ଗାଁ ଦାଣ୍ଡରେ ପିଟି ଯୁବକଙ୍କୁ ହତ୍ୟା

Get real time updates directly on you device, subscribe now.

ତୁମୁଡ଼ିବନ୍ଧ, (ବି.ବି.ନୁ୍ୟଜ୍): ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ । ମୃତକ ହେଲେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୋଳଥପଦା ଗ୍ରାମର ବାଦଲ ପାଇକ (୩୫) । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଜୁ ଯୁବ ବାହିନୀ ସଦସ୍ୟମାନେ ଶବ କାନେ୍ଧଇ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନେଇଥିଲେ । ମୃତକଙ୍କ ପରିବାରରେ ବୃଦ୍ଧ ବାପାଙ୍କ ଛଡ଼ା ଆଉ କେହି ନାହାନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ବୁଧବାର ପୂର୍ବାହ୍ନ ପ୍ରାୟ ୯ଟାରେ ସେହି ଗାଁର ଅନନ୍ତ ବିନ୍ଧାଣି (୩୦) କୌଣସି କାରଣକୁ ନେଇ ବାଦଲଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଥିଲା । ଏପରିକି କାଳୀ ମନ୍ଦିର ଛକ ପାଖରୁ ଟେକି ଆଣି ପୋଲ ତଳକୁ ଠେଲି ଦେଇଥିଲା । ଫଳରେ ଗୁରୁତର ବାଦଲର ମୃତ୍ୟ ଘଟିଥିଲା । ଏହା ଦେଖି ଗ୍ରାମବାସୀ ତୁମୁଡ଼ିବନ୍ଧ ଥାନାକୁ ଖବର ଦେଇଥିଲେ । ଅଭିଯୁକ୍ତ ଅନନ୍ତ ଗାଁ ଛାଡ଼ି ବସ୍ରେ ଫେରାର୍ ହୋଇଯିବାକୁ ଉଦ୍ୟମ କରୁଥିଲା ବେଳେ ଏଏସ୍ଆଇ ଯୁଗଳ କିଶୋର ନାରକ ତାର ପିଛା କରି କୋଟଗଡ଼- କୃଷ୍ଣନଗରରୁ ଧରିବାରେ ସକ୍ଷମ ହୋଇଥିଲେ । ହତ୍ୟା ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ।
ମୃତ ବାଦଲଙ୍କ ବାପା ଶଶି ପାଇକ ଜଣେ ବୟସ୍କ ଓ ଶାରିରୀକ ଅକ୍ଷମ ବ୍ୟକ୍ତି । ମୃତକଙ୍କ ଜ୍ଞାତି କୁଟୁମ୍ବ କେହି ନଥିବାରୁ ଏକୁଟିଆ ହୋଇ ମୃତଦେହ ପାଖରେ ବସି କାନ୍ଦୁଥିବା ଦୃଶ୍ୟ ଥିଲା ହୃଦୟ ବିଦାରକ । ବାପାଙ୍କ ଏଭଳି ବୟସରେ ପୁଅର ଜୀବନ ଚାଲିଯିବା ଅନେକଙ୍କୁ ବ୍ୟଥିତ କରିଥିଲା । ତେବେ ଗ୍ରାମବାସୀ କୌଣସି କାରଣରୁ ଶବ ବ୍ୟବଛେଦ ପାଇଁ ତୁମୁଡିବନ୍ଧ ଡାକ୍ତରଖାନାକୁ ନେବା ପାଇଁ ମନା କରିଦେଇଥିଲେ । ଏହା ଜାଣିବା ପରେ ବିଜୁ ଯୁବ ବାହନୀ ସଦସ୍ୟମାନେ ଶବକୁ ବ୍ୟବଛେଦ ପାଇଁ ବୋହି ଡାକ୍ତରଖାନା ନେଇଥିଲେ । ବିଜୁ ଯୁବ ବାହିନୀ ବ୍ଲକ୍ ସଂଯୋଜକ ଯୋଶେଫ ମାଝି, ପଞ୍ଚାୟତ ସଭାପତି ଶରତ ପଟ୍ଟନାୟକ, ସମ୍ପାଦକ ଲେଭିଓ ପରାସେଠ, ମୁଣ୍ଡିଗଡ଼ ପଞ୍ଚାୟତ ସଭାପତି କୈଳାସ ମଣ୍ଡଳ, ସଦସ୍ୟ ଝଳେଶ୍ୱର ବେହେରଦଳାଇ, ମଣ୍ଟୁ ମହାନ୍ତି, ସୁଧିର ମହାରଣା ଶବ କାନେ୍ଧଇ ନେଇଥିଲେ । ଜିଲ୍ଲା ବିଜୁ ଜନତା ଦଳର ଏସ୍ସି ସେଲ୍ ସମ୍ପାଦକ ବଙ୍ଗାଲୀ ବଡ଼ସେଠ୍ ସେମାନଙ୍କୁ ସହଯୋଗ କରିଥିବା ବେଳେ ଗୁରୁବାର ଶବ ବ୍ୟବଛେଦ ପରେ ଦାହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସହଯୋଗ କରିବେ ବୋଲି ଯୋସେଫ ମାଝୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons