ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୭ ଗିରଫ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନ୍ୟୁଜ୍): କେନ୍ଦୁଝର, ସଦରଥାନା ଗୋବର୍ଦ୍ଧନ ପଞ୍ଚାୟତର ସେଣ୍ଡକାପ ସାଦସାହିରେ ଅନ୍ଧବିଶ୍ୱାସର ନୃଶଂସ ପରିଣତି ଦେଖିବାକୁ ମିଳିଛି । ଗୁଣି ସନ୍ଦେହରେ ଆଜି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କି.ମି ଦୂରରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଦୀନବନ୍ଧୁ ମୁଣ୍ଡାଙ୍କୁ ପିଟିପିଟି ମାରିଦିଆଯାଇଛି । ଏ ଘଟଣା ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ସମ୍ମୁଖରେ ଘଟିଥିବାବେଳେ ଶିକ୍ଷିତ ସମାଜର ପରିବର୍ତ୍ତନଶୀଳ ଦିଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ ଘଟଣାରେ ସମ୍ପୃକ୍ତ ସେହି ଗ୍ରାମର ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ୨ ଭାଇ ଚେମା ମୁଣ୍ଡା ଓ ରବି ମୁଣ୍ଡା, ବାପ ପୁଅ ବୈଶାଖୁ ମୁଣ୍ଡା ଓ ଟିମା ମୁଣ୍ଡା, ବଳଭଦ୍ର ମୁଣ୍ଡା, ଏବଂ ନରହରି ମୁଣ୍ଡା, ଟୁରା ମୁଣ୍ଡା । ତେବେ ଚେମା ମୁଣ୍ଡାର ୭ ବର୍ଷର ପୁଅକୁ ୨/୩ ଦିନ ଧରି ଜ୍ୱର ଲାଗି ରହିବା ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଦୀନବନ୍ଧୁଙ୍କୁ ହତ୍ୟା କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।
ଗତକାଲି ରାତି ପ୍ରାୟ ୮ ଟା ବେଳେ ଦୀନବନ୍ଧୁ କାମ ସାରି ଘରକୁ ଫେରିଥିଲେ । ଖିଆପିଆ କରି ସାରିବା ପରେ ସେ ଏକୁଟିଆ ରହୁଥିବା ଘରେ କବାଟ ଲାଗାଇ ଶୋଇବାକୁ ଯାଉଥିଲେ । ଏହି ସମୟରେ ସେହି ଗ୍ରାମର ଚେମା, ରବି, ବଳଭଦ୍ର, ନରହରୀ, ବୈଶାଖୁ, ଟିମା ଓ ଟୁରା ନିଶାସକ୍ତ ଅବସ୍ଥାରେ ତାଙ୍କ ଘର ଅଗଣାକୁ ପାଟି ତୁଣ୍ଡ କରି ପଶିଥିଲେ । ବୁଢା କୋଉଠି ଅଛି ସେ ଗୁଣି ଗାରେଡି କରି ଆମ ଛୁଆ ପିଲାଙ୍କୁ ଜ୍ୱର କରେଇ ଦେଉଛି, ତାକୁ ଆଜି ଛାଡିବୁ ନାହିଁ କହି ହୋହାଲ୍ଲା କରିଥିଲେ । ଦୀନବନ୍ଧୁଙ୍କ ଘର ପାଖରେ ରହୁଥିବା ତାଙ୍କ ଝିଅ ରଇବାରୀ, ବୋହୁ ସୁନୀତା ଏବଂ ନାତୁଣୀ ତୁଳସୀ ସେମାନଙ୍କର ଏଭଳି ରୂପ ଦେଖି ଡରିଯାଇଥିଲେ ଏବଂ କ’ଣ ହେଇଛି ବାପା ଯଦି କିଛି ଭୂଲ କରିଛନ୍ତି ସକାଳେ ବିଚାର କରିବା ବୋଲି କହିଥିଲେ । ହେଲେ ମଦ ନିଶାରେ ଚୁର ଥିବା ଉକ୍ତ ଗୋଷ୍ଠୀର ୭ ଜଣ ଏମାନଙ୍କ କଥା ଶୁଣି ନଥିଲେ । ଆହୁରି ଜୋରରେ ପାଟି ତୁଣ୍ଡ କରିବା ସହ ଦୀନବନ୍ଧୁ ଶୋଇଥିବା ଘରର କବାଟ ଭାଙ୍ଗି ଭିତରେ ପଶିଥିଲେ । ଏହା ଦେଖି ଦୀନବନ୍ଧୁଙ୍କ ଝିଅ ରଇବାରୀ ଘର ନିକଟକୁ ଯାଉଥିବାବେଳେ ତାକୁ ମଧ୍ୟ ମାର୍ପିଟ କରିଥିଲେ । ହୋହାଲ୍ଲା ଶୁଣି ପଡିଶା ଲୋକ ଘର ଅଗଣାରେ ରୁଣ୍ଡ ହୋଇଯାଇଥିଲେ । ଆମେ ଦୀନବନ୍ଧୁକୁ ବୁଝାଇବାକୁ ଆସିଛୁ ତମେମାନେ ଆସ ନାହିଁ ବୋଲି ଉପସ୍ଥିତ ଲୋକଙ୍କୁ କହିବା ସହ ଅଭିଯୁକ୍ତମାନେ ଘର ଭିତରେ ପଶି ଦୀନବନ୍ଧୁଙ୍କୁ ମାରିଥିଲେ । କାଠପୀଢା, କଡେଇ, ଡେକ୍ଚି, ଠେଙ୍ଗା ଯିଏ ଯାହା ପାଇଲା ସେଇଥିରେ ଦୀନବନ୍ଧୁଙ୍କୁ ନିର୍ଧୁମ ପିଟିଥିଲେ । ଘର ଭିତରେ ଥିବା ବିଛଣାପତ୍ର, ଆସବାବ ସବୁ ଫିଙ୍ଗା ଫୋପଡା କରିଥିଲେ । ଦୀନବନ୍ଧୁ ଅଚେତ ହୋଇଗଲା ପରେ ସେମାନେ ବାହାରିଥିଲେ । ପରିବାର ଲୋକେ ଯେପରି ଦୀନବନ୍ଧୁଙ୍କ ନିକଟକୁ ଯାଇ ପାରିବେନି ସେଥିପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘର ବାହାରେ ଜଗି ରହିଥିଲେ । ସମସ୍ତେ ଶୋଇପଡିବା ପରେ ଘର ଛାଡି ଚାଲି ଯାଇଥିଲେ । ସକାଳେ ରଇବାରୀ, ବୋହୂ ସୁନିତା ଘର ଭିତରେ ଦୀନବନ୍ଧୁଙ୍କୁ ମରିପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ସଦରଥାନା ଅଧିକାରିଣୀ ସ୍ମୃତିପ୍ରଭା ପ୍ରଧାନ, ଏଏସଆଇ ବୁଧୁନୀ ମିଞ୍ଜ ପହଞ୍ôଚ ମୃତ ଦେହ ଜବତ କରିବା ସହ ଏନେଇ କେଶ ନଂ ୧୮୦/୨୦୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଏ ଘଟଣାରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ପ୍ରକାଶଥାଉକି , ଦୀନବନ୍ଧୁ ଖଡିକା ସାହାଯ୍ୟରେ ଲୋକଙ୍କ ରୋଗ ବିଷୟରେ ଜାଣିପାରୁଥିବା ବିଶ୍ୱାସରେ ଅନେକ ଲୋକ ତାଙ୍କ ପାଖକୁ ଆସୁଥିଲେ । ସେ ମଧ୍ୟ ପୂଜା ପାଠ କରିବାକୁ ଗାଁ ଗଣ୍ଡାକୁ ଯାଉଥିଲେ । ଦୀନବନ୍ଧୁ ଗୁଣି କରି ଏଭଳି କରୁଛି ବୋଲି ସନ୍ଦେହ କରି ଆସୁଥିଲେ ସେମାନେ । ଏଥିପାଇଁ ଆଗରୁ ଅନେକ ଥର ଦୀନବନ୍ଧୁଙ୍କ ସହ ଝଗଡା ମାରପିଟ ମଧ୍ୟ କରିଛନ୍ତି । ତେବେ ୨/୩ ଦିନ ତଳେ ଚେମା ମୁଣ୍ଡାର ପୁଅକୁ ଜ୍ୱର ହୋଇଥିବାରୁ ଦୀନବନ୍ଧୁ ଗୁଣି କରିଥିବାର ସନ୍ଦେହ କରି ତାକୁ ସବୁଦିନ ପାଇଁ ରାସ୍ତାରୁ ହଟେଇଦେବାକୁ ଯୋଜନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons