ଗାଁକୁ ରାସ୍ତା ନାହିଁ:ଭାରରେ ବୁହାହେଲେ ପ୍ରସୂତି

Get real time updates directly on you device, subscribe now.

ମୈଦଲପୁର,(ବି.ବି.ନୁ୍ୟଜ୍):ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କି ଅନ୍ୟ ଗାଡି ଆସିପାରିଲାନି । ଶିଶୁ ପୁତ୍ର ସହ ୨ କିମି ଭାରରେ ବୁହାହେଲେ ପ୍ରସୂତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଓ କଳାହାଣ୍ଡି ସୀମାନ୍ତ କର୍ଲାକୋଟ ଗାଁରେ । ପାଦଚଲା ରାସ୍ତାରେ ପରିବାର ଓ ଗାଁଲୋକେ ମହିଳାଙ୍କୁ ଭାରରେ ବୋହି ମେଡିକାଲ ନେଇଛନ୍ତି । ଚିକିତ୍ସା ପରେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।
ସୂଚନା ଅନୁସାରେ, କର୍ଲାକୋଟ ଗାଁଟି କଳାହାଣ୍ଡି ଜିଲ୍ଲା ଅଧୀନ ହୋଇଥିଲେ ହେଁ ଏହି ଗାଁର ଲୋକେ ପ୍ରତିଦିନ ନବରଙ୍ଗପୁର ଜିଲ୍ଲା ଉପରେ ନିର୍ଭର କରିଥାନ୍ତି । ଗତ ଗୁରୁବାର ରାତି ପ୍ରାୟ ୩ ଟାରେ ଗ୍ରାମର ଖଗପତି ନାୟକ(୨୮)ଙ୍କ ସ୍ତ୍ରୀ ଜନ ନାୟକ(୨୫)ଙ୍କର ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ କୌଣସି ଉପାୟରେ ମେଡିକାଲ ନେବାକୁ ସ୍ଥିର କରୁଥିବାବେଳେ ଜନ ଏକ ଶିଶୁ ପୁତ୍ର ପ୍ରସବ କରିଥିଲେ । ପ୍ରସୂତି ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ପରିବାର ଲୋକେ ମେଡିକାଲ ନେବାକୁ ଚିନ୍ତା କରିଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଅବା ଅନ୍ୟ ଗାଡି ଆସିପାରି ନଥିଲା । ଶେଷରେ ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ଏକ ଭାର କରି ମହିଳା ଓ ଶିଶୁ ପୁତ୍ରଟିକୁ ବୋହି ଆଣିଥିଲେ । ଗ୍ରାମଠାରୁ ପୁଞ୍ଜିଛକ ପର୍ଯ୍ୟନ୍ତ ୨ କିମି ବୋହି ଆଣିବା ପରେ ଉଭୟଙ୍କୁ ଗାଡି ସୁବିଧା କରି ମୈଦଲପୁର ମେଡିକାଲ୍ ଅଣାଯାଇଥିଲା । ଚିକିତ୍ସା ପରେ ଉଭୟ ଶିଶୁ ଓ ମା ସୁସ୍ଥ ଥିବା ପରିବାର ଲୋକେ କହିଛନ୍ତି । ଏଥିରେ ଆଉଁଳି ଗାଁର ଆଶା ଘଷାମଣି ହରିଜନ ସାହାଯ୍ୟ କରିଥିଲେ । ଗ୍ରାମର ମାଧବ ନାୟକ, ଲିମକେଡି ନାୟକ, ନକୂଳ ନାୟକ ପ୍ରମୁଖ କହିଛନ୍ତି, ଗାଁକୁ ଭଲ ରାସ୍ତା ନଥିବାରୁ ଅନେକ ସମୟରେ ଏହିଭଳି ସମସ୍ୟାମାନ ଦେଖାଦେଉଛି । ପ୍ରଶାସନ ପକ୍ଷରୁ ଗାଁକୁ ସବୁଦିନିଆ ରାସ୍ତାଟିଏ ତିଆରି କରାଗଲେ ଲୋକେ ବେଶ୍ ଉପକୃତ ହୋଇପାରନ୍ତେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons