ଛତ୍ରପୁର, (ବି.ବି.ନ୍ୟୁଜ୍): ଲୋକଙ୍କ ସମସ୍ୟା ହାତ ପାଆନ୍ତାରେ ସମାଧାନ ହେବ । ଅଭିଯୋଗ ପତ୍ର ଧରି ଅଫିସ୍କୁ ଦୌଡ଼ିବାକୁ ପଡ଼ିବ ନାହିଁ । ଗାଁ ଗହଳିରୁ ଖର୍ଚ୍ଚାନ୍ତ ହୋଇ ଅଫିସରଙ୍କ ନିକଟକୁ ଯିବାକୁ ପଡ଼ିବ ନାହିଁ । ଏଣିକି ଅପହଞ୍ଚ ଇଲାକାରେ ଆୟୋଜନ ହେବ ମହାସମାଧାନ ଶିବିର । ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀ ଏହି ଶିବିରରେ ଉପସ୍ଥିତ ରହିବେ । ଅଭିଯୋଗ ଶୁଣାଣି କରି ତତ୍କ୍ଷଣାତ୍ ସମାଧାନ ପନ୍ଥା ନିର୍ଦ୍ଦାରଣ ହେବ । ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ମଙ୍ଗଳବାର ରାଜସ୍ୱ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲ୍ଲାପାଳ ଜିରୋ ପେଣ୍ଡାନ୍ସୀ ଅଫ୍ ୱାର୍କ ଘୋଷଣା କରିଛନ୍ତି । ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ କୌଣସି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବ ନାହିଁ । ଫାଇଲ୍ ପଡ଼ି ରହିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାର୍ଯ୍ୟାଳୟରେ ଗ୍ରହଣ କରାଯାଉଥିବା ଚିଠି ଗୁଡ଼ିକ ରେଜିଷ୍ଟ୍ରାରରେ ଉଲ୍ଲେଖ କରାଯିବ । ଏଥିରେ ଅବହେଳା କଲେ କର୍ମଚାରୀଙ୍କ ଦରମା ବନ୍ଦ ହେବ । ପ୍ରତ୍ୟେକ କାର୍ଯ୍ୟର ରୂପାୟନ ସମୟ ଭିତ୍ତିରେ ହେବ । ତହସିଲଦାରମାନେ ଜନସାଧାରଣଙ୍କ ଅଧିକ ବିଶ୍ୱାସଭାଜନ ହେବା ଦରକାର ବୋଲି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।
ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ବାଲି, ମୋରମ୍ ଚୋରା ଚାଲାଣ କରୁଥିବା ଗାଡ଼ି ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ଏହି ଗାଡ଼ି ଆଉ ରାସ୍ତାକୁ ଯାଇ ପାରିବେ ନାହିଁ । ଚୋରା ଚାଲାଣକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ତହସିଲଦାର ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଜିଲ୍ଲାପାଳ କହିଛନ୍ତି । ଆଇନ ଅନୁମୋଦିତ ଖଣି ଲିଜ୍ ପ୍ରଦାନରେ ବିଳମ୍ବ ନକରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟିକ ଉଦ୍ଦେଶ୍ୟରେ ସରକାରୀ ଜମି ଜବରଦଖଲ କରିଥିଲେ ତୁରନ୍ତ ଉଚ୍ଛେଦ କରାଯିବ । ଜମିଜମା ଦାଖଲ ଖାରଜ ଓ ପଞ୍ଜୀକରଣ ସମ୍ବନ୍ଧୀୟ ନିୟମାବଳୀ ଜନସାଧାରଣଙ୍କ ଅବଗତି ନିମନ୍ତେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ଜିଲ୍ଲା ପ୍ରଶାସନ ତରଫରୁ ମାଗଣାରେ ବଣ୍ଟନ କରାଯିବ । ପାଣି ପାଉଚ୍ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସରକାରୀ କାର୍ଯ୍ୟରେ ପାଣି ପାଉଚ୍ ବ୍ୟବହାର କରାଯିବ ନାହିଁ । ପାଣି ପାଉଚ୍ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ସିଲ୍ କରାଯିବ । ପାଣି ପାଉଚ୍ ପରିବହନ କରୁଥିବା ଗାଡ଼ି ଜବତ ହେବ । ହେଲମେଟ୍ ନାହିଁ ତ ପେଟ୍ରୋଲ୍ ନାହିଁ ନିୟମ କଡ଼ାକଡ଼ି କରାଯିବ । ନିକଟ ସ୍କୁଲ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯିବ । ଏଭଳି ସ୍ଥାନ ଚିହ୍ନଟ କରି ସପ୍ତାହକ ଭିତରେ ରିପୋର୍ଟ ଦେବାକୁ ଜିଳ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲା୍ଲପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ରାଜସ୍ୱ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।