
ଜୟପୁର,(ବି.ବି.ନୁ୍ୟଜ): ‘ଗାଁରେ କାମ ନାହିଁ । ମନରେଗାରେ କାମ କଲେ ଠିକ୍ ସମୟରେ ମଜୁରି ମିଳୁନି । ବାଧ୍ୟ ହୋଇ ସହରକୁ ଆସିବାକୁ ପଡୁଛି । ଖୋଲା ଆକାଶ ତଳେ ରୋଷେଇ କରିବାକୁ ପଡୁଛି, ଜୀବନ ବିତାଇବାକୁ ପଡୁଛି । କେହି ସହୃଦୟ ବ୍ୟକ୍ତି ଘର ସୁବିଧା ଦେଲେ ରାତି ବିତାଉଛୁ ।’ ଏହା କହିଛନ୍ତି ସ୍ଥାନୀୟ ଗ୍ଲୋକାଲ ହସ୍ପିଟାଲ୍-ଜଗନ୍ନାଥ ସାଗର ରାସ୍ତାକଡ଼ରେ ରହୁଥିବା ଶ୍ରମିକମାନେ ।
ଏହି ଶ୍ରମିକମାନେ ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତ କଦଳୀପଦର ଗାଁର । ସେମାନେ ହେଲେ ଲୋହି ଗୋଲରୀ, ଲକ୍ଷ୍ମୀ ସାଉନ୍ତା, ମୁଗୁ ସାଉନ୍ତା, ଚିତ୍ର ଗୋଲରୀ ଓ ଗୋପାଳ ସାଉନ୍ତା ପ୍ରମୁଖ । ସେମାନଙ୍କୁ ପଚାରିବାରୁ କହିଛନ୍ତି, ଦଣ୍ଡାବାଡି ପଞ୍ଚାୟତ ନିକଟରେ ସେମାନଙ୍କ ଗାଁ । ଗାଁରେ ୭୦ରୁ ୮୦ ପରିବାର ରହୁଛନ୍ତି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଏବଂ ଚାଷ କରି ବଞ୍ଚୁଥିଲେ । ପରେ କଟକଣା ଲଗାଗଲା । ଏଥିସହ ଗାଁରେ ଜଳସେଚନର ସୁବିଧା ନଥିବାରୁ ବର୍ଷକୁ ଥରେ ଚାଷ କରୁଛନ୍ତି । ଅଳ୍ପ ଜମି ଥିବାରୁ ପରିବାର ଚଳାଇବା କଷ୍ଟକର । ସରକାରୀ କାମ ମିଳୁନି । କାମ କଲେ ବି ଠିକ୍ ସମୟରେ ମଜୁରି ଦିଆଯାଉନି । ଏଥିପାଇଁ ମନେରଗାରେ କାମ କରିବାକୁ କେହି ଆଗ୍ରହ ଦେଖାଉ ନାହାନ୍ତି । ଗାଁ ଆଖାପାଖରେ କାମ ମିଳୁନି । ବାଧ୍ୟ ହୋଇ ଜୟପୁର ସହରକୁ ଆସିଛନ୍ତି । ରହିବା ପାଇଁ ସ୍ଥାନ ନାହିଁ । ନିର୍ମାଣ ଘର ନିକଟରେ ରହିବାକୁ ପଡୁଛି । ଏବେ ଏହି ରାସ୍ତାରେ ଏକ ଚପଲ ଗୋଦାମ ରହିଛି । ଏହାର ମାଲିକ ରହିବାକୁ ଅନୁମତି ଦେଇଛନ୍ତି । ରାତିହେଲେ ଚପଲ ଗୋଦାମରେ ପରିବାର ସହ ମୁଣ୍ଡ ଗୁଞ୍ଜୁଛନ୍ତି । ସକାଳେ ଉଠି କେନାଲ ଯାଇ ଗାଧୋଉଛନ୍ତି । ଖୋଲାଆକାଶ ତଳେ ରୋଷେଇ କରି ଖାଉଛନ୍ତି । ସକାଳ ୯ଟା ହେଲେ ମୁଖ୍ୟରାସ୍ତାରେ ପହଞ୍ଚୁଛନ୍ତି । କେହି କାମ ପାଇଁ ଡାକିଲେ ଯାଉଛନ୍ତି, ନହେଲେ ନିରାଶ ହୋଇ ଫେରୁଛନ୍ତି । ପୁରୁଷମାନଙ୍କୁ ୩ଶହରୁ ୩୫୦ ଟଙ୍କା ଏବଂ ମହିଳାଙ୍କୁ ୨ଶହରୁ ୨୨୦ ଟଙ୍କା ମଜୁରି ମିଳୁଛି । ଗାଁରେ ସରକାରୀ ସହାୟତା କହିଲେ ଚାଉଳ, କିରାସିନି ଓ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା । ଆଧାର କାର୍ଡ ନଥିବାରୁ କେତେକଙ୍କୁ ଚାଉଳ ମିଳୁନି । ସେଠାରେ କଷ୍ଟରେ ବଞ୍ଚିବା ଅପେକ୍ଷା କାମ କରି ଦୁଇ ପଇସା ରୋଜଗାର କରିବାକୁ ଏଠାକୁ ଚାଲିଆସିଛନ୍ତି । ପରିବାର ଅନ୍ୟମାନେ ସେଠାରେ ରହୁଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି ଏହି ଶ୍ରମିକମାନେ ।


Comments are closed, but trackbacks and pingbacks are open.