ବସ୍ତା,(ବି.ବି.ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ହଳଦିପାଳ ବଜାରରେ ଶନିବାର ରାତିରେ ବଡ଼ ଧରଣର ଡକାୟତି ହୋଇଛି । ଡକାୟତମାନେ ଏକ ଗହଣା ଦୋକାନ ସହିତ ପାଖରେ ଥିବା ଏକ ଏଟିଏମ୍କୁ ଲୁଟ୍ କରିବାକୁ ଆସିଥିଲେ । ଗହଣା ଦୋକାନରୁ ୨୫ରୁ ୩୦ଲକ୍ଷ ଟଙ୍କାର ସୁନା-ରୁପା ଗହଣା ଲୁଟ୍ କରିବା ସହିତ ଏଟିଏମ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଗୋଟିଏ ମାସ ମଧ୍ୟରେ ଶ୍ରୀରାମପୁର ଷ୍ଟେଟ ବ୍ୟାଙ୍କ୍ରେ ବନ୍ଧୁକ ବୋମା ଦେଖାଇ ଦୁର୍ବୃତ୍ତମାନେ ୪୦ ଲକ୍ଷ ଲୁଟିବାରେ ସକ୍ଷମ ହୋଇଥିବା ବେଳେ ଦିନ କେଇଟା ପରେ ୨୦୦ ମିଟର ଦୂରରେ ଥିବା ବଜାରରେ ପୁଣି ଲୁଟ୍ ସ୍ଥାନୀୟ ଲୋକ ଓ ଦୋକାନୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି । ଏପର୍ଯ୍ୟନ୍ତ ପୁଲିସ ଏହି ଡକାୟତମାନଙ୍କୁ ଧରିବାରେ ବିଫଳ ହୋଇଥିବାରୁ ବସ୍ତା ପୁଲିସର ଦକ୍ଷତା ଉପରକୁ ଅଞ୍ଚଳବାସୀ ଅଙ୍ଗୁଳି ଉଠାଇଛନ୍ତି ।
ଘଟଣାରୁ ପ୍ରକାଶ, ହଳଦିପାଳ ବଜାର ନିକଟରେ ରହିଛି ସଞ୍ଜନା ଜୁଏଲାରୀ । ସେହି ଦୋକାନକୁ ଲାଗିରହିଛି ଇଣ୍ଡିକ୍ୟାସ ଏଟିଏମ । ପ୍ରତ୍ୟେକ ଦିନ ଭଳି ଗହଣା ଦୋକାନ ମାଲିକ ଖଡ଼ିକାପଦା ଗ୍ରାମର ହେମନ୍ତ କୁମାର କାମିଳା ଶନିବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରବିବାର ସକାଳେ ସେ ତାଙ୍କ ଦୋକାନର ସଟର ଏବଂ ଏଟିଏମର ସଟର ମଧ୍ୟ ଭଙ୍ଗାଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଏସଡିପିଓ ରଣଜିତ ପୃଷ୍ଟି ଓ ଥାନା ଅଧିକାରୀ ଧନେଶ୍ୱର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଗହଣା ଦୋକାନ ଭିତରେ ଥିବା ଆଇରନ ଚ୍ୟାଷ୍ଟ କଟାଯାଇଥିବା ଦେଖି ପୁଲିସ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଦଳ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଥିଲା । ସନ୍ଧାନୀ କୁକୁର ଖୋଜି ଖୋଜି ଯାଇ ବିଲ ମଝିରେ ପଡ଼ିଥିବା ଗ୍ୟାସ୍ ଟାଙ୍କିକୁ ଧରାଇଥିଲା । ଦୁର୍ବୃତ୍ତମାନେ ଗ୍ୟାସ ସାହାଯ୍ୟରେ ଦୋକାନ ଓ ଏଟିଏମ ସଟର ତଥା ଦୋକାନର ଆଇରନ ଚ୍ୟାଷ୍ଟକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ଏଟିଏମର ପଛପଟ କାନ୍ଥକୁ ଛିଦ୍ର କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ । ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗି ପାରିନଥିବା ବେଳେ ଗହଣା ଦୋକାନରୁ ୧୨ କିଲୋ ଓଜନର ରୁପା ଓ ୫୦୦ଗ୍ରାମର ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଥିଲେ । ଦୁର୍ବୃତ୍ତମାନେ ଯିବା ବେଳେ ଗହଣା ଦୋକାନରେ ସିସିଟିଭିକୁ ଭାଙ୍ଗିବା ସହିତ କମ୍ପ୍ୟୁଟର ହାର୍ଡ ଡିସ୍କକୁ ମଧ୍ୟ ନେଇଯାଇଥିବା ଜଣାଯାଇଛି । ଚୋରି ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ୨୫ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ଦୋକାନର ମାଲିକ ଅଭିଯୋଗ କରିଛନ୍ତି । ଗତ ବର୍ଷ ମଧ୍ୟ ଦୁର୍ବୃତ୍ତମାନେ ସଞ୍ଜନା ଜୁଏଲାରୀର ମାଲିକ ହେମନ୍ତ କାମିଳାଙ୍କ ସାନଭାଇ ପ୍ରଶାନ୍ତଙ୍କ ସେହି ହଳଦିପାଳ ବଜାରରେ ଥିବା ପୂଜା ଜୁଏଲାରୀରେ ଡକାୟତି ଉଦ୍ୟମ କରିଥିଲେ । ଏହି ଚୋରି ନେଇ ପ୍ରଶାନ୍ତ କୁମାର କାମିଳା ବସ୍ତା ଥାନାରେ ଅଭିଯୋଗ କରିଥିଲେ । ସେହିପରି ଗତ ୧୧ ତାରିଖ ଦିନ ଏହି ବଜାର ପାଖରେ ଥିବା ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରୁ କଲେଜ ୟୁନିଫର୍ମରେ ଆସି ବନ୍ଧୁକ ଦେଖାଇ ବ୍ୟାଙ୍କ୍ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧକ ରଖି ୪୦ଲକ୍ଷ ଟଙ୍କା ଲୁଟି ନେଇଥିଲେ । ପୁଣି ୧୭ ଦିନ ପରେ ଏଭଳି ଏଟିଏମ୍ ଲୁଟ୍ ଉଦ୍ୟମ କରିବା ସହିତ ୨୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଗହଣା ଏକ ଜୁଏଲାରୀ ଦୋକାନରୁ ଚୋରି ହେବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟାଙ୍କ୍ ଡକାୟତି ଘଟଣାରେ ଏପର୍ଯ୍ୟନ୍ତ ପୁଲିସର ହାତ ଖାଲି ଥିବା ବେଳେ ପୁଣି ଏକ ଡକାୟତି ଘଟଣା ଘଟିଛି । ଅପରାଧୀମାନଙ୍କର ଏହା ପୁଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଉଥିବା ଆଲୋଚନା ହେଉଛି । ସେହି ସ୍ଥାନରେ ବାରମ୍ବାର ଡକାୟତି, ଲୁଟ୍ ହେବା ସ୍ଥାନୀୟ ଲୁଟେରାଙ୍କ ହାତ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ସବୁ ଘଟଣା ଉପରୁ ପରଦା ହଟାଇବା ସହିତ ଅପରାଧୀଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।
Comments are closed, but trackbacks and pingbacks are open.