୁ ଆବଶ୍ୟକ ଗାଇଡ୍ଲାଇନ୍ ବାବଦରେ ଅବଗତ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାରରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିିକ୍ଷାଧିକାରୀ (ଡିଇଓ) ଅମୂଲ୍ୟ କୁମାର ପ୍ରଧାନ ।
ପ୍ରତ୍ୟେକଟି କେନ୍ଦ୍ରରେ ୧୭ଟି ଲେଖାଏଁ ମୋଟ ୩୪ଟି ୟୁନିଟ୍ ଖାତା ଦେଖା ପାଇଁ ନିୟୋଜିତ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଗାଇଡ୍ଲାଇନ୍ ମୁତାବକ ବିଭିନ୍ନ ପାଠ୍ୟକ୍ରମର ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୟୁନିଟ୍ ଗଠନ କରାଯାଇଛି । ସମସ୍ତ ମୂଲ୍ୟାୟନକାରୀ ବୁଧବାର ଜଏନିଂ କରି ସାରିଛନ୍ତି । ଗୁରୁବାରରୁ ୩ଟି ପର୍ଯ୍ୟାୟରେ ଭାଲୁ୍ୟଏସନ୍ ଆରମ୍ଭ ହେବ । ସକାଳ ୮ଟା ୩୦ରୁ ଅପରାହ୍ଣ ୨.୩୦, ୯ଟା ୩୦ରୁ ୩ଟା ୩୦ ଓ ସକାଳ ୧୦ଟା ୩୦ରୁ ଅପରାହ୍ଣ ୪.୩୦ ପର୍ଯ୍ୟନ୍ତ ମୂଲ୍ୟାୟନ ହେବ । ଭିଡ଼ ଯେପରି ନହେବ ସେନେଇ ଏହି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସେହିପରି ଟେବୁଲ୍ରେ ଉଚିତ ଦୂରତାରେ ବସିବେ ମୂଲ୍ୟାୟନକାରୀ । ମୋବାଇଲ୍ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥିସହ ବୋର୍ଡ ପ୍ରଦତ୍ତ ଅନ୍ୟ ଗାଇଡ୍ଲାଇନ୍ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ । ଉତ୍ତର ଖାତା ପହଞ୍ଚିବା ଦିନରୁ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ କେନ୍ଦ୍ର ରହିଛି । ମୂଲ୍ୟାୟନ ବେଳେ ମଧ୍ୟ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅପରପକ୍ଷରେ କରୋନା ସତର୍କତା ଦୃଷ୍ଟିରୁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଯାଇଛି । କେନ୍ଦ୍ରରେ ଯଥେଷ୍ଟ ମାତ୍ରାରେ ସାବୁନ୍, ସାନିଟାଇଜର୍ ଉପଲବ୍ଧ ରହିଛି । ଏଥିପାଇଁ ବୋର୍ଡ ଅର୍ଥ ମଧ୍ୟ ମଞ୍ଜୁର କରିଛି । ଖାତା ଦେଖା ଆରମ୍ଭରୁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ ପ୍ରାୟ ୭ ଜଣ ମୂଲ୍ୟାୟନକାରୀ ଥଣ୍ଡା, କାଶ ଥିବା ଜଣାଇବାରୁ ତୁରନ୍ତ ସେମାନଙ୍କୁ ଖାତା ଦେଖାରୁ ଅବ୍ୟାହତି ଦିଆଯାଇଛି । ବିକଳ୍ପ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇ ଅସୁସ୍ଥ ମାନଙ୍କୁ ରିଲିଭ୍ କରି ଦିଆଯାଇଥିବା କହିଛନ୍ତି ଡିଇଓ । ଯେତେ ଶୀଘ୍ର ଖାତା ଦେଖାଯାଇପାରିବ ତାହା ଭଲ । ତେବେ କୌଣସି ଅବଧି ଧାର୍ଯ୍ୟ ହୋଇନି । ବୋର୍ଡ ଯାହା ଧାର୍ଯ୍ୟ କରିବ ସେହି ଅନୁସାରେ ଖାତା ଦେଖା ଚାଲିବ ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.