ଗଲୱାନରୁ ପଛକୁ ହଟିଲା ଚୀନ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦୀର୍ଘ ଦୁଇମାସ ଧରି ଲାଗି ରହିଥିବା ବିବାଦ, ସଂଘର୍ଷ ଓ ଉତ୍ତେଜନା ପରେ ଶେଷରେ ଚୀନ୍ ସେନା ଆଜି ପୂର୍ବ ଲଦାଖର ଗଲୱାନ ଘାଟି ଓ ଗୋଗ୍ରା ହଟସ୍ପି୍ରଙ୍ଗ ଅଞ୍ଚଳର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରୁ ପଛକୁ ହଟିଛି । ଚୀନ୍ ସେନା ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ଗଲୱାନି ନଦୀ ଉପତ୍ୟକାରେ ଥିବା ପାଟ୍ରୋଲିଂ ପଏଣ୍ଟ ୧୪, ୧୫ ଓ ୧୭-ଏ ଏବଂ ଗୋଗ୍ରା ହଟ୍ସ୍ପି୍ରଙ୍ଗ ଅଞ୍ଚଳରୁ ପ୍ରାୟ ୧.୫ କି.ମି. ପଛକୁ ହଟିବା ସହ ସେଠାରେ ଥିବା ଟେଣ୍ଟ, ଅସ୍ଥାୟୀ ଭିତ୍ତିଭୂମି ଓ ଯାନବାହନକୁ ହଟାଇ ନେଇଛି । କେବଳ ଏତିକି ନୁହେଁ, ପର୍ଯ୍ୟାୟକ୍ରମେ ଚୀନ୍ ସେନା ପ୍ରାୟ ୨.୫ କି.ମି.ରୁ ୩ କି.ମି ପଛକୁ ହଟିବ । ଜୁଲାଇ ୧୪ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଭାରତୀୟ ସୈନ୍ୟ ମଧ୍ୟ କିଛି ଦୂର ପଛକୁ ହଟିବା ସହ ଉଭୟ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବଫର ଜୋନ୍ ସୃଷ୍ଟି କରାଯାଇଛି । ତେବେ ଚୀନ୍ ସେନା କେତେଦୂର ଏଥିରେ କାଏମ ରହିବ ତାହା ଉପରେ ଭାରତ କଡ଼ା ନଜର ରଖିଛି । ଗତ ଜୁନ ୩୦ରେ ଚୁଶୁଲ ଠାରେ ଉଭୟ ଦେଶର କମାଣ୍ଡରଙ୍କ ମଧ୍ୟରେ ଦୀର୍ଘ ୧୨ ଘଣ୍ଟା ଧରି ହୋଇଥିବା ମାରାଥନ ବୈଠକରେ ପଛକୁ ହଟିବାକୁ ଚୀନ୍ ସେନା ରାଜି ହୋଇଥିଲା । ଏଥିସହ ପର୍ଯ୍ୟାୟକ୍ରମେ ସୈନିକ ଓ ଅନ୍ୟାନ୍ୟ ସାମଗ୍ରୀ ହଟାଇବ ବୋଲି ସମ୍ମତି ପ୍ରଦାନ କରିଥିଲା । ବୈଠକରେ ଭାରତର ୧୪ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଓ ଚୀନ୍ ପକ୍ଷରୁ ସାଉଥ ଜିନ୍ଜିଆଙ୍ଗ ମିଲିଟାରୀ ଡିଷ୍ଟ୍ରିକ୍ଟ ଚିଫ୍ ମେଜର ଜେନେରାଲ ଲିଉ ଲିନ ଆଲୋଚନାର ନେତୃତ୍ୱ ନେଇଥିଲେ । ସମ୍ମତି ସତ୍ତେ୍ୱ ଚୀନ୍ ସେନା ପଛକୁ ହଟିବାକୁ ଚାହିଁ ନଥିଲା ।
ଏଭଳି ପରିସ୍ଥିତିରେ ଗତକାଲି ସନ୍ଧ୍ୟାରେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଓ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ମଧ୍ୟରେ ଟେଲିଫୋନ୍ କଥାବାର୍ତ୍ତା ହୋଇଥିଲା । ଲଦାଖ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଡୋଭାଲ ସ୍ପଷ୍ଟ ଭାବେ ଜଣାଇଥିଲେ ଯେପର୍ଯ୍ୟନ୍ତ ସୀମାରୁ ସୈନ୍ୟ ହଟା ନଯାଇଛି ସେପର୍ଯ୍ୟନ୍ତ ଉତ୍ତେଜନା ପ୍ରଶମିତ ହେବ ନାହିଁ କିମ୍ବା ଶାନ୍ତି ଫେରିବ ନାହିଁ । ତେଣୁ ସୀମାନ୍ତ ଅଞ୍ଚଳରୁ ପର୍ଯ୍ୟାୟକ୍ରମେ ତୁରନ୍ତ ସୈନ୍ୟ ଅପସାରଣ କରାଯିବା ଆବଶ୍ୟକ । ଉଭୟ ଦେଶ ଏଲ୍ଏସିର ପୂର୍ବ ସ୍ଥିତାବସ୍ଥାକୁ ସମ୍ମାନ ଦେବା ସହିତ ଏକତରଫା ଭାବେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ ନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ମତଭେଦ ବିବାଦରେ ପରିଣତ ନ ହେଉ ବୋଲି ସେ କହିଥିଲେ । ଡୋଭାଲଙ୍କ ପ୍ରସ୍ତାବକୁ ଚୀନ୍ ବିଦେଶ ମନ୍ତ୍ରୀ ଗ୍ରହଣ କରିବା ପରେ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛି ।
ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୈନ୍ୟ ଅପସାରଣ ବିଷୟରେ ସୂଚନା ଦିଆଯାଇଛି । ବେଜିଂଠାରେ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଅନ କହିଛନ୍ତି, ଜୁନ ୩୦ରେ ତୃତୀୟ କମାଣ୍ଡରସ୍ତରୀୟ ବୈଠକର ନିଷ୍ପତ୍ତି ଅନୁସାରେ ଗଲୱାନରେ ଶାନ୍ତି ଫେରାଇ ଆଣିବା ଉଦେ୍ଧଶ୍ୟରେ ଏଲ୍ଏସିରୁ ତାଙ୍କ ଦେଶର ସୈନ୍ୟ ପଛକୁ ଫେରିବା ଆରମ୍ଭ କରିଛନ୍ତି । ପର୍ଯ୍ୟାୟକ୍ରମେ ସୈନ୍ୟମାନଙ୍କୁ ସେଠାରୁ ଫେରାଇ ଅଣାଯିବ । ପୂର୍ବରୁ ଦୁଇଥର ଅନୁÂିତ କମାଣ୍ଡରସ୍ତରୀୟ ବୈଠକରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି ସେହି ଅନୁସାରେ ଦୁଇଦେଶର ସୈନ୍ୟମାନେ କାର୍ଯ୍ୟ କରିବେ । ତେବେ କ’ଣ ନିଷ୍ପତ୍ତି ନିଆଯାଇଛି ସେହି ବିଷୟରେ ସେ ଅଧିକ କିଛି କହିନଥିଲେ । ଭାରତ ମଧ୍ୟ ବୈଠକର ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିବା ସହ କୂଟନୈତିକ ଓ ସାମରିକ ଚାନେଲ ଜରିଆରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ୟି କହିଥିଲେ ।
ତେବେ ପାଙ୍ଗଙ୍ଗ ସୋ ବା ପାଙ୍ଗଙ୍ଗ ହ୍ରଦ ନିକଟରୁ ଚୀନ୍ ନିଜର ସୈନ୍ୟ ହଟାଇବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରି ନାହିଁ । ସେଠାରେ ଚୀନ୍ ସେନା ଦୁର୍ଗ ଭଳି ବ୍ୟାପକ ସାମରିକ ଭିତ୍ତିଭୂମି ନିର୍ମାଣ କରିଛି । ଏଥିସହ ହ୍ରଦର ଉତ୍ତର ଉପକୂଳରେ ଥିବା ଫିଙ୍ଗର-୪ରୁ ଫିଙ୍ଗର-୮ ପର୍ଯ୍ୟନ୍ତ ପ୍ରାୟ ୮ କି.ମି. ଅଞ୍ଚଳକୁ ଗତ ମେ ମାସରୁ ଚୀନ୍ ସେନା କବ୍ଜା କରି ରଖିଛି । ସେଠାରେ ଦୁଇଦେଶର ସୈନ୍ୟ ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି । ଭାରତୀୟ ସୈନ୍ୟଙ୍କୁ ପାଟ୍ରୋଲିଂରେ ସେହି ଅଞ୍ଚଳକୁ ଯିବାକୁ ଦେଉନାହିଁ ଚୀନ୍ ସେନା । ଉକ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରିଆସିଛି । ସେପଟେ ଡେପସାଙ୍ଗ ଅଞ୍ଚଳରେ ମଧ୍ୟ ଚୀନ୍ ସେନା ଭାରତର କିଛି ଅଞ୍ଚଳକୁ ଅନୁପ୍ରବେଶ କରିିଛି । ନିକଟରେ ପ୍ରକାଶିତ ଉପଗ୍ରହ ଚିତ୍ରରୁ ଚୀନ୍ ସେନା ଗଲୱାନ ଅଞ୍ଚଳରେ ଏଲ୍ଏସି ଠାରୁ ପ୍ରାୟ ୪୨୩ ମିଟର ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ, ଗତ ଜୁନ ୧୫ରେ ଗଲୱାନର ପାଟ୍ରୋଲିଂ ପଏଣ୍ଟ-୧୪ରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲା ବେଳେ ଚୀନ୍ର ବହୁ ସୈନ୍ୟ ମୃତୁ୍ୟ ହୋଇଥିଲା । ସେହିଦିନ ଉତ୍ତେଜନା ହ୍ରାସ କରିବା ଲାଗି ପ୍ରଥମ କମାଣ୍ଡରସ୍ତରୀୟ ବୈଠକ ବସିଥିଲା । ଜୁନ ୨୨ରେ ଦ୍ୱିତୀୟ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା । ଉଭୟ ବୈଠକରେ ସୀମାରୁ ସୈନ୍ୟ ପ୍ରତ୍ୟାହାର ସହ ପୂର୍ବସ୍ଥିତି ବଜାୟ ରଖିବାକୁ ଚୀନ୍ ସହମତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୈନ୍ୟ ହଟାଇ ନଥିଲା । ବରଂ ସୀମାରେ ୨୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା ସହିତ ଯୁଦ୍ଧବିମାନ ଓ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଥିଲା । ସାମରିକ ଭିତ୍ତିଭୂମି ମଧ୍ୟ ବଢ଼ାଇଥିଲା । ସେପଟେ ଚୀନ୍କୁ ଦୃଢ଼ ଜବାବ ଦେବାକୁ ଭାରତ ମଧ୍ୟ ଲଦାଖ ସୀମାରେ ୪୫ ହଜାର ସୈନ୍ୟ ମୁତୟନ କରିବା ସହ ଯୁଦ୍ଧବିମାନ, ଲଢ଼ୁଆ ହେଲିକପ୍ଟର, ମିସାଇଲ ନିୟୋଜିତ କରିବା ସହ ଏୟାର ଅପରେସନକୁ ଜୋର୍ଦାର କରିଥିଲା । ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଗସ୍ତ କରିବା ସହ ବିସ୍ତାରବାଦର ଯୁଗ ଶେଷ ହୋଇଛି ବୋଲି କହି ପରୋକ୍ଷରେ ଚୀନ୍କୁ ଦୃଢ଼ ବାର୍ତ୍ତା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons