କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ପାଖାପାଖି ଦେଢ଼ ମାସ ପରେ ଗୁଲ୍ନଗର ଗୁଳିକାଣ୍ଡର ହୋଇଛି ଖୁଲାସା । ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପୂର୍ବତନ କାଉନ୍ସିଲର୍ ସେକ୍ ରହେମତ୍ ଓରଫ ଶାନ୍କୁ କେନ୍ଦ୍ରାପଡ଼ା ସଦର ପୁଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଗତକାଲିଠାରୁ ପୁଲିସ ହେପାଜତରେ ଥିବା ଶାନ୍ଠାରୁ ଏକ ବୁଲେଟ୍ ମୋଟର୍ସାଇକେଲ, ୨ଟି ସ୍ମାର୍ଟ ଫୋନ୍ ଓ ନଗଦ ୨୫ ହଜାର ଟଙ୍କା ଜବତ କରାଯାଇଥିବା କହିଛନ୍ତି ସ୍ପେସାଲ ସ୍କ୍ୱାଡ୍ ପୁଲିସ ଏସ୍ଆଇ ପ୍ରଦୀପ୍ତ କୁମାର କାନୁନ୍ଗୋ । ପୂର୍ବରୁ ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା । ଏପଟେ ଶାନ୍ ପୁରୁଣା ଜେଲ୍ରୋଡ୍ ବଜାର କମିଟିର ସମ୍ପାଦକ ଥିବାରୁ ତା ଗିରଫଦାରି ପରେ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଗିରଫଦାରି ପ୍ରତିବାଦରେ ବଜାର ବନ୍ଦ ଲାଗି ମଧ୍ୟ ଆଜି ସକାଳେ ଉଦ୍ୟମ ହୋଇଥିଲା । ଶାନ୍ ଉକ୍ତ ଗୁଳିକାଣ୍ଡର ପ୍ରଚ୍ଛଦପଟରେ ଥିବା ନେଇ ପୁଲିସ ବେଶ୍ କିଛିଦିନ ଆଗରୁ ସୂଚନା ପାଇଥିଲେ ବି ପ୍ରମାଣ ସନ୍ଧାନରେ ରହିଥିଲା । ପ୍ରମାଣ ଯୋଗାଡ଼ କରିବା ପରେ ଗତକାଲି ସକାଳେ ତାଙ୍କୁ ଉଠାଇ ଆଣିଥିଲା । ଗତ ଜୁଲାଇ ୧୩ ତାରିଖ ରାତି ୯ଟା ବେଳେ ଗୁଲନଗର ହାଇସ୍କୁଲ ଛକ ପାଖରେ ଏକ ଗୁଳିକାଣ୍ଡ ଘଟିଥିଲା । ତିନିମୁହାଣି ବଜାର କମିଟି ସଭାପତି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଧର୍ମ ଜାଗରଣ ସମନ୍ୱୟ ସମିତିର ଜିଲ୍ଲା ସଭାପତି ତଥା ତିନିମୁହାଣି ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାତା ସଭାପତି ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କ ଉପରେ ଅତର୍କିତ ଗୁଳିମାଡ଼ ହୋଇଥିଲା । ଦୁଇ ରାଉଣ୍ଡ ଗୁଳିରୁ ଗୋଟିଏ ଲକ୍ଷ୍ୟଚ୍ୟୁତ ହୋଇଥିବା ବେଳେ ଅନ୍ୟଟି ବାବୁଲିଙ୍କ ଶରୀରରେ ଫୁଟି ବାହାରି ଯାଇଥିଲା । ଘଟଣାର ଦିନକ ପରେ ପୁଲିସ ପ୍ରଥମେ ୨ଜଣଙ୍କୁ ଧରିଥିଲା ଇନ୍ଦୁପୁର ଅଞ୍ଚଳରୁ ଓ ଆଉ ଜଣଙ୍କୁ କେନ୍ଦ୍ରାପଡ଼ା ଟାଉନରୁ । ପରେ ଆଉ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏମାନେ ହେଲେ ନିକିରାଇ ଥାନା ଇନ୍ଦୁପୁରର ସୁବାସ ଚନ୍ଦ୍ର ମଲିକ, ଚାରିଗାଁର ଅମରେନ୍ଦ୍ର ମଲିକ, କେନ୍ଦ୍ରାପଡ଼ା ଟାଉନ୍ କ୍ୟୁରେସିମହଲାର ସେକ୍ ସାକିର, ସଦର ଥାନା ନେମ୍ୱରାର ଶଙ୍କର ସେଠୀ । ସେମାନଙ୍କଠାରୁ ୨ଟି ବାଇକ୍, ୪ଟି ମୋବାଇଲ ଫୋନ୍ ଜବତ ହୋଇଥିଲା । ତେବେ ସେମାନେ ଗୁଳିକାଣ୍ଡ ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ ବି ଗୁଳି ଚଳାଇ ନଥିଲେ । ପୁଲିସ କହିବାନୁସାରେ, ବାବୁଲିଙ୍କ ଉପରେ ନଜର ରଖି ଆସୁଥିବା ସେକ୍ କୁଦରତ ଓ ସେକ ମେହେତାବ ସେଦିନ ସାମ୍ନାସାମ୍ନି ହୋଇଥିଲେ ବାବୁଲିଙ୍କ ସହ । କୁଦରତ ଗାଡ଼ି ଚଳାଉଥିବା ବେଳେ ବାବୁଲିଙ୍କ ଉପରେ ଗୁଳି ଚଳାଇଥିଲା ସେକ ମେହେତାବ । ଏମାନେ ସୁପାରି ନେଇ ଏଇ କାମ ଭିଆଇଥିବା କୁହାଯାଉଥିବା ବେଳେ ଗୁଳିକାଣ୍ଡ ପଛରେ ଥିବା ପ୍ରକୃତ ଅଭିଯୁକ୍ତ ପାଖରେ ଏଯାଏ ପହଞ୍ଚିି ପାରିନି ପୁଲିସ । ଗୁଳିକାଣ୍ଡ ପଛରେ ଟି-ଲିଙ୍କ୍ ଥିବା ଅର୍ଥାତ ବିଗତ ଦିନର ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ ସାମିଲ ଥିବା ଗଣମାଧ୍ୟମକୁ କହିଥିଲେ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର । କିନ୍ତୁ ଟିଟୋ ଲିଙ୍କ୍ ନେଇ ଏଯାଏ ପୁଲିସ ହାତରେ କିଛି ପ୍ରମାଣ ଲାଗିପାରିନି । ନିକଟରେ ଗୁଳି କରିଥିବା ସେକ୍ ମେହେତାବକୁ ଏନ୍କାଉଣ୍ଟରରେ ଆହତ କରିଥିଲା ପୁଲିସ । ପୁଲିସର କହିବା କଥା, ପୂର୍ବତନ କାଉନସିଲର୍ ସେକ୍ ରହେମତ ଓରଫ ଶାନ୍ ସମଗ୍ର ଘଟଣାର ମୁଖ୍ୟ ସୂତ୍ରଧର ଥିଲେ । ଯିଏ ଘଟଣାର ପୂରା ନକ୍ସା ପ୍ରସ୍ତୁତ କରିଥିଲେ । ଗୁଳିକାଣ୍ଡ ଲାଗି ଦିନ, ବାର, ସମୟ ଧାର୍ଯ୍ୟ କରିଥିଲେ ନିଜେ ଶାନ୍ । ତାଙ୍କ ଇସାରାରେ ଅଭିଯୁକ୍ତମାନେ ପ୍ରସ୍ତୁତ ହୋଇଥିଲେ । ଫୋନ୍ରେ ଓ ହ୍ୱାଟ୍ସଆପ୍ରେ ହୋଇଥିଲା ଯୋଜନା । ମେହେତାବ ଓ ବିଗତ ଦିନରେ ତାଙ୍କ ପାଖରେ କାମ କରୁଥିବା ମେହେତାବର ସହଯୋଗୀ ଜାନ୍ ସହ ସେ ନିୟମିତ ସମ୍ପର୍କରେ ରହୁଥିଲେ । ଗୁଳିକାଣ୍ଡ ପୂର୍ବରୁ ଅଭିଯୁକ୍ତଙ୍କ ସହ ସେ ରହିଥିଲେ ଯୋଗାଯୋଗରେ । ଯାହାର ଫୋନକଲ୍ ରେକର୍ଡ ସହ ହ୍ୱାଟସଆପ୍ ଚାଟିଂ ରେକର୍ଡ, ମେସେଜ୍ର ଅନେକ ତଥ୍ୟ ପୁଲିସ ହାତରେ ଲାଗିଥିବା କହିଛି ସ୍ପେସାଲ ସ୍କ୍ୱାଡ୍ । ଜବତ ସ୍ମାର୍ଟଫୋନରୁ ବହୁ ସୁରାକ୍ ମିଳିଛି । ଶାନ୍ଙ୍କ ସହ ଯେଉଁମାନେ ଉକ୍ତ ଘଟଣା ସହ ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷରେ ସାମିଲ ଥିଲେ ସେମାନେ ଏବେ ପୁଲିସ ସ୍କାନର୍ରେ । ମାମଲା ତଦନ୍ତାଧୀନ ଥିବା କାରଣରୁ ଘଟଣା ପଛର କାରଣ, ରହସ୍ୟ ବାବଦରେ ସବିଶେଷ ତଥ୍ୟ ଗୋପନ ରଖିଛି ପୁଲିସ ।
Comments are closed, but trackbacks and pingbacks are open.