ଗୁଣି ସନେ୍ଦହରେ ହତ୍ୟା, ୩ ଗିରଫ

Get real time updates directly on you device, subscribe now.

ସାନଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗୁଣି ଗାରେଡ଼ି ସନେ୍ଦହରେ ପାଟପୁର ଥାନା ବାଘୁଆପଲି ଗ୍ରାମର ଅଙ୍ଗଦ ମଳିକଙ୍କୁ ହତ୍ୟା ହୋଇଛି । ହତ୍ୟା କରିବାକୁ ପୂର୍ବରୁ ଷଢଯନ୍ତ୍ର ହୋଇଥିଲା । ପୂର୍ବ ଯୋଜନା ଅନୁସାରେ ଭୁଜାଲିରେ ଅଙ୍ଗଦଙ୍କ ବେକ କାଟି ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିବା ପୁଲିସ ସ୍ପଷ୍ଟ କରିଛି । ଏହି ଘଟଣାରେ ପୁଲିସ ପାଟପୁର ଥାନା ଜୟପୁର ଗାଁର ଟୁନା ନାୟକ, ପ୍ରତାପଗିରି ଗାଁର ମୁନା ନାୟକ, ଖାରିଗୁଡାର ଜିତୁ ବେହେରାକୁ ଗିରଫ କରିଥିବା ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ପତିତପାବନ ଚୌଧୁରୀ, ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି ଯେ ପାଟପୁର ଥାନା ଅଧିକାରୀ ଅଜୟ ବାରିକ, ତଦନ୍ତକାରୀ ଅଧିକାରୀ ପ୍ରୀତିମଞ୍ଜରୀ ଗଡ଼ନାୟକଙ୍କ ଟିମ୍ ଶୁଭ୍ରଜିତ ସାମନ୍ତରାୟ, ସନ୍ତୋଷ କୁମାର ବଡ଼ମୁଣ୍ଡି, ଭେଙ୍କଟ ବେହେରା, ଶିବ ରଞ୍ଜନ ତ୍ରିପାଠୀ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଙ୍ଗଦ ଗାଁରେ ଚେରମୂଳି ଔଷଧ ଦେବା ସହ ଝଡ଼ାଫୁଙ୍କା କରନ୍ତି । ପୂର୍ବରୁ ଜଣେ ଅଭିଯୁକ୍ତ ଟୁନା ନାୟକଙ୍କ ଭାଣିଜୀ ତାଙ୍କଠାରୁ ଚେରିମୂଳୀ ଔଷଧ ଖାଇବା ପରେ ମୃତୁ୍ୟ ହୋଇଥିଲା । ଏଥିରେ ଅଙ୍ଗଦ ଗୁଣି କରିବାରୁ ମୃତୁ୍ୟ ଘଟିଥିବା ସନେ୍ଦହ କରିଥିଲେ ଟୁନା । ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଅଙ୍ଗଦକୁ ଜୀବନରେ ଶେଷ କରି ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟ ସାଧନ କରିବାକୁ ସେ ପ୍ରତାପଗିରି ଗ୍ରାମର ମୁନାଙ୍କ ସହାୟତା ଲୋଡ଼ିଥିଲେ । ମୁନା ଖାରିଗୁଡ଼ାର ଜିତୁଙ୍କୁ ଡାକିଥିଲେ । ନଭେମ୍ବର ୩୦ ସନ୍ଧ୍ୟାରେ ତିନି ଜଣ ଜୟପୁର କଲୋନୀ ଛକରେ ଏକାଠି ହୋଇଥିଲେ । ସେଠାରେ ଦେଶୀ ମହୁଲି ପିଇ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଜିତୁ ବାଘୁଆପଲ୍ଲୀ ଗାଁ ଛକକୁ ଯାଇ ଅଙ୍ଗଦଙ୍କୁ ଖୋଜିଥିଲେ । ଅଙ୍ଗଦଙ୍କୁ ଦେଖିବା ପରେ ତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ନେଇଥିଲେ । ପୂର୍ବରୁ ସେଠାରେ ଥିଲେ ଟୁକୁନା ଓ ମୁନା । ସେହି ଦୁଇ ଜଣ ଅଙ୍ଗଦଙ୍କୁ ଭିଡ଼ ଧରିଲେ ଓ ମୁନା ତାଙ୍କର ଗଳା କାଟିଥିଲେ । ଘଞ୍ଚ ଜଙ୍ଗଲ ଭିତରେ ମୃତଦେହ ଫୋପାଡ଼ି ଦେଇ ତିନି ଜଣ ଚମ୍ପଟ୍ ମାରିଥିଲେ ।
ମୃତକଙ୍କ ସ୍ତ୍ରୀ ବାଙ୍କି ମଳିକଙ୍କ ଏତଲା କ୍ରମେ ଥାନା କେସ୍ ୨୬୧/୧୯ ଅନୁଯାୟୀ ମକଦ୍ଧମା ରୁଜୁ ହୋଇଛି । ଗ୍ରାମର ଜଣେ ଗାଈ ଜଗୁଆଳ ଜଙ୍ଗଲରେ ମୃତ ଦେହ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ମୃତ ଦେହ ଦେଖିବାକୁ ଜଙ୍ଗଲକୁ ଲୋକଙ୍କ ଧାଡ଼ି ଛୁଟିଥିଲା । ଖବର ପାଇ ପାଟପୁର ଥାନା ଏସ ଆଇ ଶୁଭ୍ରଜିତ ସାମନ୍ତରା ସଦଳବଳେ ଜଙ୍ଗଲରେ ପହଞ୍ଚି ମୃତଦେହ ଜବତ କରିଥିଲେ । ଅଙ୍ଗଦଙ୍କ ପରିବାର ଲୋକ ମୃତଦେହ ଚିହ୍ନଟ କରିଥିଲେ । ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଥାନାରେ କାର୍ଯ୍ୟରତ ଶିକ୍ଷାନବିଶ ଡିଏସ୍ପି ସଞ୍ଜୟ କୁମାର ମହାପାତ୍ର, ଥାନା ଅଧିକାରୀ ଅଜୟ କୁମାର ବାରିକ, ଛତ୍ରପୁର ସାଇଣ୍ଟିଫିକ ଟିମ ଅଫିସର ଅକ୍ଷୟ କୁମାର ସାମଲ, ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ମୌସୁମୀ ଦଳାଇ, ଫଟୋଗ୍ରାଫର ସିମାଞ୍ଚଳ ସେଠୀ, ଆଟେଣ୍ଡଣ୍ଟ ନଳିନୀ ନାହାକ ପ୍ରମୁଖ ମୃତଦେହ ମିଳିଥିବା ଜଙ୍ଗଲରେ ପହଞ୍ଚି ଛାନ୍ଭିନ୍ କରଥିଲେ । ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନଠାରୁ ପ୍ରାୟ ୧ ଶହ ମିଟର ଦୂରରେ ପଡ଼ିଥିବା ରକ୍ତଭିଜା ଗାମୁଛା, ରକ୍ତଭିଜା ମାଟି ଓ ଏକ ଟର୍ଚ୍ଚ ଲାଇଟ ଜବତ ହୋଇଛି । ବାଘୁଆପଲ୍ଲୀ ଗାଁର କିଛି ବ୍ୟକ୍ତି ଫେରାର ଥିବାରୁ ସେମାନେ ମଧ୍ୟ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ସନେ୍ଦହ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons