ଗଞ୍ଜାମ: ୧୦୦ ମୃତୁ୍ୟ, ୧୦୩୬୪ ପଜିଟିଭ୍

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ମେ ମାସ ୩ ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୩ ମାସରୁ କମ୍ ସମୟ ମଧ୍ୟରେ ଏହି ସଂଖ୍ୟା ଏବେ ୧୦ ହଜାର ଟପିଛି । ଜିଲ୍ଲାରେ ଆଉ ୩୬୮ ଜଣ ସଂକ୍ରମିତ ଠାବ ହେବା ପରେ ଏହି ସଂଖ୍ୟା ୧୦,୩୬୪ରେ ପହଞ୍ଚିଛି । କେବଳ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟର ପ୍ରାୟ ଏକ ତୃତୀୟାଂଶ । ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଖୋର୍ଦ୍ଧା ଠାରୁ ଗଞ୍ଜାମରେ ଅଛନ୍ତି ଅଢେଇ ଗୁଣ ଅଧିକ ପଜିଟିଭ୍ । ସେହିପରି ତୃତୀୟ ସ୍ଥାନରେ ଥିବା କଟକ ଠାରୁ ଗଞ୍ଜାମର ପଜିଟିଭ୍ ସଂଖ୍ୟା ପ୍ରାୟ ୫ ଗୁଣ । ସେହିପରି ଆଉ ୪ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ପରେ ଏହି ସଂଖ୍ୟା ୧୦୦ ଛୁଇଁଛି । ରାଜ୍ୟରେ ମୋଟ ୨୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ସେଥିରୁ ସିଂହଭାଗ ହେଉଛି ଗଞ୍ଜାମ ଜିଲ୍ଲାର ଯେଉଁଠି ୯୪ ଜଣ କରୋନାରେ ଓ ଅବଶିଷ୍ଟ ୬ ଜଣଙ୍କ ଅନ୍ୟ ରୋଗରେ ଜୀବନ ଚାଲଗଲାଣି ।
ଏହାବାଦେ ଶନିବାର ସକାଳେ ବ୍ରହ୍ମପୁର ଟ୍ରାଫିକ୍ ଥାନାର ଏସ୍ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ (୫୬)ଙ୍କ କରୋନାରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳ ୮ଟାରେ ମୃତୁ୍ୟ ଘଟିଛି । ୨୫ ତାରିଖରେ ତାଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଶୀତଳାପଲ୍ଲୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଶନିବାର ଅପରାହ୍ଣରେ ବରିÂ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ବିଜିପୁର ଓଡିଆ ବାପ୍ଟିଷ୍ଟ ଚର୍ଚ୍ଚ ତଥା ଖ୍ରୀଷ୍ଟିଆନ୍ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ସ୍ତ୍ରୀ ଏବଂ ସାନ ଝିଅ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ । ସ୍ୱର୍ଗତ ମଣ୍ଡଳଙ୍କ ବଡ ଝିଅ ଓ ବଡ ଜ୍ୱାଇଁ ଥିବା ବେଳେ ଦ୍ୱିତୀୟ କନ୍ୟା ନନ୍ (ସାଧ୍ୱୀ) ହୋଇଯାଇଛନ୍ତି ।
ଦୁଇ ଦିନ ବ୍ୟବଧାନ ପରେ ପୁଣି ତିନି ଶହ ଟପିଛି ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇ ୨୮ରେ ୨୪୫ ଓ ୨୯ ତାରିଖରେ ୨୫୦ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗୁରୁବାର ଆଉ ୩୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୩୪୨ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍ । ୧୯ ଜଣ ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ୭ ଜଣ ପ୍ରବାସୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ବ୍ରହ୍ମପୁରରେ ପୁଣି ପଜିଟିଭ୍ ସଂଖ୍ୟା ଶହେ ଟପିଛି । ୧୦୧ ଆକ୍ଟିଭ୍ କଣ୍ଟାକ୍ଟ ଠାବ ହୋଇଛନ୍ତି ।
ସେପଟେ ଜଣେ ୮୧ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗରେ ପୀଡିତ ଥିଲେ ତାଙ୍କର ମୃତୁ୍ୟ ଘଟିଛି । ସେହିପରି ଜଣେ ୪୯ ବର୍ଷ ବୟସ୍କ ପୁରୁଷ, ଜଣେ ୪୫ ବର୍ଷ ବୟସ୍କ ପୁରୁଷଙ୍କ ମଧ୍ୟ ଜୀବନ ଯାଇଛି । ଆଉ ଜଣେ ୭୩ ବର୍ଷ ବୃଦ୍ଧ ଯେକି ମଧୁମେହ ଓ ଉଚ୍ଚରକ୍ତଚାପ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ ତାଙ୍କର ମଧ୍ୟ ମୃତୁ୍ୟ ଘଟିଛି । ଫଳରେ ଜିଲ୍ଲାରେ ଏଯାବତ୍ ୧୪ ମହିଳା (୪ ବୃଦ୍ଧା) ଓ ୮୬ ପୁରୁଷ (୩୩ ବୃଦ୍ଧ)ଙ୍କ ମୃତୁ୍ୟ ଘଟିଲାଣି । କେବଳ ଚଳିତ ମାସରେ ଜିଲ୍ଲାରେ ଚିହ୍ନଟ ପଜିଟିଭ୍ ସଂଖ୍ୟା ୮୮୯୧ରେ ପହଞ୍ଚିଛି । ୮୫ ଜଣଙ୍କ ମୃତୁ୍ୟ ଘଟିଛି ।
ଏହା ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ବରିÂ କିରାଣୀ ଉପେନ୍ଦ୍ର ମାଝୀଙ୍କ ଗତ ୧୫ ତାରିଖରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍ରେ ଏବଂ ବିଏମ୍ସି ସହକାରୀ ଯନ୍ତ୍ରୀ ଇଂ କୈଳାସ ଚନ୍ଦ୍ର ନାୟକଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଗତ ୨୩ ତାରିଖରେ ମୃତୁ୍ୟ ଘଟିଛି । ବିଏମ୍ସି ସୂଚନା ମୁତାବକ ସହରରେ ଜୁଲାଇ ୨୯ ତାରିଖ ସୁଦ୍ଧା ୧୭ ଜଣଙ୍କ ମୃତୁ୍ୟ ଘଟିଥିଲା । ସେହି ଦୃଷ୍ଟିରୁ ସ୍ୱର୍ଗତ ମଣ୍ଡଳ ହେଉଛନ୍ତି ବ୍ରହ୍ମପୁରର ୧୮ତମ କରୋନା ସଂକ୍ରମିତ ତଥା ତୃତୀୟ କୋଭିଡ୍ ଯୋଦ୍ଧା । ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ଯୋଦ୍ଧା ପୁଲିସ ଷ୍ଟାଫ୍ଙ୍କ ମୃତୁ୍ୟ କ୍ଷେତ୍ରରେ ଏହା ହେଉଛି ଚତୁର୍ଥ ଘଟଣା । ଏହା ପୂର୍ବରୁ ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନ ଭଞ୍ଜନଗର କୋର୍ଟ ଏଏସ୍ଆଇ ରବୀନ୍ଦ୍ରନାଥ ବେହେରାଙ୍କ ଗତ ୨୪ ତାରିଖ ରାତିରେ କୋଦଳା ଡାକ୍ତରଖାନାରେ, ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନ ଆସିକା ଥାନା କୋଟିନଡା ଫାଣ୍ଡିର କନ୍ଷ୍ଟେବଳ ଗୋଲକ ନାୟକଙ୍କ ୧୧ ତାରିଖରେ ଶୀତଳାପଲ୍ଲୀ ହସ୍ପିଟାଲ୍ରେ ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନ ଦିଗପହଣ୍ଡି ଥାନା ହୋମ୍ଗାର୍ଡ ଏସ୍.ନରସିଂହ ଦାସଙ୍କ ୨୩ ତାରିଖରେ ବ୍ରହ୍ମପୁର ଠାରେ ମୃତୁ୍ୟ ଘଟିଥିଲା । ସ୍ୱର୍ଗତ ମଣ୍ଡଳ ହେଉଛନ୍ତି ଗଞ୍ଜାମର ଚତୁର୍ଥ ପୁଲିସ ଷ୍ଟାଫ୍ ଯାହାଙ୍କ କରୋନାରେ ମୃତୁ୍ୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons