ଗିଲ୍ଙ୍କୁ ୪ନଂ ସ୍ଥାନ ପାଇଁ ପ୍ରସ୍ତୁତ କରାଯାଉ: ହ୍ୱାଟ୍ମୋର

Get real time updates directly on you device, subscribe now.

ଚେନ୍ନାଇ: ସଦ୍ୟ ସମାପ୍ତ ବିଶ୍ୱକପ୍ରେ ଭାରତୀୟ ଦଳର ୪ନଂ ସ୍ଥାନ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିଲା । ଏହି ସ୍ଥାନରେ ବାରମ୍ବାର ଖେଳାଳି ପରିବର୍ତ୍ତନ କରାଯାଇଥିଲେ ହେଁ କେହି ସଫଳ ହୋଇ ପାରିନଥିଲେ । ଏହା ଦଳୀୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିଲା । ଦଳ ସେମିରେ ନ୍ୟୁଜିଲାଣ୍ଡଠୁ ପରାଜିତ ହେବା ପରେ ପୂର୍ବତନ ଖେଳାଳି ଓ କ୍ରିକେଟ୍ ପଣ୍ଡିତମାନେ ଟିମ୍ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଥିଲେ । ଏଭଳି ସ୍ଥଳେ ପୂର୍ବତନ ଶ୍ରୀଲଙ୍କା କୋଚ୍ ଡେଭ୍ ହ୍ୱାଟମୋର ଭାରତୀୟ ବ୍ୟାଟିଂ କ୍ରମର ୪ନଂ ସ୍ଥାନକୁ ନେଇ ଗତ ୪/୫ ବର୍ଷ ହେଲା ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିଛନ୍ତି । ଏହି ସ୍ଥାନ ପାଇଁ ଯୁବ ଖେଳାଳି ଶୁଭମନ ଗିଲ୍ଙ୍କୁ ପ୍ରସ୍ତୁତ କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି ।
ହ୍ୱାଟମୋର କହିଛନ୍ତି, ବିଶ୍ୱକପ୍ରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । କିନ୍ତୁ ୪ନଂ ସ୍ଥାନ ମୁଖ୍ୟ ସମସ୍ୟା ପାଲଟିଥିଲା । ସେହିପରି ଆହତ ସମସ୍ୟା ଦୁର୍ଭାଗ୍ୟଜନକ ରହିଥିଲା । ବିଶେଷ କରି ୪ନଂ ସ୍ଥାନ ପାଇଁ ଭାରତ ପୂର୍ବରୁ ପ୍ରସ୍ତୁତି କରିବାର ଆବଶ୍ୟକତା ଥିଲା । ମୋ’ ମତରେ ରିଶଭ ପନ୍ତଙ୍କୁ ପୂର୍ବରୁ ସୁଯୋଗ ମିଳିଥିଲେ ସେ ଏହି ସ୍ଥାନ ପୂରଣ କରି ପାରିଥାଆନ୍ତେ । ଆଗାମୀ ସମୟରେ ଗିଲ୍ଙ୍କୁ ଏହି ସ୍ଥାନ ପାଇ ପ୍ରସ୍ତୁତ କରିବା ଦରକାର । ସେ ଜଣେ ଯୁବ ଖେଳାଳି ଏବଂ ତାଙ୍କ ପାଖରେ ସମସ୍ତ ପ୍ରକାର ସଟ୍ ଖେଳିବାର ଦକ୍ଷତା ରହିଛି ।
ଅନ୍ୟ ପକ୍ଷରେ ହ୍ୱାଟମୋର ଭେଟେରାନ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ କହିଛନ୍ତି, ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା କରିବା ଠିକ୍ ନୁହେଁ । ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ସେ ନିଜେ ତାଙ୍କ ଅବସର ନିଷ୍ପତ୍ତି ନେବେ । ଏବେ ତାଙ୍କ ସ୍ଥାନ ପାଇଁ ଜଣେ ଉପଯୁକ୍ତ ଖେଳାଳି ପ୍ରସ୍ତୁତ କରିବା ଦରକାର । ପନ୍ତ ଏହି ସ୍ଥାନ ପୂରଣ କରିପାରିବେ ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons