ରୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲାରେ ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୭୬ ଜଣ କରୋନା ପଜିଟିଭ୍ । ସେମାନଙ୍କ ମଧ୍ୟରୁ ସର୍ବାଧିକ ୭୪ ଜଣ ହେଉଛନ୍ତି ଗୁଣପୁର ବ୍ଲକ ସିରିଝୋଲି ପଞ୍ଚାୟତର । ସେ ଭିତରେ ପଞ୍ଚାୟତ ଅଧୀନରେ ଥିବା ବିଜୟପୁର ଗାଁର ରହିଛନ୍ତି ୭୩ ଜଣ । ଅନ୍ୟ ୨ ଜଣ ରାୟଗଡ଼ା ଓ ଗୁଣପୁର ସହରର । ଏହା ଜଣାପଡିବା ପରେ ଶିରିଝୋଲି ସମେତ ଗୁଣପୁର ସହରର ଶାନ୍ତିନଗର ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ଆଜିର ୭୫ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୧୫ରେ । ସେମାନଙ୍କ ମଧ୍ୟରେ ଗୁଣପୁର ଉପଖଣ୍ଡର ୯୨ ଜଣ ଥିବା ବେଳେ କେବଳ ବିଜୟପୁର ଗାଁର ରହିଛନ୍ତି ୯୦ । ଏହି ଗାଁର ପ୍ରତି ଘରେ ରହିଛନ୍ତି ଜଣେ, ଦି ଜଣ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ଶିରିଝୋଲି ପଞ୍ଚାୟତର ୭୪ ଜଣଙ୍କ ମଧ୍ୟରେ ଅଛନ୍ତି ୪୫ ଜଣ ମହିଳା ଏବଂ ୨୯ ଜଣ ପୁରୁଷ । ସେମାନଙ୍କ ମଧ୍ୟରେ ୪ ଜଣ ହେଉଛନ୍ତି ୧୦ ବର୍ଷରୁ କମ୍ ବୟସର ଶିଶୁ ଏବଂ ୯ ଜଣ ହେଉଛନ୍ତିି ୬୦ ବର୍ଷରୁ ଉଦ୍ଧ୍ୱର୍ ।
ସୂଚନାଥାଉକି, ସିରିଝୋଲି ପଞ୍ଚାୟତ ବିଜୟପୁରରୁ ପ୍ରଥମେ ଗୋଟିଏ ପରିବାରର ତିନିଜଣ କରୋନା ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସେହି ପରିବାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ସେ ଭିତରେ ରହିଥିଲେ ଜଣେ ଆଶା କର୍ମୀ । ରିପୋର୍ଟରେ ଆଶାଙ୍କ ସମେତ ମୋଟ ୧୩ ଜଣ ଆକ୍ରାନ୍ତ ହୋଇଥିଲେ । ଆଶା ଜଣଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟସେବା ଯୋଗାଉଥିଲେ । ତେଣୁ ସେ ସୁପର ସ୍ପେ୍ରଡର ହେବେ ବୋଲି ଆଶଙ୍କା କରାଯାଉଥିଲା । ଆଉ ତାହା ହିଁ ହେଲା ବୋଲି ସଂପୃକ୍ତ ଅଞ୍ଚଳରେ ଆଲୋଚନା ହେଉଛି । ତୃତୀୟ ପର୍ଯ୍ୟାୟରେ ୨୪୬ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା । ସେ ଭିତରେ ସିରିଝୋଲିର ଜଣେ ବାରିକ, ଗୁଣପୁରରେ ଭଡା ଘରେ ରହୁଥିବା ଜଣେ ପାଇପ୍ ମିସ୍ତ୍ରୀ ଏବଂ ବିକ୍ରମପୁରରେ ରେସନ ଦୋକାନରେ କାମ କରୁଥିବା ଜଣେ ଶ୍ରମିକଙ୍କ ସ୍ୱାବ ରହିଥିଲା । ସ୍ୱାବ ସଂଗ୍ରହ ପରେ ବି ସେମାନେ ନିଜ କାମରୁ ଓହରି ନଥିଲେ । ବାରିକ ଜଣଙ୍କ ଏକ ଦଶାହ କାର୍ଯ୍ୟରେ ଯୋଗଦେଇ ଲୋକଙ୍କୁ ଖିଅର କରିଥିଲେ । ପାଣି ପାଇପ୍ ମିସ୍ତ୍ରୀ ଜଣଙ୍କ ଘରଘର ବୁଲି ପାଇପ୍ କାମ କରୁଥିଲେ । ତାଙ୍କ ପରିବାର ଲୋକେ ମଧ୍ୟ ଶାନ୍ତିନଗରରେ ଅନ୍ୟ ଘରକୁ ଯିବାଆସିବା କରୁଥିଲେ । ରେସନ ଦୋକାନରେ କାମ କରୁଥିବା ଶ୍ରମିକ ଜଣଙ୍କ ସମସ୍ତଙ୍କ ସହ ମିଶି କାମ କରୁଥିଲେ । ଆଜିର ରିପୋର୍ଟ ଆସିବା ପରେ ଏହି ୩ ଜଣ ସଂକ୍ରମିତ ଥିବା ଜଣାପଡିଛି । ଏଥିଲାଗି ତ୍ରୁଟିପୂର୍ଣ୍ଣ କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ ଲୋକେ ଦାୟୀ କରିଛନ୍ତି । ଆଶାଙ୍କ ପରେ ସେମାନେ ବି ସୁପରସ୍ପେ୍ରଡର ହୋଇପାରନ୍ତି ବୋଲି ଲୋକେ ଆଶଙ୍କା କରୁଛନ୍ତି । ଆଜିର ଆକ୍ରାନ୍ତ ୭୫ ଜଣଙ୍କୁ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର କୋଭିଡ୍ ପରୀକ୍ଷାକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଗୁଣପୁର ଉପଖଣ୍ଡରେ ଆଜିସୁଦ୍ଧା ୯୨ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ଥିବା ୧୧୫ ଜଣଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବଳକା ୯୩ ଜଣ ଚିକିତ୍ସାଧୀନ ଅଛନ୍ତି ।
Comments are closed, but trackbacks and pingbacks are open.