ରାୟଗଡା,(ବି.ବି.ନ୍ୟୁଜ୍): ଯେତେ ଯାହା କଲେବି ଜିଲ୍ଲାରେ ରୋକାଯାଇ ପାରୁନି ଅନ୍ଧବିଶ୍ୱାସ । ଗୁଣିଗାରେଡ଼ି ସନ୍ଦେହରେ ବଢିଚାଲିଛି ଆକ୍ରମଣ ଏବଂ ହତ୍ୟାକାଣ୍ଡ । ଏହି କ୍ରମରେ ଏବେ ଆଉ ଏକ ମୁଣ୍ଡ ଗଡ଼ିବାକୁ ଯାଉଥିଲା । କିନ୍ତୁ ଅଳ୍ପକେ ରକ୍ଷା ମିଳିଯାଇଛି । ସ୍ୱପ୍ନାଦେଶରୁ ହତ୍ୟା କରିବାକୁ ଯାଇଥିବା ବେଳେ ପୁଲିସ୍ ହସ୍ତକ୍ଷେପରେ ମାମଲାର ସମାଧାନ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଥାନା ଅନ୍ତର୍ଗତ ତାଡମା ଗାଁରେ ।
ମିଳିଥିବା ସୂଚନା ଅନୁଯାୟୀ, ଗାଁର କୃଷ୍ଣ ହିମିରିକାଙ୍କ ଭାଇ ରାଜୁ ହିମିରିକା ଗତ କିଛି ବର୍ଷ ହେଲା ଯକ୍ଷ୍ମାରେ ପୀଡିତ ଅଛନ୍ତି । ୨ ସପ୍ତାହ ତଳେ କୃଷ୍ଣ ରାତିରେ ସ୍ୱପ୍ନ ଦେଖିଥିଲେ ଯେ, ତାଙ୍କ ପଡୋଶୀ ପୁଲୁ ମେଲେକା ଗୁଣିଗାରେଡି କରୁଥିବାରୁ ରାଜୁଙ୍କ ରୋଗ ବଢିଚାଲିଛି । ପୁଲୁ ଗୁଣି କରିଥିବାରୁ ସେ ରୋଗାକ୍ରାନ୍ତ ହୋଇ ଘରେ ପଡିରହିଛନ୍ତି । ଏଥିପାଇଁ ସେ କାଶୀପୁର ବ୍ଲକର ଜଣେ ଦିଶାରୀଙ୍କ ପାଖକୁ ଯାଇଥିଲେ । ସ୍ୱପ୍ନ ସମ୍ପର୍କରେ ତାଙ୍କ ସହ ଆଲୋଚନା କରିଥିଲେ । ଏଥିରେ ସତ୍ୟତା ଥିବା ନିଶ୍ଚିତ ହେବାପରେ ପୁଲୁଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲା କୃଷ୍ଣ । ସେଠାରୁ ଫେରିବା ପରଦିନ ଅର୍ଥାତ ଗତ ୧୦ ତାରିଖ ସନ୍ଧ୍ୟାରେ କୃଷ୍ଣ ଏକ ଶାବଳ ସହାୟତାରେ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଶାବଳରେ ଭୁସିବାକୁ ଉଦ୍ୟମ କଲାବେଳେ ଏହାକୁ ଧରି ପକାଇଥିଲେ ପୁଲୁ । ହତ୍ୟା ଉଦ୍ୟମ ସଂପର୍କରେ ପଚାରିବାରୁ ଦେଖିଥିବା ସ୍ୱପ୍ନ ସଂପର୍କରେ କହିଥିଲା । ଏହାପରେ କଥା ପହଞ୍ଚିଥିଲା ଗାଁରେ । ସମସ୍ତେ ବିଚାର କରିବା ପରେ ପୂଜାରୀଗୁଡା ଗାଁକୁ ଯାଇଥିଲେ । ଜଣେ ଦିଶାରୀଙ୍କ ଆଗରେ ଏହାର ମିମାଂସା କରିବାକୁ ସ୍ଥିର କରିଥିଲେ । ବାସ୍ତବରେ ପୁଲୁ ଗୁଣିଗାରେଡି କରିଛନ୍ତି ନା ନାହିଁ, ଦିଶାରୀଙ୍କ ଦ୍ୱାରା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ପ୍ରତ୍ୟେକ ଘରୁ ୨ ଜଣ ଲେଖାଏଁ ଦୁଇଟି ଗାଡିରେ ପୂଜାରୀଗୁଡା ଯାଇ ସେଠାର ଦେବୀଙ୍କ ନିକଟରେ ପୂଜାର୍ଚ୍ଚର୍ନା କଲେ । ଦିଶାରୀଙ୍କୁ ସବୁ କଥା କହିଲେ ।
ପୂଜା କରିବା ପରେ ଦିଶଶରୀ ଜଣଙ୍କ ନିର୍ଣ୍ଣୟ ଶୁଣାଇଲେ ଯେ, ୩ ଦିନ ମଧ୍ୟରେ ଯଦି ଗାଁର କୌଣସି ମଣିଷ, ଗୋରୁଗାଈ ବା ଛେଳିମେଣ୍ଢା ମରନ୍ତି, ତାହେଲେ ପୁଲୁ ଗୁଣି କରିଛି ବୋଲି ବିଶ୍ୱାସ କରାଯାଇପାରେ । ଗାଁଲୋକଙ୍କ ଉପସ୍ଥିତିରେ ଏଭଳି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସହମତ ହୋଇଥିଲେ ପୁଲୁ । ଶୁକ୍ରବାର ୩ ଦିନ ପୂରଣ ହେଲା । କିନ୍ତୁ ଗାଁର କୌଣସି କ୍ଷତି ହୋଇନଥିଲା । ଏହାକୁ ନେଇ ଗାଁରେ ଆଉ ଏକ ବୈଠକ ବସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପହଞ୍ଚିଥିଲା ପୁଲିସ । ବୈଠକ ଭିତରୁ ହତ୍ୟା ଉଦ୍ୟମ କରିଥିବା କୃଷ୍ଣଙ୍କ ସହ ପୁଲୁଙ୍କୁ ଧରି ନେଇଥିଲା ଥାନାକୁ । ଉଭୟ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସେହି ବର୍ଗର ଅନ୍ୟ ବୁଦ୍ଧିଜୀବୀଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ ରାୟଗଡା ଅତିରିକ୍ତ ବିଡିଓ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ନାୟକ, ଏସ୍ଡିପିଓ ତପନ ନାରାୟଣ ରଥ, ଆଇଆଇସି ନିହାର ରଞ୍ଜନ ପ୍ରଧାନ, ମଝିଘରିଆଣି ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରମୁଖ । ଗୁଣିଗାରେଡ଼ି ବୋଲି କିଛି ନାହିଁ, ଏହା କେବଳ ଅନ୍ଧବିଶ୍ୱାସ ବୋଲି ଉଭୟଙ୍କୁ ବୁଝାଯାଇଥିଲା । ଏହାପରେ ଉଭୟ କୃଷ୍ଣ ଓ ପୁଲୁ ଲିଖିତ ଭାବେ ଥାନାରେ ସହମତି ପ୍ରକାଶ କରି ତାଡମା ଫେରିଥିଲେ ବୋଲି କହିଛନ୍ତି ଏସଡିପିଓ ଶ୍ରୀ ରଥ ।
Comments are closed, but trackbacks and pingbacks are open.