ନନ୍ଦପୁର,(ବି.ବି.ନୁ୍ୟଜ): ବହୁ ଚର୍ଚ୍ଚିତ ନନ୍ଦପୁର ଥାନା ପରଟା ଗାଁର ଗିରିଧର ଗୋଲରୀଙ୍କ ହତ୍ୟା ମାମଲାରେ ପୁଲିସକୁ ମିଳିଛି ସଫଳତା । ଦୀର୍ଘ ୬୬ ଦିନ ପରେ ଏହି ମାମଲାରେ ପୁଲିସ୍ ୨ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗିରିଧରଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ସନେ୍ଦହ କରିଛି । ଗିରଫ ଅଭିଯୁକ୍ତ ହେଲେ ଉମେଶ ଗୁଣ୍ଠା(୨୪) । ଗିରଫ ପରେ ଉମେଶକୁ କୋରାପୁଟ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ବେଳେ ଅନ୍ୟ ୨ନାବାଳକଙ୍କୁ ବ୍ରହ୍ମପୁର ସୁଧାର ଗୃହକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଆଉ କେତେକଙ୍କ ସଂପୃକ୍ତି ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କେଉଁ କାରଣରୁ ଗିରିଧରଙ୍କୁ ହତ୍ୟା କରାଯାଇଥିଲା ତାହା ସ୍ପଷ୍ଟ ହେବ ବୋଲି ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ର ଏବଂ ଥାନା ଅଧିକାରୀ କପିଳେଶ୍ୱର ବେହେରା କହିଛନ୍ତି । ସୂଚନାଥାଉକି, ଗତ ମାର୍ଚ୍ଚ ୨୮ ତାରିଖରେ ପରଟା ଗାଁ ନିକଟ ରେଳଧାରଣାରୁ ଗିରିଧରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ଏ ସମ୍ପର୍କରେ ଗିରିଧରଙ୍କ ବାପା ଗୁପ୍ତ ଗୋଲରୀ ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା । ସନ୍ଧାନୀ କୁକୁର, ସାଇବର ସେଲ୍ ସହ ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
Comments are closed, but trackbacks and pingbacks are open.