ଗଞ୍ଜାମ ସାନବଜାର ବୋମାମାଡ଼ ଘଟଣା:୪ ଅଟକ, ଗୁରୁତର ଡ୍ରାଇଭର୍ କଟକ ସ୍ଥାନାନ୍ତର

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନ୍ୟୁଜ୍): ଗଞ୍ଜାମ ସହରର ସାନବଜାରରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି । ଗଞ୍ଜାମ ଥାନାରେ ଏ ସମ୍ପର୍କରେ କେସ୍ ନମ୍ବର ୭୭/୨୦୧୯ ରୁଜୁ କରାଯାଇଥିବା ଆଇଆଇସି ସୁଦାମ ଚରଣ ମଲ୍ଲିକ ସୂଚନା ଦେଇଛନ୍ତି । ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ୨ ଜଣ ଷଡ଼ଯନ୍ତ୍ରକାରୀ ସମ୍ପୃକ୍ତ ଥିବା ବେଳେ ୩ ଜଣ ବୋମା ଫୁଟାଇଥିବା ଓ ଅନ୍ୟମାନେ ସାମିଲ୍ ଥିବା ଦର୍ଶାଯାଇଛି । ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଥାନାଧିକାରୀ । ଏଏସ୍ପି ସୀତାରାମ ଶତପଥି ଶୁକ୍ରବାର ଥାନାକୁ ଆସି ଅଭିଯୁକ୍ତମାନଙ୍କୁ ଜେରା କରିଥିବା ଜଣାପଡ଼ିଛି । ତାଙ୍କ ଉପସ୍ଥିତିରେ ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ଛତ୍ରପୁର ଆଇଆଇସି ପ୍ରିୟସରଞ୍ଜନ ଛୋଟରାୟ ଓ ଗଞ୍ଜାମ ଥାନା ଆଇଆଇସି ସୁଦାମଚରଣ ମଲ୍ଲିକ ସିସିଟିଭି ଫୁଟେଜ୍ ସଂଗ୍ରହ କରିଛନ୍ତି । ଆହତ ବିଜେଡି ନେତା ସୁଧିର ପାଢ଼ୀଙ୍କ ଏହି ଛକରେ ଥିବା ଦୋକାନର ସିସିଟିଭି ଫୁଟେଜ୍ ପୁଲିସ ସଂଗ୍ରହ କରିଥିଲା । ଘଟଣାସ୍ଥଳରୁ କେଇ ମିଟର ଦୂରରେ ଥିବା ଏକ କମ୍ପ୍ୟୁଟର୍ ଅନୁଷ୍ଠାନର ଫୁଟେଜ୍ ମଧ୍ୟ ପୁଲିସ ଯାଞ୍ଚ କରୁଛି । ବୋମାମାଡ଼ର ଶୀକାର ବିଜେଡି ନେତା ସୁଧିର ପାଢ଼ୀଙ୍କ ଡ୍ରାଇଭର୍ ଗଣପତି ବାରିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପରିବାର ସୁତ୍ରରୁ ଜଣାପଡ଼ିଛି । \nଘଟଣାର ଗୁରୁତ୍ୱ ଦେଖି ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଅନୁସନ୍ଧାନକୁ କଡ଼ାକଡ଼ି କରିଛନ୍ତି । ଘଟଣାସ୍ଥଳରେ ଫୋରେନ୍ସିକ୍ ଟିମ୍ ବୋମାର କିଛି ସାମଗ୍ରୀ ପରୀକ୍ଷା କରିବା ସହ ଅନ୍ୟାନ୍ୟ ସାମଗ୍ରୀକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଏସ୍ପିଙ୍କ ସମେତ ଏଏସ୍ପି, ଏସ୍ଡିପିଓ, ଗଞ୍ଜାମ, ଛତ୍ରପୁର ଏବଂ ରମ୍ଭା ଥାନା ଆଇଆଇସିଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ବାହିନୀ ଗଞ୍ଜାମ ଠାରୁ ରମ୍ଭା ମଧ୍ୟରେ ବିଭିନ୍ନ ସ୍ଥାନରେ ବ୍ଲକିଂ କରିଥିଲା । ଏହି ବୋମାମାଡ଼ ଘଟଣା ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା କୁହାଯାଉଛି । ମାସକ ତଳେ ଗଞ୍ଜାମ ଷ୍ଟେଟ୍ ବ୍ୟାଙ୍କ୍ ରୋଡ୍ରେ ବିଜେଡି ଯୁବ ନେତା ସୁଧିର କୁମାର ପାଢ଼ୀଙ୍କୁ ଦୁଇ ଜଣ ଯୁବକ ମାଉଜର୍ ଦେଖାଇଥିବା ବେଳେ ସେ ଘଟଣାସ୍ଥଳରୁ ଦୌଡ଼ି ଚାଲିଯାଇଥିବା ନେଇ ଗଞ୍ଜାମ ଥାନା ପୁଲିସ ଅବଗତ ଥିଲା । ତେବେ ଏ ବାବଦରେ ଏତଲା ଦିଆଯାଇନଥିବାରୁ ଏହାକୁ ଗୁରୁତ୍ୱ ଦେଇନଥିଲା ପୁଲିସ । ସେହିପରି ବର୍ଷକ ତଳେ ସୁଧିରଙ୍କୁ ତାଙ୍କ ବାସଭବନ ନିକଟରେ ଜଣେ ଅପରାଧି ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ହୋଇଥିଲା । ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇ ଥିଲା । ଏଣୁ ଏହି ଆକ୍ରମଣ ପୂର୍ବ ଯୋଜନା ମୁତାବକ ହୋଇଥିବା ସ୍ପଷ୍ଟ ହୋଇଛି । ବିଜେଡି ଯୁବ ନେତା ସୁଧିର ପାଢ଼ୀଙ୍କ ଦୋକାନ ପାଖରେ ଏବେ ପୁଲିସ ବାହିନୀ କ୍ୟାମ୍ପ୍ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons