ଗହୀରମଥାରେ ଅଲିଭରିଡଲେଙ୍କ ଗଣଅଣ୍ଡାଦାନ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ): ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ଗହୀରମଥାର ନାସୀ-୧ ଓ ନାସୀ-୨ରେ ମଙ୍ଗଳବାର ସଂଧ୍ୟାଠାରୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ସଂଧ୍ୟାରେ ୩ଶହ କଇଁଛ ଅଣ୍ଡା ଦେଇଥିବା ବେଳେ ବିଳମ୍ବିତ ରାତିରେ ଆଉ ୮ଶହ କଇଁଛ ଅଣ୍ଡା ଦେଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି । ମା’ କଇଁଛମାନେ ବେଳାଭୂମିକୁ ଉଠି ବାଲିରେ ଗାତ କରି ଅଣ୍ଡାଦାନ କରୁଛନ୍ତି । ଫୁଟେରୁ ଦେଢ ଫୁଟର ଗାତ ଖୋଳିବା ପରେ ସେମାନେ ଅଣ୍ଡା ଦେଉଥିବା ଦେଖିବାକୁ ମିଳିଛି । ଏଥିସହ, ଅଣ୍ଡାଦାନ ପାଇଁ ସମୁଦ୍ର କୂଳଠାରୁ ୨ କିମି ମଧ୍ୟରେ ଲକ୍ଷ ଲକ୍ଷ କଇଁଛ ଭିଡ଼ ଜମାଇଛନ୍ତି । ସମୁଦ୍ର କୂଳରୁ ଅଳ୍ପ ଦୂରରେ ମା’ କଇଁଛ ଭିଡ଼ ଜମାଇଥିବାରୁ ଓ ୧୧ଶହ କଇଁଛ ଗୋଟିଏ ଦିନରେ ଅଣ୍ଡା ଦେଇ ସାରିଥିବାରୁ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ କଇଁଛଙ୍କ ସଂଖ୍ୟା ଖୁବ୍ ଶୀଘ୍ର ବୃଦ୍ଧି ପାଇବ ବୋଲି ବନ ବିଭାଗ ଆଶା କରୁଛି । ୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦କିମି ବାଲୁକା ଶଯ୍ୟାରେ ଏହି ବିରଳ ସାମୁଦ୍ରିକ କଇଁଛମାନଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା । ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିବା ପରେ ଗହୀରମଥା ସାମୁଦ୍ର ଉପକୂଳଠାରୁ ୨୦ କିମି ଯାଏ ଟ୍ରଲର ସାହାଯ୍ୟରେ ମାଛଧରା ନିଷିଦ୍ଧ କରାଯାଇଛି । ଏଥିସହିତ ପ୍ରତିବର୍ଷ ନଭେମ୍ବର ୧ ରୁ ମେ ମାସ ୩୧ ତାରିଖ ଯାଏ ଦୀର୍ଘ ୭ମାସ ଧରି ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ମାଛ ଧରା ଉପରେ କଟକଣା ଜାରି କରାଯାଉଛି । ସୂଚନାଯୋଗ୍ୟ ଯେ, ହଜାର ହଜାର ମାଇଲ୍ ଅତିକ୍ରମ କରି ବିରଳ ପ୍ରଜାତିର ଅଲିଭ୍ରିଡ୍ଲେ କଇଁଛ ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons