ସୋର: ଗୁରୁତର ରୋଗୀଙ୍କ ଅକ୍ସିଜେନ୍ ସିଲିଣ୍ଡର ବନ୍ଧ କରିଦେଲେ ଜଣେ ମଦୁଆ। ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ ରୋଗୀଙ୍କୁ ଦଇବ ସାହା। ମଦ ପିଇ ମାତାଲ ଅବସ୍ଥାରେ ଜଣେ କର୍ମଚାରୀ ଜଣେ ଗୁରୁତର ରୋଗୀଙ୍କ ଅକ୍ସିଜେନ୍ ସିଲିଣ୍ଡର ବନ୍ଧ କରି ଦେଲେ। ଅକ୍ସିଜେନ୍ ନାହିଁ କହି ଗୁରୁତର ରୋଗୀଙ୍କୁ ଫେରାଇ ଦେଲେ ।
ସୂଚନା ଅନୁସାରେ ସୋର ଥାନା ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁର ଅଞ୍ଚଳର ମିନକେତନ ଦାସ ମହାପାତ୍ର ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ। ଗତକାଲି ସନ୍ଧ୍ୟାରେ ସେ ନିଶ୍ବାସ- ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକେ ସୋର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ। ଡାକ୍ତର ପ୍ରଥମେ ଏକ ଅକ୍ସିଜେନ୍ ସିଲିଣ୍ଡର ଲଗାଇଥିଲେ ମାତ୍ର ସିଲିଣ୍ଡରଟି ରାତିରେ ସରିଯିବାରୁ ପରିବାର ଲୋକ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାର ଜଣେ କର୍ମଚାରୀଙ୍କୁ ଏକ ନୂଆ ସିଲିଣ୍ଡର ଲଗାଇବାକୁ କହିଥିଲେ ।
ମାତ୍ର କର୍ମଚାରୀ ଜଣକ ଡ୍ୟୁଟି ସମୟରେ ମଦ ପିଇ ମାତାଲ ଅବସ୍ଥାରେ ଥାଇ ଡ୍ୟୁଟି କରୁଥିଲେ ଯାହା ଫଳରେ ନୂଆ ଅକ୍ସିଜେନ୍ ସିଲିଣ୍ଡର ଲଗାଇ ଚାଲୁ କରିବା ପରିବର୍ତ୍ତେ ସିଲିଣ୍ଡର ବନ୍ଧ କରି ଅକ୍ସିଜେନ୍ ସରିଯାଇଥିବା କହି ଫେରାଇ ଦେଇଥିଲେ । ମିନକେତନଙ୍କ ପରିବାର ଲୋକ ବାଧ୍ୟ ହୋଇ ପ୍ରାଇଭେଟ୍ ଆମ୍ବୁଲାନ୍ସରୁ ଏକ ସିଲିଣ୍ଡର ନେଇ ଅକ୍ସିଜେନ୍ ଲଗାଇଥିଲେ ଏବଂ ମିନକେତନ ଅକ୍ସିଜେନ୍ ଅଭାବରୁ ଅଧିକ ଗୁରୁତର ହେବାରୁ ତାଙ୍କୁ ଅଶ୍ବନି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।


Comments are closed, but trackbacks and pingbacks are open.